ଚିଟଫଣ୍ଡ୍ ଟଙ୍କା ଦାବିକରି ସଂଜୟଙ୍କୁ ଘେରିଲେ ଶତାଧିକ ମହିଳା

Apr 15, 2019 - 04:33
 160
ପୁରୀ, ୧୩/୪(ସକାଳଖବର): ସ୍ପର୍ଶକାତର ନିର୍ବାଚନ ମଣ୍ଡଳୀଭାବେ ପରିଚିତ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ ବିଧାୟକ ପ୍ରାର୍ଥୀ ସଂଜୟ ଘୋର ବିରୋଧର ସମ୍ମୁଖୀନ ହୋଇଛନ୍ତି । ଶନିବାର ବେଣ୍ଟପୁର ପଂଚାୟତ ଅନ୍ତର୍ଗତ ବିଜିପୁର ଗ୍ରାମରେ ଶ୍ରୀ ଦାସବର୍ମା ନିର୍ବାଚନ ପ୍ରଚାର କରୁଥିବାବେଳେ ଗ୍ରାମର ଶତାଧିକ ମହିଳା ତାଙ୍କୁ ବିରୋଧ କରିଥିଲେ । ଏହାକୁ ନେଇ ବିଧାୟକଙ୍କ ସମର୍ଥକ ଓ ମହିଳାଙ୍କ ମଧ୍ୟରେ ଉତେଜନା ପ୍ରକାଶ ପାଇଥିଲା । ଧସ୍ତାଧସ୍ତିରେ ବିଜିପୁର ଗ୍ରାମର ୨ଜଣ ମହିଳା ଆହତ ହୋଇଛନ୍ତି । ସେମାନେ ହେଲେ ବସନ୍ତ ମଞ୍ଜରି ପଲାଇ(୫୦) ଓ ରାଣିଆ ପଲାଇ(୪୫) ବୋଲି ଜଣାପଡିଛି । ଉଭୟଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ରେବଣାନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା । ସୂଚନା ଯୋଗ୍ୟ ଯେ ବ୍ରହ୍ମଗିରି ବିଧାୟକ ସଞ୍ଜୟ କୁମାର ଦାସବର୍ମା ଗ୍ରାମକୁ ଗ୍ରାମ ଯାଇ ଭୋଟ ପ୍ରଚାର ଆରମ୍ଭ କରିଛନ୍ତି । ଶନିବାର ଦିନ ୧ଟା ସମୟରେ ବିଜିପୁର ଗ୍ରାମକୁ ଭୋଟ ପ୍ରଚାର କରିବାକୁ ଯାଉଥିବା ବେଳେ ହଠାତ୍ ମହିଳାମାନେ ଚିଟ୍ଫଣ୍ଡରେ ଆମ ପଇସା ବୁଡି ଯାଇଛି । ବିଧାୟକ ସେହି ଅର୍ଥକୁ ଆମକୁ ଫେରାନ୍ତୁ ବୋଲି ହୋଲ୍ଲା କରିଥିଲେ । ବିଧାୟକ ଯାଉଥିବା ପ୍ରଚାର ଗାଡି ଆଗକୁ ଚାଲି ଯାଇଥିଲା । ମହିଳା ଓ ତାଙ୍କ ସମର୍ଥକମାନେ ପଛରେ ଯାଉଥିବା ରାଲିକୁ ଅଟକାଇଥିଲେ । ରାଲିରେ ଯାଉଥିବା ବିଧାୟକ ସମର୍ଥକମାନେ ଓ ମହିଳା ଓ ତାଙ୍କ ସମର୍ଥକଙ୍କ ମଧ୍ୟରେ କିଛି ସମୟ ଧରି ଯୁକ୍ତିତର୍କ ହୋଇଥିଲା । ମହିଳାମାନେ ଦାଣ୍ଡରେ ପଡିଥିବା କତା ଓ ଛଣବିଡାକୁ ରାଲି ଉପରକୁ ମାଡ କରିଥିଲେ । ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା । ଉଭୟ ପକ୍ଷଙ୍କ ମଧ୍ୟରେ ଯୁକ୍ତିତର୍କ ହେବା ସହ ମାଡମରାମରି ହୋଇଥିଲେ । ମହିଳା ଓ ରାଲିରେ ଯାଉଥିବା ଲୋକଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଏ ସମ୍ପର୍କରେ ବ୍ରହ୍ମଗିରି ଥାନା ଅଧିକାରୀ ମନୋଜ କୁମାର ଶତପଥୀଙ୍କୁ ପଚାରିବାରେ ସେ କୁହନ୍ତି ଅଭିଯୋଗର ତଦନ୍ତ ଚାଲିଛି ବୋଲି ପ୍ରକାଶ କରିଛନ୍ତି । ବିଗତ ୧୦ବର୍ଷ ମଧ୍ୟରେ ବ୍ରହ୍ମଗିରି ବିକାଶ ନାମରେ ବିନାଶ ହୋଇଛି ବୋଲି ମହିଳାମାନେ ନାରାବାଜି କରିଥିଲେ । କେବଳ ହଜାର ହଜାର ଫଳକ ପୋତାଯାଇଥିବାବେଳେ କୌଣସି କାମ ସଂପୂର୍ଣ୍ଣ ହୋଇପାରିନଥିବା ମହିଳାମାନେ କହିଥିଲେ । ଗାଁକୁ କାମ ଓ ମାକୁ ସମ୍ମାନ ନାଁରେ ବ୍ରହ୍ମଗିରିରେ ତାହାର ଓଲଟା ଫଳ ଫଳୁଛି ବୋଲି ଅଭିଯୋଗ କରିଥିଲେ ।