ପୂର୍ବତନ ମନ୍ତ୍ରୀ ଚୈତନ୍ୟ ମାଝୀଙ୍କ ପରଲୋକ
ବାରିପଦା,୨୮/୧ (ସକାଳଖବର): ମୟୂରଭଞ୍ଜ ମାଟିର ଲଢ଼ୁଆ ପୁଅ ତଥା ଶିକ୍ଷାବିତ୍ ସଂଗ୍ରାମୀ ରାଜନେତା ପୂର୍ବତନ ମନ୍ତ୍ରୀ ଡ଼କ୍ଟର ଚୈତନ୍ୟ ପ୍ରସାଦ ମାଝି ଜାନୁଆରୀ ୨୮ ସୋମବାର ସକାଳ ୭.୧୦ ସମୟରେ ଭୂବନେଶ୍ୱର କ୍ୟାପିଟାଲ ହସପିଟାଲରେ ୯୦ ବର୍ଷ ବୟସରେ ପରଲୋକ ହୋଇଛି । ଏହି ସମୟରେ ତାଙ୍କ ନିକଟରେ ଝିଅ, ଜ୍ୱାଇଁ ପ୍ରମୁଖ ଉପସ୍ଥିତ ରହିିଲେ । ତାଙ୍କର ମରଶରୀର ଭୂବନେଶ୍ୱରରୁ ଆସି ବାରିପଦା ବିଜୁ ଭବନରେ ପହଁଞ୍ଚିବା ପରେ ଜନସାଧାରଣ ଶେଷ ଦର୍ଶନ କରିଥିଲେ । ଏହାପରେ ଜନ୍ମମାଟି ମୟୂରଭଞ୍ଜ ଜିଲ୍ଲା ତିରିଂ ବ୍ଲକର ସାନଭୁଣ୍ଡୁ ପଞ୍ଚାୟତର ଚାଙ୍ଗୁଆ ଗ୍ରାମରେ ଏକ ଶୋକାକୋଳ ପରିବେଶ ମଧ୍ୟରେ ଅନ୍ତିମ ସଂସ୍କାର କରାଯାଇଥିଲା ।
ପୂର୍ବତନ ମନ୍ତ୍ରୀ ଡ଼କ୍ଟର ମାଝି ୧୯୨୯ ନଭେମ୍ବର ୧୯ରେ ଏକ ଆଦିବାସୀ ସାନ୍ତାଲ ପରିବାରରେ ପିତା ଲକ୍ଷ୍ମଣ ମାଝି ଓ ମାତା ଦମନ୍ତୀ ମାଝିଙ୍କ ଔରଷରୁ ଜନ୍ମ ଗ୍ରହଣ କରିିଲେ । ମେଧାବୀ ଛାତ୍ର ଭାବେ ସମସ୍ତଙ୍କ ନିକଟରେ ପରିଚିତ ହେବା ସାଙ୍ଗକୁ ବିଜ୍ଞାନରେ ସଫଳତାର ସହିତ ସ୍ନାତକ ପାଶ କରିବା ପରେ ଓଡ଼ିଶା ସରକାରଙ୍କ ଅଧୀନରେ ଚାକିରୀ କରିଥିଲେ । କିନ୍ତୁ, ରାଜନୀତି ପ୍ରତି ବିଶେଷ ରୁଚି ରହିଥିବା ଏବଂ ଆଦିବାସୀ ଅଧୁ୍ୟଷିତ ପଛୁଆ ଜିଲ୍ଲା ମୟୂରଭଞ୍ଜ ମାଟିର ସେବା କରିବା ପାଇଁ ସରକାରୀ ଚାକିରୀ ତ୍ୟାଗ କରି ୧୯୭୧ରେ ରାଜନୀତିରେ ପ୍ରବେଶ କରିଥିଲେ । ୧୯୭୨ରେ ଜାତୀୟ କଂଗ୍ରସରୁ ରାଜ୍ୟସଭାକୁ ସାଂସଦ ଭାବେ ନିର୍ବାଚିତ ହୋଇ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ଇନ୍ଦୀରା ଗାନ୍ଧୀଙ୍କ କ୍ୟାବିନେଟରେ ପେଟ୍ରୋଲିୟମ ଓ କେମିକାଲ ବିଭାଗ ଉପରାଷ୍ଟ୍ରମନ୍ତ୍ରୀ ହୋଇ ମୟୂରଭଞ୍ଜ ଜିଲ୍ଲାର ପ୍ରଥମ ମନ୍ତ୍ରୀ ତାଲିକାରେ ଯୋଡ଼ି ହେଲେ । ପରବର୍ତ୍ତୀ ସମୟରେ କଂଗ୍ରସ ତ୍ୟାଗ କରି ଓଡ଼ିଶାରେ ବିଜୁ ପଟ୍ଟନାୟକଙ୍କ ନେତୃତ୍ୱ ପ୍ରତି ଆକୃ୍ଷ୍ଟ ହୋଇ ଜନତା ପାଟିରେ ଯୋଗ ଦେଇଥିଲେ ଏବଂ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ଭବେନ୍ଦ୍ର ନାଥ ମାଝିଙ୍କ ମୃତୁ୍ୟ ପରେ ୧୯୮୬ ଉପନିର୍ବାଚନରେ ଜନତାପାର୍ଟି ଟିକଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସେହିପରି ରାଇରଙ୍ଗପୁର ବିଧାନସଭା ଆସନରୁ ଜନତା ଦଳରୁ(୧୯୯୦-୯୫) ବିଧାୟକ ହୋଇ ବିଜୁ ପଟ୍ଟନାୟକଙ୍କ କ୍ୟାବିନେଟରେ ଉଚ୍ଚଶିକ୍ଷା, ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀରୁ ବିଜେଡ଼ି ଟିକଟରେ(୨୦୦୪-୦୯) ବିଧାୟକ ହୋଇ ମୁଖ୍ୟମନ୍ତ୍ରୀ ନବୀନଙ୍କ ମନ୍ତ୍ରୀ ମଣ୍ଡଳରେ ଆଦିବାସୀ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ହୋଇ ଜନସାଧାରଣଙ୍କ ସବା କରିଆସିଥିଲେ । ଏଥି ସହିତ ୧୯୭୯ରୁ ୮୫ ଓପିଏସସିର ସଦସ୍ୟ, ୧୯୯୮ରୁ ୨୦୦୦ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ଏକାଡେ଼ମୀକ କାଉନସିଲ ସଦସ୍ୟ ଓ ନୂଆଦିଲ୍ଲୀସ୍ଥିତ ସର୍ବଭାରତୀୟ ଆଦିବାସୀ ସାହିତ୍ୟ ଫୋରମରେ ସଦସ୍ୟ ଥିବା ବେଳେ ପୂର୍ବତନ ମନ୍ତ୍ରୀ ଡ଼କ୍ଟର ମାଝିଙ୍କ ଦ୍ୱାରା ଆଦିବାସୀ ଭାଷା ଓ ସଂସ୍କୃତି ଉପରେ ଲିଖିତ ପୁସ୍ତ ଉନ୍ମୋଚିତ ହୋଇଥିଲା ।