ଚୀନ୍‌ ଉପରେ ଦୃଷ୍ଟି ରଖିବାକୁ ୧,୭୦୦ କି.ମି. ‘ସୀମାନ୍ତ ରାଜପଥ’ ନିର୍ମାଣ ପାଇଁ ଯୋଜନା କରୁଛନ୍ତି ସରକାର

Dec 19, 2022 - 06:23
 45
ଚୀନ୍‌ ଉପରେ ଦୃଷ୍ଟି ରଖିବାକୁ ୧,୭୦୦ କି.ମି. ‘ସୀମାନ୍ତ ରାଜପଥ’ ନିର୍ମାଣ ପାଇଁ ଯୋଜନା କରୁଛନ୍ତି ସରକାର
ନୂଆଦିଲ୍ଲୀ: ଆଗାମୀ ୫ ବର୍ଷ ମଧ୍ୟରେ ଅରୁଣାଚଳ ପ୍ରଦେଶରେ ଗୋଟାଏ ନୂଆ ରାଜପଥ ନିର୍ମାଣ କରିବା ଲାଗି ସରକାର ଯୋଜନା କରୁଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିଛି। ଚୀନ୍‌ ମଧ୍ୟ ତା’ ପଟରେ ଥିବା ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳରେ ଭିତ୍ତିଭୂମି ନିର୍ମାଣ କରୁଥିବା କୁହାଯାଉଛି।ଭାରତ-ତିବ୍ବତ-ମିଆଁମାର୍‌ ସୀମାନ୍ତ ପାଖାପାଖି ନିର୍ମାଣ ହେବାକୁ ଥିବା ଏହି ‘ସୀମାନ୍ତ ରାଜପଥ’ ସ୍ଥାନେ ସ୍ଥାନେ ଆନ୍ତର୍ଜାତିକ ସୀମାର ୨୦ କିଲୋମିଟର୍‌ ନିକଟବର୍ତ୍ତୀ ଅଞ୍ଚଳ ଦେଇ ଯିବ। ବିଶେଷ ରଣନୈତିକ ଗୁରୁତ୍ବ ଥିବା ଓ ସୀମାବର୍ତ୍ତୀ ଅଞ୍ଚଳର ଜନସାଧାରଣଙ୍କୁ ଦେଶାନ୍ତର ଗମନରୁ ନିବୃତ କରାଇବା ଲକ୍ଷ୍ୟରେ ଯୋଜନା କରାଯାଇଥିବା ୧୭୪୮ କିଲୋମିଟର୍‌ ଦୀର୍ଘ ଏହି ୨ଥାକିଆ ରାସ୍ତାକୁ ନିର୍ମାଣ କରିବ ସଡ଼କ ପରିବହନ ମନ୍ତ୍ରାଳୟ। ସାମ୍ପ୍ରତିକ ସମୟରେ ଏହା ହେଉଛି ଏକା ଥରକେ ନିର୍ମାଣ ହେବାକୁ ଥିବା କେନ୍ଦ୍ର ସରକାରଙ୍କଦ୍ବାରା ବିଜ୍ଞାପିତ ଦୀର୍ଘତମ ଜାତୀୟ ରାଜପଥ। ୯୧୩ ନମ୍ବର ଜାତୀୟ ରାଜପଥ ଭାବେ ଡିଜାଇନ୍‌ ହୋଇଥିବା ଏହି ରାସ୍ତାରେ ପ୍ରତିରକ୍ଷା ବଳ ଓ ସାମଗ୍ରୀ ଅବାଧରେ ପରିବହନ କରାଯାଇ ପାରିବ। ବୋମଦିଲାରୁ ଆରମ୍ଭ ହୋଇ ଏହି ରାଜପଥ ଭାରତ-ତିବ୍ବତ ସୀମାନ୍ତ ନିକଟତମ ଅଞ୍ଚଳ ନଫ୍ରା, ହୁରି ଏବଂ ମୋନିଗୋଙ୍ଗ୍‌, ଚୀନ୍‌ ସୀମାନ୍ତ ନିକଟ ଜିଡୋ ଓ ଚେନ୍‌‌କ୍ବେଣ୍ଟି ଏବଂ ମିଆଁମାର ସୀମାନ୍ତ ନିକଟ ବିଜୟନଗର ନିକଟରେ ଶେଷ ହେବ। ୯ଟି ପ୍ୟାକେଜ୍‌ରେ ବିଭକ୍ତ ହୋଇଥିବା ଏହି ପ୍ରକଳ୍ପ ନିମନ୍ତେ ପ୍ରାୟ ୨୭୦୦୦ କୋଟି ଟଙ୍କା ବ୍ୟୟ ହେବ ବୋଲି ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ କହିଥିଲେ। କିନ୍ତୁ, ସରକାର ଏବେ ଏହି ରାସ୍ତା ନିର୍ମାଣ ନିମନ୍ତେ ବ୍ୟୟ ହ୍ରାସ କରିବାର ଉପାୟ କରୁଛନ୍ତି। ୨୦୨୪-୨୫ରେ ଏହି ରାସ୍ତା ନିର୍ମାଣ ଶେଷ ହେବ ବୋଲି ଯୋଜନା କରାଯାଇଥିବା କଥା ଜଣେ ସରକାରୀ ଅଧିକାରୀ କହିଛନ୍ତି।