ବଡଚଣା ନିର୍ବାଚନ ମଣ୍ଡଳୀର ଅସନ୍ତୁଷ୍ଟ ବିଜେପି ଓ ବିଜେଡ଼ି କର୍ମୀ ଦଳ ଛାଡିଲେ
ଧର୍ମଶାଳା,୧୧/୩(ସକାଳଖବର): ରାଜ୍ୟରେ ନିର୍ବାଚନ ତାରିଖ ଘୋଷଣା ହୋଇସାରିଛି । କର୍ମୀମାନଙ୍କଠାରୁ ଆରମ୍ଭ କରି ନେତା ଓ ଭୋଟରମାନଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । ଏହି ଅବସରରେ କର୍ମୀମାନେ ଦଳ ପ୍ରତି ଅସନ୍ତୋଷ ପ୍ରକାଶ କରି ଦଳ ଛାଡି ବିଭିନ୍ନ ଦଳରେ ଯୋଗ ଦେଉଥିବା ଦେଖିବାକୁ ମିଳିଛି । ଯାଜପୁର ଜିଲା ବଡଚଣା ନିର୍ବାଚନ ମଣ୍ଡଳୀରେ ଦଳ ବଦଳ ଓ ମିଶ୍ରଣ ପର୍ବ ଦେଖିବାକୁ ମିଳିଛି । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚଣ୍ଡିଖୋଲସ୍ଥ ରାଜୀବ ମେମୋରିଆଲ କଳଚରାଲ ସେଂଟର ପରିସରରେ କଂଗ୍ରେସ ପକ୍ଷରୁ ଏକ ଆୟୋଜିତ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ମିଶ୍ରଣ ପର୍ବରେ ନିର୍ବାଚନ ମଣ୍ଡଳୀର ବହୁ କର୍ମୀ ବିଜେଡି ଓ ବିଜେପି ଦଳ ଛାଡି ଭାରତୀୟ ଜାତୀୟ କଂଗ୍ରେସର ସଭାପତି ରାହୁଲ ଗାନ୍ଧୀଙ୍କ ନୀତି, ଆଦର୍ଶ, ପ୍ରଦେଶ କଂଗ୍ରସ କମିଟିର ସଭାପତି ନିରଞ୍ଜନ ପଟ୍ଟନାୟକ ଓ ପୂର୍ବତନ ମନ୍ତ୍ରୀ ସୀତାକାନ୍ତ ମହାପାତ୍ରଙ୍କ ଦୃଢ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରି ବଡ଼ଚଣା ବ୍ଲକ୍ ଅନ୍ତର୍ଗତ ଅଣକା ଗ୍ରାମ ପଂଚାୟତର ରାହାଳ ଗ୍ରାମର କେତେକ ବିଜେଡ଼ି ଓ ବିଜେପି କର୍ମୀ କଂଗ୍ରେସରେ ଯୋଗଦାନ କରିଥିଲେ । ଏହି ମିଶ୍ରଣ ପର୍ବରେ ପୂର୍ବତନ ମନ୍ତ୍ରୀ ସୀତାକାନ୍ତ ମହାପାତ୍ର, ୧୭ ନଂ ଜୋନ ସଭାପତି ନୀଳକଣ୍ଠ ମିଶ୍ର, ୧୬ ନଂ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମହାନ୍ତି, ଜିଲା କଂଗ୍ରେସ କମିଟିର ଉପ-ସଭାପତି ସୁରେଶ ଚନ୍ଦ୍ର ସାହାଣୀ, କୁମର ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଦଳରେ ଯୋଗ ଦେଇଥିବା ନିରଞ୍ଜନ ସାମଲ, ହିମାଂଶୁ ସାମଲ, ଧନେଶ୍ୱର ସାମଲ, ବିକାଶ ଦାସ, ଶକ୍ତିକାନ୍ତ ବାରିକ, ଚିତତ୍ତରଂଜନ ସାମଲ, ଯଶୋବନ୍ତ ଓଝା, ଗୌତମ ସାମଲ, ମହେଶ୍ୱର ସାମଲ ପ୍ରମୁଖଙ୍କୁ ପୁଷ୍ପଗୁଚ୍ଛ ଓ ଦଳୀୟ ଉତରୀୟ ଦେଇ ସ୍ୱାଗତ କରିଥିଲେ । ଚଳିତ ବର୍ଷ ନିର୍ବାଚନରେ ବଡଚଣାରେ କଂଗ୍ରେସ ପ୍ରାର୍ଥୀଙ୍କୁ ବିଧାୟକଭାବେ ବିଜୟୀ କରିବାକୁ ସମସ୍ତେ ସଙ୍କଳ୍ପ ନେଇଥିଲେ ।