ଜାଲ ଟିଡିଆର ମାମଲା : ଜେଲରୁ ମୁକୁଳିବେ ରାଜେନ୍ଦ୍ର

Apr 27, 2018 - 14:37
 193
ଜାଲ ଟିଡିଆର ମାମଲା : ଜେଲରୁ ମୁକୁଳିବେ ରାଜେନ୍ଦ୍ର
କଟକ, ୨୭ ।୪: ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଜାଲ ଟର୍ମ ଡିପୋଜିଟ ରସିପ୍ଟ(ଟିଡିଆର) ପ୍ରସ୍ତୁତ କରି ସରକାରଙ୍କ କୋଟିକୋଟି ଟଙ୍କା ହାନି କରିଥିବା ଅଭିଯୋଗରେ ଗିରଫ ହୋଇଥିବା ସୁପର କ୍ଲାସ ଠିକାଦାର ରାଜେନ୍ଦ୍ର ଅଗ୍ରୱାଲାଙ୍କୁ ପୁଣି ଏକ ମାମଲାରେ ହାଇକୋର୍ଟ ସ୍ର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ୧୫ଲକ୍ଷ ନଗଦ ଜମା ସହ ୫୦ହଜାର ଟଙ୍କା ଲେଖାଁଏ ଦୁଇଜଣ ଜାମିନଦାରଙ୍କ ବଦଳରେ ଜାମିନରେ ଯାଇପାରିବେ ବୋଲି ହାଇକୋର୍ଟ ଜଷ୍ଟିସ ଜେ ପି ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ରାୟରେ ସ୍ପଷ୍ଟ କରିଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ମାନସ ଚାନ୍ଦ ପରିଚାଳନା କରୁଥିଲେ । ତେବେ ଆବେଦନକାରୀଙ୍କୁ ସମସ୍ତ ୭ଟି ମାମଲାରେ ଜାମିନ ମିଳିଯାଇଛି । ଏବେ ତାଙ୍କ ପକ୍ଷେ ଜେଲରୁ ମୁକୁଳିବା ସମ୍ଭବ ହୋଇଛି । ମାମଲାର ବିବରଣୀରୁ ପ୍ରକାଶ ଯେ ସୁପର କ୍ଲାସ ଠିକାଦାର ରାଜେନ୍ଦ୍ର ଅଗ୍ରୱାଲା ଓ ତାଙ୍କ ପୁଅ ସ୍ପେଶାଲ କ୍ଲାସ ଠିକାଦାର ବଣ୍ଟି ଅଗ୍ରୱାଲା ଭବାନୀପାଟଣାରେ ସୁରଜ ଏଣ୍ଟରପ୍ରାଇଜର ନାଁରେ ଏକ ଟେଣ୍ଡର ହାତେଇଥିଲେ । ତେବେ ଜାଲ ଟିଡିଆର ଦେଇ ୨.୫କୋଟି ଟଙ୍କା ସରକାରଙ୍କ କ୍ଷତି କରିଥିଲେ । ଭବାନୀ ପାଟଣା ନିର୍ବାହୀ ଯନ୍ତ୍ରୀଙ୍କ ଏତଲାକ୍ରମେ ପୁଲିସ ଆବେଦନକାରୀଙ୍କ ସମେତ ସ୍ପେଶାଲ କ୍ଲାସ ଠିକାଦାର ତଥା ତାଙ୍କ ପୁଅ ବଣ୍ଟି ନାଁରେ ମାମଲା ରୁଜୁ କରିଥିଲା । ଏଠାରେ ସୂଚନାଯୋଗ୍ୟ ପୁଲିସ ପକ୍ଷରୁ ବଣ୍ଟି ନାମରେ ୧୧ଟି ମାମଲା ରୁଜୁ ହୋଇଥିବାବେଳେ ରାଜେନ୍ଦ୍ରଙ୍କ ନାମରେ ୭ ଓ ବୋହୂ ସବିତା ନାଁରେ ୩ଟି ମାମଲା ଦାୟର ହୋଇଥିଲା ।