ବିଜେଡି ପାଇଁ କାମ କରୁଛନ୍ତି ସରକାରୀ ବାବୁ- କଂଗ୍ରେସ

Dec 9, 2018 - 17:20
 192
ବିଜେଡି ପାଇଁ କାମ କରୁଛନ୍ତି ସରକାରୀ ବାବୁ- କଂଗ୍ରେସ
ଭୁବନେଶ୍ୱର,୯/୧୨(ସକାଳଖବର): ରାଜ୍ୟର ବରିଷ୍ଠ ପ୍ରଶାସନିକ ଅଧିକାରୀ ମାନେ ସରକାରୀ କାର୍ଯ୍ୟକ୍ରମ ଆଳରେ ବିଜୁଜନତା ଦଳର ରାଜନୀତି କାର୍ଯ୍ୟକରୁଛନ୍ତି । ମୁଖ୍ୟମନ୍ତ୍ରୀ ଓ ତାଙ୍କର ଅତିରିକ୍ତ ସଚିବ ପ୍ରଦୀପ୍ତ ମହାପାତ୍ର ପ୍ରଶାସନିକ ଆଚାର ସଂହିତା ଉଲଙ୍ଘନ କରିଛନ୍ତି ଏବଂ ସରକାରୀ କାର୍ଯ୍ୟକ୍ରମରେ ବିଜେଡ଼ି ପ୍ରତି ପକ୍ଷପାତିତା ଓ ଅନୁଗ୍ରହ ପ୍ରଦର୍ଶନ କରିଛନ୍ତି ବୋଲି ପିସିସି ମିଡ଼ିଆ ସେଲର ଅଧ୍ୟକ୍ଷ ଶ୍ରୀ ସତ୍ୟପ୍ରକାଶ ନାୟକ ଅଭିଯୋଗ କରିଛନ୍ତି । ଏଥିପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ସେ କହିଛନ୍ତି । ସେହିପରି ଅତିରିକ୍ତ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କୁ ତୁରନ୍ତ ନିଲମ୍ବନ କରିବାକୁ କଂଗ୍ରେସ ଦାବି କରିଛି । ଏହାସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବାପାଇଁ କେନ୍ଦ୍ର କାର୍ମିକ ଏବଂ ପ୍ରଶିକ୍ଷଣ ବିଭାଗ ନିକଟରେ ଦଳ ଅଭିଯୋଗ କରିବ ଓ ମୁଖ୍ୟମନ୍ତ୍ରୀ ସରକାରୀ କାର୍ଯ୍ୟକ୍ରମରେ ବିଜେଡ଼ି ପାଇଁ କାର୍ଯ୍ୟ କରୁଛନ୍ତି ସେ ନେଇ ନିର୍ବାଚନ ଆୟୋଗଙ୍କ ପାଖରେ ଫେରାଦ କରାଯିବ ବୋଲି ଶ୍ରୀ ନାୟକ କହିଛନ୍ତି । ଶ୍ରୀ ନାୟକ କହିଛନ୍ତି ଯେ ଗତ ୭ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅବସ୍ଥାପିତ ଅତିରିକ୍ତ ସଚିବ ପ୍ରଦୀପ୍ତ ମହାପାତ୍ର ଚିଠି ନଂ ୩୪୩୪/ସିଏମ୍ ଜରିଆରେ କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଲେଖାଯାଇଥିବା ଚିଠିରେ ଗତ ୮ ତାରିଖ ଦିନ କେନ୍ଦ୍ରାପଡ଼ା ମହାକାଳପଡ଼ା ବ୍ଲକ ସରୁମୋହି ଠାରେ ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପର ଭିତିପ୍ରସ୍ତ୍ରର ସ୍ଥାପନ ମୁଖ୍ୟମନ୍ତ୍ରୀଙ୍କର ଯୋଗଦାନ ଓ ଗସ୍ତ ସମ୍ପର୍କରେ ସୂଚନା ଦିଆଯାଇଛି । ଏହି ଚିଠିରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ପକ୍ଷରୁ ପ୍ରଦୀପ୍ତ ମହାପାତ୍ର କେନ୍ଦ୍ରାପଡ଼ା ଜିଲାପାଳଙ୍କୁ ଚିଠି ଲେଖି ଜିଲ୍ଲାର ସମସ୍ତ ବିଜୁ ଜନତା ଦଳ ପଦାଧିକାରୀ ନେତାଙ୍କୁ ନିମନ୍ତ୍ରଣ କରିବାକୁ ଲିଖିତ ନିଦେ୍ର୍ଧଶ ଦେଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କର ସରକାରୀ କାର୍ଯ୍ୟକ୍ରମକୁ ବିଜୁଜନତା ଦଳର ନେତାଙ୍କୁ ଅତିରିକ୍ତ ସଚିବ ସ୍ତରର ଜଣେ ଅଧିକାରୀ ନିର୍ଦ୍ଧିଷ୍ଟ ଭାବେ ନିମନ୍ତ୍ରଣ କରିବା ଉପରେ ପ୍ରଦଶେ କଂଗ୍ରେସ କମିଟି ଆପତି ଉଠାଇଛି । ଏ ଘଟଣା ସ୍ପଷ୍ଟ କରୁଛି ଯେ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଓ ତାଙ୍କ ଦପ୍ତରର ଅଧିକାରୀମାନେ ଶାସନ କଳକୁ ବିଜୁ ଜନତା ଦଳର ଫାଇଦା ପାଇଁ ବ୍ୟବହାର କରୁଛି । ପ୍ରଦୀପ୍ତ ମହାପାତ୍ରଙ୍କର ଏଭଳି କାର୍ଯ୍ୟ ଅଲଇଣ୍ଡିଆ ସର୍ଭିସ କଣ୍ଡକ୍ଟ ରୁଲ ୧୯୬୮ର ଉଲ୍ଲଙ୍ଘନ କରୁଛି ବୋଲି ସତ୍ୟପ୍ରକାଶ ନାୟକ ଅଭିଯୋଗ ଆଣିଛନ୍ତି ।