ଟ୍ରକ ମାଲିକ ଓ ଜରାସିଂହା ଗ୍ରାମବାସୀ ମୁହାଁମୁହିଁ

Oct 6, 2018 - 18:42
 157
ଟ୍ରକ ମାଲିକ ଓ ଜରାସିଂହା ଗ୍ରାମବାସୀ ମୁହାଁମୁହିଁ
ଅନୁଗୋଳ, ୬/୧୦ (ସକାଳଖବର): ଅନୁଗୋଳ ସହର ନିକଟସ୍ଥ ଜରାସିଂହା ଗାଁ ଦେଇ ଦୈନନ୍ଦିନ ଶହ ଶହ କୋଇଲା ବୋଝେଇ ଟ୍ରକ ଯାତାୟତ କରୁଛି । ଯଦ୍ୱାରା ପରିବେଶ ପ୍ରଦୂଷଣ ସହ ଟ୍ରାଫିକ ସମସ୍ୟା ଦେଖାଦେଇଛି । ଏହାକୁ ନେଇ ଗ୍ରାମବାସୀ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ଅବଗତ କରାଯାଇଥିଲା ଏବଂ ଅଗାମୀ ଦିନରେ କୋଇଲା ପରିବହନ ହେବନାହିଁ ବୋଲି ଏକ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ମାତ୍ର କୋଇଲା ପରିବହନ ଜାରି ରହିଥିବା ଯୋଗୁଁ ଗ୍ରାମବାସୀ ଅସନ୍ତୁଷ୍ଟ ପ୍ରକାଶ କରି ବିରୋଧ କରିଛନ୍ତି । ତେବେ ଗ୍ରାମବାସୀଙ୍କ ସହ କିଛି ବ୍ୟକ୍ତି ଗାଳିଗୁଲଜ ସହ ମାଡ଼ପିଟ କରୁଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଆଜି ଗ୍ରାମବାସୀମାନେ ମଟର ସାଇକେଲ ରାଲି କରି ଥାନା ସମ୍ମୁଖରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରିଥିଲେ ଏବଂ ଜିଲ୍ଲାପାଳଙ୍କ ଅଫିସକୁ ଅଭିଯୋଗ କରିବା ପାଇଁ ଯାଇଥିବା ବେଳେ ଟ୍ରକମାଲିକ ମାନେ ମଧ୍ୟ ଜିଲାପାଳଙ୍କୁ ଦାବୀ ପତ୍ର ଦେବାକୁ ଯାଇଥିଲେ । ଯଦ୍ୱାରା ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଓ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା । ଆଉ ଜିଲାପାଳଙ୍କ ଅଫିସ କିଛି ସମୟ ପାଇଁ ଆଖଢ଼ଶାଳ ପାଲଟି ଯାଇଥିଲା । ଏହି ଘଟଣାରେ ଜିଲା ପ୍ରଶାସନ ପକ୍ଷରୁ ଉତ୍ତେଜନାଙ୍କୁ ଶାନ୍ତ କରିବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିଲା । ଯାହାକୁ ବୁଦ୍ଧିଜୀବୀ ମହଲରେ ଜିଲା ପ୍ରଶାସନର କାର୍ଯ୍ୟଦକ୍ଷତାକୁ ନେଇ ଦୃଢ଼ ନିନ୍ଦା କରିଥିବା ଜଣାଯାଇଛି । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ଜରାସିଂହା ଗାଁ ରାସ୍ତା ଦେଇ ପ୍ରତିଦିନ ୬ଶହରୁ ୭ଶହ ଟ୍ରକଯୋଗେ ହିଙ୍ଗୁଳା ମାଇନ୍ସକୁ କୋଇଲା ପରିବହନ ହେଉଛି । ଯଦ୍ୱାରା ପରିବେଶ ପ୍ରଦୂଷଣ ସହ ଧୂଳି ଧୁଆଁ ଯୋଗୁଁ ଲୋକମାନେ ଅଣନିଶ୍ୱାସି ହୋଇପଡ଼ିଛନ୍ତି । ଅପରପକ୍ଷେ ଗୁରୁତର ଟ୍ରାଫିକ ସମସ୍ୟା ଯୋଗୁଁ ବାରମ୍ବାର ଦୁର୍ଘଟଣା ମଧ୍ୟ ଘଟୁଛି । ଏ ନେଇ କିଛି ଦିନ ପୂର୍ବରୁ ଜିଲ୍ଲା ପ୍ରଶାସନକୁ ଅବଗତ କରାଯାଇଥିଲା । ଫଳରେ ଉପଜିଳ୍ଲାପାଳଙ୍କ ତତ୍ତ୍ୱାବଧାନରେ ଏକ ବୈଠକରେ କୋଇଲା ପରିବହନ ହେବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଥିଲା । ମାତ୍ର କୋଇଲା ପରିବହନ ଜାରି ରହିଥିବା ଯୋଗୁଁ ଲୋକମାନେ ଏହାକୁ ବିରୋଧ କରିଥିଲେ । ଫଳରେ ଟ୍ରକ ମାଲିକ ଓ ଗ୍ରାମବାସୀ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା ଏବଂ ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ଗାଁର କିଛି ଚାଷୀ ବଜାରକୁ ପରିବା ବିକି ଆଣୁଥିବାବେଳେ ସେମାନଙ୍କୁ ନାନା ପ୍ରକାର ହଇରାଣ ହରକତ କରାଯାଉଛି । ଏ ନେଇ ଆଜି ଥାନାରେ ଅଭିଯୋଗ କରିବାକୁ ଆସିବା ସହ ଜିଲ୍ଲାପାଳଙ୍କ ଅଫିସକୁ ଯାଇଥିବା ବେଳେ ସେଠାରେ ଜିଲାପାଳଙ୍କୁ ଦାବୀପତ୍ର ଦେବାକୁ ଆସିଥିବା ଟ୍ରକ ମାଲିକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇ ମୁହାଁମୁହିଁ ପର୍ଯ୍ୟନ୍ତ ପଳାଇଥିଲା । ଯଦ୍ୱାରା ଜିଲ୍ାପାଳଙ୍କ ଅଫିସ କିଛି ସମୟ ପାଇଁ ଉତ୍ତେଜନା ପରିପୂର୍ଣ୍ଣ ହୋଇପଡ଼ିଥିଲା ।ଏହି ଘଟଣା ସମାଧାନ ପାଇଁ ଉଭୟ ପକ୍ଷ ଦାବୀ କରିଥିଲେ ମଧ୍ୟ ପ୍ରଶାସନ ପୂଜାଋତୁ ପାଇଁ ଆଗକୁ ସମୟ ନେଇଛି । ଏନେଇ ଉପଜିଲାପାଳ ଉଭୟ ପକ୍ଷଙ୍କୁ ଆସନ୍ତା ୨୫ ତାରିଖରେ ଘଟଣାର ସମାଧାନ ପାଇଁ ପ୍ରତିଶୃତି ଦେଇଛନ୍ତି । ତେବେ ଆଗକୁ କିଛି ବଡ଼ ଘଟଣା ଘଟିବା ସମ୍ଭାବନାକୁ ଏଡ଼ାଇ ଦିଆନଯାଇପାରେ ବୋଲି ବୁଦ୍ଧିଜୀବୀ ମହଲରେ ଆଶଙ୍କା ପ୍ରକାଶ ପାଇଛି ।