ରାହୁଲ୍ ଗାନ୍ଧୀଙ୍କୁ ଦଳର ଅଧ୍ୟକ୍ଷ ନିଯୁକ୍ତ କରିବାକୁ ରାଜସ୍ଥାନ କଂଗ୍ରେସରେ ପାରିତ ହେଲା ପ୍ରସ୍ତାବନା
ଜୟପୁର: ରାହୁଲ୍ ଗାନ୍ଧୀଙ୍କୁ ଦଳର ଅଧ୍ୟକ୍ଷ କରାଯିବା ଉଚିତ ବୋଲି ଦର୍ଶାଇ ରାଜସ୍ଥାନ କଂଗ୍ରେସ ପ୍ରସ୍ତାବନା ପାରିତ କରିଛି।
ସୂଚନାଯୋଗ୍ୟ, ପ୍ରତ୍ୟେକ ପ୍ରଦେଶରେ ଚାଲିଥିବା ପ୍ରଦେଶ କଂଗ୍ରେସ କମିଟି ବୈଠକରେ ଗୋଟିଏ ଗୋଟିଏ ପ୍ରସ୍ତାବନା ପାରିତ କରାଯାଉଛି। ଏହି ସବୁ ପ୍ରସ୍ତାବନାରେ ଉଲ୍ଲେଖ କରାଯାଉଛି କି, ‘ପିସିସି’ ଏବଂ ‘ଏଆଇସିସି’ ସଦସ୍ୟମାନଙ୍କୁ ନିଯୁକ୍ତି କରିବା ଲାଗି ଆମେ ଆଗାମୀ କଂଗ୍ରେସ ଅଧ୍ୟକ୍ଷଙ୍କୁ ସ୍ବୀକୃତି ଦେଉଛୁ।
କିନ୍ତୁ, ଉପରୋକ୍ତ ପ୍ରସ୍ତାବନା ବ୍ୟତିରେକେ, ରାହୁଲ୍ ଗାନ୍ଧୀଙ୍କୁ କଂଗ୍ରେସ ମୁଖ୍ୟ କରାଯିବା ଉଚିତ ବୋଲି ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହ୍ଲଟ୍ଙ୍କଦ୍ବାରା ଆଗତ ଆଉ ଗୋଟାଏ ପ୍ରସ୍ତାବନା ମଧ୍ୟ ପାରିତ ହୋଇଛି।
ଗଣମାଧ୍ୟମ ସହିତ ଆଳାପ କରିବା ବେଳେ ରାଜସ୍ଥାନ ମନ୍ତ୍ରୀ ପି.ଏସ୍. ଖଚାରିୟାୱାସ୍ କହିଛନ୍ତି, ପ୍ରଦେଶ ସଭାପତି ନିଯୁକ୍ତି ସମେତ ଜାତୀୟ ଅଧ୍ୟକ୍ଷ ଯାହା ସ୍ଥିର କରିବେ ସମସ୍ତେ ତାହା ମାନିବେ ବୋଲି ଉଲ୍ଲେଖ ଥିବା ପ୍ରସ୍ତାବନା ପାରିତ ହୋଇଛି। ରାହୁଲ୍ ଗାନ୍ଧୀଙ୍କୁ ଦଳର ଅଧ୍ୟକ୍ଷ କରାଯିବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ ଅଶୋକ ଗେହ୍ଲଟ୍ଙ୍କଦ୍ବାରା ଆଗତ ଆଉ ଗୋଟାଏ ପ୍ରସ୍ତାବ ମଧ୍ୟ ପାରିତ ହୋଇଛି।
ସେହିପରି, ପୁଦ୍ଦୁଚେରୀ ପ୍ରଦେଶ କଂଗ୍ରେସ ମଧ୍ୟ ପ୍ରସ୍ତାବନା ଜରିଆରେ ଦାବି କରିଛି ଯେ, ରାହୁଲ୍ ଗାନ୍ଧୀଙ୍କୁ ପରବର୍ତ୍ତୀ କଂଗ୍ରେସ ଅଧ୍ୟକ୍ଷ କରାଯାଉ। ସେପ୍ଟେମ୍ବର ୧୯ରେ ହେବାକୁ ଥିବା ହିମାଚଳ ପ୍ରଦେଶ ରାଜ୍ୟ କଂଗ୍ରେସ ୟୁନିଟ୍ରେ ମଧ୍ୟ ଏହି ପ୍ରକାରର ପ୍ରସ୍ତାବନା ଆଗତ କରାଯିବ ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି।