ଦେଶରେ ପାର୍ବଣ ଋତୁ ଲାଗି ଜାରି ହେଲା କେନ୍ଦ୍ରର କୋଭିଡ ଗାଇଡଲାଇନ

Sep 23, 2021 - 14:43
 74
ଦେଶରେ ପାର୍ବଣ ଋତୁ ଲାଗି ଜାରି ହେଲା କେନ୍ଦ୍ରର କୋଭିଡ ଗାଇଡଲାଇନ
ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ଗୁରୁବାର ଦେଶରେ ପାର୍ବଣ ଋତୁ ଅକ୍ଟୋବର ଓ ନଭେମ୍ବର ମାସ ଲାଗି ରାଜ୍ୟସରକାରମାନଙ୍କୁ ପାଳନ କରିବାକୁ ଥିବା କୋଭିଡ ସମ୍ପର୍କିତ ଉପାୟ ନେଇ ବିସ୍ତୃତ ଗାଇଡଲାଇନ ଜାରିକରିଛନ୍ତି। ଏକ ପ୍ରେସ୍ ବିବୃତ୍ତିରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଦେଶରେ କରୋନା ଦ୍ୱିତୀୟ ଲହର ସମାପ୍ତ ହୋଇ ନଥିବାରୁ ପାର୍ବଣ ଋତୁ ନିମନ୍ତେ ସତର୍କତା ଜାରି କରାଯାଉଛି ବୋଲି ଉଲ୍ଲେଖ କରିଛନ୍ତି। ଦେଶର କେରଳ ରାଜ୍ୟରେ ଏବେବି ସର୍ବାଧିକ ମାମଲା ସମ୍ମୁଖକୁ ଆସୁଥିବା ସେ ସୂଚିତ କରିଛନ୍ତି। ମହାଳୟା ପଛକୁ ଦୁର୍ଗାପୂଜା, ଗଜଲକ୍ଷ୍ମୀପୂଜା ଓ ଦୀପାବଳୀ ଅମାବାସ୍ୟାକୁ ସାରା ଦେଶରେ ଧୂମଧାମରେ ପାଳନ କରାଯାଏ। ଏଥିରେ ପବିତ୍ର କାର୍ତ୍ତିକ ମାସ ମଧ୍ୟ ରହୁଛି ଏଣୁ ସ୍ଥାନୀୟ ପରିସ୍ଥିତିକୁ ନଜରରେ ରଖି ଜିଲ୍ଲା ପ୍ରଶାସନମାନେ ପର୍ବ ପାଳନ ନେଇ ଅଗ୍ରୀମ ଅନୁମତି ଦେଇପାରନ୍ତି। ୫ ପ୍ରତିଶତ ଅଥବା ତା ଠୁ କମ୍‌ ସକରାତ୍ମକତା କ୍ଷେତ୍ରରେ ଅଗ୍ରୀମ ଅନୁମତି ଦିଆଯାଇପାରେ ବୋଲି ସ୍ୱାସ୍ଥ୍ୟ ସଚିବ ସତର୍କ କରାଇଦେଇଛନ୍ତି। ତେବେ ସାପ୍ତାହିକ ମାମଲାର ସକରାତ୍ମକତା ହାର ଆଧାରରେ ଏହି ନିଷ୍ପତ୍ତି ନିଆଯାଇପାରେ। ଗତ ଏପ୍ରିଲ ଓ ମେ ମାସରେ ଦେଶ କରୋନା ଭାଇରସ ମହାମାରୀର ପ୍ରକୋପ ଦେଖିଛି। ମୃତ୍ୟୁ ଓ ମାମଲା ସଂଖ୍ୟା ନିୟନ୍ତ୍ରଣରୁ ବାହାରକୁ ଚାଲିଯାଇଥିଲା। ଲୋକଙ୍କୁ ଅକ୍ସିଜେନ ଓ ଚିକିତ୍ସା ସୁବିଧା ଲାଗି ସଂଘର୍ଷ କରିବାକୁ ପଡିଥିଲା। ଏହାକୁ ଦେଖି ସାରା ଦେଶରେ ହସ୍ପିଟାଲ ଓ ଚିକିତ୍ସା ସୁବିଧା ସମ୍ପ୍ରସାରଣ କରାଯାଇଥିଲା। ଏଣୁ ପରିସ୍ଥିତିକୁ ଆୟତ୍ତ କରିବା ଲାଗି ବିଭିନ୍ନ ରାଜ୍ୟରେ ସରକାର କୋଭିଡ ଲକଡାଉନ ଲଗାଇବାକୁ ବାଧ୍ୟ ହୋଇଥିଲେ, ତେବେ ଏହା ଏବେ କୋହଳ ହେଲାଣି। ଏବେ ନୂଆ ସଂକ୍ରମଣ ମାମଲା ଓ ମୃତ୍ୟୁ ନିୟନ୍ତ୍ରଣକୁ ଆସିଛି। ତଥାପି କେରଳ, ମହାରାଷ୍ଟ୍ର ଓ ଅନ୍ୟ କେତେକ ରାଜ୍ୟରେ ଏବେବି ସଂକ୍ରମଣ ହାର ବେଶ ଉଚ୍ଚ ରହୁଛି। ଦେଶରେ ମୋଟ ମାମଲାର ୬୨.୭୩ ପ୍ରତିଶତ କେବଳ କେରଳରେ ଦେଖା ଯାଉଛି। ଏଥିରେ ବିଶେଷଜ୍ଞମାନେ ଦେଶରେ କରୋନାର ତୃତୀୟ ଲହର ନେଇ ଆଶଙ୍କା କରୁଛନ୍ତି। ଯାହା ପିଲାଙ୍କ ଠାରେ ପ୍ରକୋପ କରିପାରେ ବୋଲି କହୁଛନ୍ତି। ଏଣୁ ପାର୍ବଣ ଋତୁରେ ଯେପରି କୋହଳ ନହୁଅନ୍ତି ସେତିଲାଗି ରାଜ୍ୟ ସରକାରମାନଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ସତର୍କ କରାଇଦେଇଛନ୍ତି।