ବିଜେଡ଼ି ଦୁର୍ନୀତିରେ ଉବୁଟୁବୁ ହେଉଛି: ନିରଞ୍ଜନ

Sep 12, 2018 - 18:51
 148
ବିଜେଡ଼ି ଦୁର୍ନୀତିରେ ଉବୁଟୁବୁ ହେଉଛି: ନିରଞ୍ଜନ
ଭୁବନେଶ୍ୱର, ୧୨/୯ (ସକାଳଖବର): ଓଡ଼ିଶାରେ ଲୋକାୟୁକ୍ତ ନିଯୁକ୍ତ କରିବାକୁ ମାନ୍ୟବର ସୁପ୍ରିମକୋର୍ଟ ଦେଇଥିବା ସମୟ ସୀମା ଇତିମଧ୍ୟରେ ଶେଷ ହୋଇଛି । କିନ୍ତୁ ଓଡ଼ିଶା ସରକାର ତାହାକୁ ଅନୁପାଳନ କରିନାହାନ୍ତି । ବିଭିନ୍ନ ସ୍ତରରେ ହେଉଥିବା ଦୁର୍ନୀତି ସମ୍ପର୍କରେ ଲୋକାୟୁକ୍ତ ତଦନ୍ତ କରି ସମସ୍ତଙ୍କର ମୁଖା ଖୋଲିଥାନ୍ତେ । କ୍ିନ୍ତୁ ଓଡ଼ିଶାର ବିଜେଡ଼ି ସରକାର ତାହା କରିବାକୁ ଦେଲେନାହିଁ । ନିଜକୁ ସ୍ୱଚ୍ଛ ବୋଲି ସବୁ ସମୟରେ ନବୀନ ପଟ୍ଟନାୟକଙ୍କ ସରକାର କହିଆସୁଥିବାବେଳେ ଦଳର ଜଣେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ଡା. ଦାମୋଦର ରାଉତ ରାଜ୍ୟ ସରକାରଙ୍କର ଅସଲ ଚେହେରା ପଦାରେ ପକାଇ ଦେଇଛନ୍ତି । ଓମ୍ଫେଡ଼ ଦୁଗ୍ଧ ଜରି କିଣାରେ ଦୁର୍ନୀତି, ସମବାୟ ସମିତିରେ ଦୁର୍ନୀତି ଭଳି ନାନା ଦୁର୍ନୀତି ପ୍ରସଙ୍ଗ ଡା. ରାଉତ ଉଠାଇଥିଲେ ମଧ୍ୟ ବିଜେଡ଼ି ସରକାର ତାହାର ତଦନ୍ତାଦେଶ ଏପର୍ଯ୍ୟନ୍ତ ଦେଉନାହାନ୍ତି । ଏଥିରୁ ଓଡ଼ିଶା ସରକାର କେତେ ସ୍ୱଚ୍ଛ ତାହା ଜଣାଯାଉଛି । ଦୁର୍ନୀତିରେ ବୁଡି ରହିଥିବା ବିଜେଡ଼ି ସରକାର ସେଥିପାଇଁ ଲୋକାୟୁକ୍ତ ନିଯୁକ୍ତ କରିବାକୁ ଭୟ କରୁଛନ୍ତି ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ଶ୍ରୀ ପଟ୍ଟନାୟକ ଏକ ବିବୃତିରେ କହିଛନ୍ତି, କେନ୍ଦ୍ର ଓ ରାଜ୍ୟ ଉଭୟ ସରକାର ଏକାଧିକ ଦୁର୍ନୀତିରେ ଲିପ୍ତ ଅଛନ୍ତି । କେନ୍ଦ୍ର ସରକାର ଦୁର୍ନୀତି ମୂଳୋପôାଟନ, ଜାଲ ନୋଟ କାରବାରକୁ ରୋକିବା ପାଇଁ ବିମୁଦ୍ରୀକରଣ କଲେ । କିନ୍ତୁ ସେଥିରୁ କିଛି ସୁଫଳ ମିଳିଲା ନାହିଁ । ୯୯ ପ୍ରତିଶତରୁ ଅଧିକ ପୁରୁଣା ନୋଟ୍ ରିଜର୍ଭ ବ୍ୟାଙ୍କ ନିକଟରୁ ଫେରିଆସିଲା । ସେଥିରେ ବିଫଳ ହେବାପରେ କେନ୍ଦ୍ର ସରକାର କହି ବୁଲୁଛନ୍ତି ଯେ ପୁରୁଣା ନୋଟ୍ ଯେଉଁମାନେ ବଦଳାଇଛନ୍ତି, ସେଥିରେ ମଧ୍ୟ କଳା ଟଙ୍କା କାରବାର ହୋଇଛି । ଦେଶବାସୀଙ୍କୁ ରାଜରାସ୍ତାରେ ଛିଡା କରିଥିବା ବିଜେପି ସରକାର ଏହିଭଳି ଗାଲୁଆମି କରି ଲୋକଙ୍କୁ ଆଉ କେତେ ଠକିବେ ବୋଲି ପିସିସି ସଭାପତି ପ୍ରଶ୍ନ କରିଛନ୍ତି । ଏଥିସହିତ ସେ କହିଛନ୍ତି ଯେ ମୋଦି ସରକାର ରାଫେଲ ବିମାନ କିଣା ଚୁକ୍ତିରେ ସର୍ବବୃହତ ଦୁର୍ନୀତି କରିଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ଏ ସର୍ମ୍ପକରେ ସଂସଦରେ ତାହା ଉପରେ ମୁହଁ ଖୋଲୁନାହାନ୍ତି । ରାଜ୍ୟରେ ବିଜେଡିର ଦୁର୍ନୀତି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି । ଏଭଳି ପରିସ୍ଥିତିରେ ଉଭୟ କେନ୍ଦ୍ର ଓ ରାଜ୍ୟରେ ଦକ୍ଷ ଲୋକାୟୁକ୍ତ ନିଯୁକ୍ତି ନେଇ ସରକାର ବିଳମ୍ବ କରିଚାଲିଛନ୍ତି । ସୁପ୍ରିମକୋର୍ଟରେ ଏ ସମ୍ପର୍କରେ ଏକ ମାମଲା ବିଚାରାଧୀନ ଥିବାବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଏପ୍ରିଲ ୧୨ ତାରିଖରେ ସତ୍ୟପାଠ ଦାଖଲ କରାଯାଇଥିଲା । ସେଥିରେ ରାଜ୍ୟ ସରକାର ଯେଉଁ ତଥ୍ୟ ପ୍ରଦାନ କରିଥିଲେ ସେହି ଆଧାରରେ ଲୋକାୟୁକ୍ତ ଅଥବା ଉପଲୋକାୟୁକ୍ତ ନିଯୁକ୍ତି ପ୍ରକ୍ରିୟା ଜୁଲାଇ ୧୦ ତାରିଖ ସୁଦ୍ଧା ଶେଷ କରିବାକୁ ନିଦେ୍ର୍ଧଶ ଦିଆଯାଇଥିଲା । କିନ୍ତୁ ତାହା କରାଗଲା ନାହିଁ । ପରେ ରାଜ୍ୟ ମୁଖ୍ୟ ଶାସନସଚିବ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ସୁପ୍ରିମକୋର୍ଟରେ ସ୍ଥିତିପତ୍ର ଦାଖଲ କରିବାପରେ ସୁପି୍ରମକୋର୍ଟ ଦୁଇମାସ ମଧ୍ୟରେ ଲୋକାୟୁକ୍ତ ନିଯୁକ୍ତି ପ୍ରକ୍ରିୟା ଶେଷ କରିବାକୁ କହିଥିଲେ । ସେହି ସମୟ ଶେଷ ହୋଇଥିଲେ ମଧ୍ୟ ଲୋକାୟୁକ୍ତ ନିଯୁକ୍ତ କରାଯାଇନାହିଁ ।