ତୁମୁଡିବନ୍ଧରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ସଭା

Apr 15, 2019 - 04:34
 124
କନ୍ଧମାଳ,୧୩/୪(ସକାଳଖବର): ମୋତେ ଆପଣାମାନେ ଆଶିର୍ବାଦ କରନ୍ତୁ ମୋର ଶେଷନିଶ୍ୱାସ ଥିବାଯାଏଁ ମୁଁ ଆପଣମାନଙ୍କ ପାଖରେ ଅଛି ଓ ରହିଥିବି ଆଉ ସେବା କରୁଥିବି ବୋଲି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧ ଠାରେ ଏକ ନିର୍ବାଚନୀ ସଭାରେ ଉପସ୍ଥିତ ଜନସାଧାରଣଙ୍କୁ କହିଥିଲେ । କାଳିଆ ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରାଯାଉଛି ତେବେ, ମୁଁ ଏଥିରେ ଚକ୍ରାନ୍ତକାରୀଙ୍କୁ ସଫଳ ହେବାକୁ ଦେବିନାହିଁ । କାଳିଆ ଯୋଜନାକୁ କାହାକୁ ବନ୍ଦ କରିବାକୁ ଦେବିନାହିଁ ବୋଲି କହିଥିଲେ ନବୀନ ପଟ୍ଟନାୟକ । ନିର୍ବାଚନ ଆସିଲେ ବଡ ବଡ ନେତାମାନଙ୍କ ଓଡିଶା କଥା ମନେପଡୁଛି । ସେମାନେ ଭୋଟ ମାଗିବାଲାଗି ଏଠାକୁ ଆସିଯାଉଛନ୍ତି । ତେବେ, ସେମାନେ ସଫଳ ହେବେନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଆଜି କନ୍ଧମାଳ ଜିଲ୍ଲାର ବାଲିଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀର ତୁମୁଡିବନ୍ଧର ମିନି ଷ୍ଟାଡିୟମ ଠାରେ ବିଜେଡି ଦଳ ପକ୍ଷରୁ ଆୟୋଜିତ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାୟକ ପ୍ରାର୍ଥୀ ଚକ୍ରମଣି କହଁର ଓ ସାଂସଦ ପ୍ରାର୍ଥୀ ଡା.ଅଚୁ୍ୟତାନନ୍ଦ ସାମନ୍ତଙ୍କୁ ଭୋଟ ଦେବାଲାଗି ଉପସ୍ଥିତ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ ନବୀନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଜି ଦ୍ୱିତୀୟ କନ୍ଧମାଳ ଗସ୍ତ ଥିଲା । ଗତ ୧୦ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୁଲବାଣୀ ବିଧାନସଭା ନିର୍ବାଚନ ମଣ୍ଡଳୀର ଫିରିଙ୍ଗିଆ ଠାରେ ଓ ଜି.ଉଦୟଗିରି ବିଧାନସଭା ନିର୍ବାଚନ ମଣ୍ଡଳୀର ଦାରିଙ୍ଗବାଡି ଠାରେ ନିର୍ବାଚନୀ ସଭାରେ ଯୋଗଦେଇ ବିଜୁ ଜନତା ଦଳର ପ୍ରାର୍ଥୀମାନଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ । ତୁମୁଡିବନ୍ଧ ଠାରେ ଆଜିର ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀଙ୍କ ସମେତ ସାଂସଦ ପ୍ରାର୍ଥୀ ଡା.ଅଚୁ୍ୟତାନନ୍ଦ ସାମନ୍ତ, ବାଲିଗୁଡା ବିଧାନସଭା ପ୍ରାର୍ଥୀ ଚକ୍ରମଣି କହଁର ମଧ୍ୟ ଭୋଟ ଭିକ୍ଷା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜେଡି ବାଲିଗୁଡା ବ୍ଲକ ସଭାପତି ଟୁନା ଦାସ, ତୁମୁଡିବନ୍ଧ ବ୍ଲକ ସଭାପତି ପ୍ରମୋଦ ସାହୁ, ବିଧାୟକ ରାଜୀବ ପାତ୍ର, ବିଜେଡି ସାଧାରଣ ସଂପାଦକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ, କ୍ଲେଶ ପ୍ରଧାନଙ୍କ ସମେତ ବହୁ ବିଜେଡି ନେତା ଉପସ୍ଥିତ ଥିଲେ । ଆଜିର ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ସଭାରେ ୧୦ ହଜାରରୁ ଉଦ୍ଧ୍ୱର୍ ଜନସାଧାରଣ ଯୋଗଦେଇଥିଲେ । ସେହିପରି କଂଗ୍ରେସ ଓ ବିଜେପି ପକ୍ଷରୁ ମଧ୍ୟ କର୍ମୀମାନେ ବାଇକର୍ୟାଲୀ କରି ତୁମୁଡିବନ୍ଧ ଅଂଚଳରେ ଭୋଟ ପ୍ରଚାର କରିଥିଲେ ।