ଚେତାବନୀରେ କଣ ସମସ୍ୟା ସମାଧାନ ହେବ ?

Sep 9, 2018 - 17:50
 326
ଚେତାବନୀରେ କଣ ସମସ୍ୟା ସମାଧାନ ହେବ ?
କଟକ,୯ା୯(ସକାଳଖବର): ଏବେ ଚାଲିଛି ଶିକ୍ଷକ ଆନେ୍ଦାଳନ । ଗୁରୁ ଦିବସ ହେଲା କଳା ଦିବସ । ଶିକ୍ଷାନୁଷ୍ଠାନରେ ପାଠପଢ଼ା ବନ୍ଦ । କାର୍ଯ୍ୟାନୁଷ୍ଠାନର ଧମକ ଦେଇଛନ୍ତି ଶିକ୍ଷା ସଚିବ । ଏହା ଏକ ବିଚିତ୍ର ପରିସ୍ଥିତି । ସଚିବଙ୍କ ଚେତାବନୀ ‘କେତେ ପୁଲିସ ଗଲେଣି ସେଇ ଫାଣ୍ଡି ପଡ଼ିଛି’ ସଦୃଶ । ବାସ୍ତବରେ ଶିକ୍ଷକମାନଙ୍କ ଆନେ୍ଦାଳନର କାରଣକୁ ସଚିବ ବା ସରକାର ଯିବା ପାଇଁ ଉଦ୍ୟମ କରୁନାହାଁନ୍ତି । ବିଗତ ବର୍ଷଗୁଡ଼ିକରେ ପ୍ରାଥମିକ ବିଦ୍ୟାଳୟଠାରୁ ଆରମ୍ଭ କରି ମାଧ୍ୟମିକ ଓ ମହାବିଦ୍ୟାଳୟରେ ବିଭିନ୍ନ କିସମ ଶିକ୍ଷକ ନିଯୁକ୍ତିକୁ ସରକାର ଅନୁମୋଦନ କରିଛନ୍ତି । ଏହା ରାଜନୈତିକ ବାଧ୍ୟବାଧକତା ହୋଇପାରେ ବା କଳ୍ୟାଣକାରୀ ରାଷ୍ଟ୍ରର ଦାୟିତ୍ୱ ହୋଇପାରେ । ଏହି ବାଧ୍ୟବାଧକତାର ମଞ୍ଜି ଏବେ ଦ୍ରୁମ ହୋଇଛି । ଏହାର ମୂଳୋପôାଟନ ପାଇଁ ଉଦ୍ୟମ କରାଯିବା ଆବଶ୍ୟକ । ପ୍ରାଥମିକ ଶିକ୍ଷକଙ୍କ ପାଇଁ ସରକାର ଯେତେବେଳେ ସର୍ବନିମ୍ନ ଯୋଗ୍ୟତା ଆଇଏ, ସିଟି କଲେ ସେତେବେଳେ ସେହି ହାରରେ ଦରମା ଦେବା ପାଇଁ ପ୍ରସ୍ତୁତ ହେବା ଆବଶ୍ୟକ । ଏଥିପାଇଁ ପ୍ରସ୍ତୁତ ନହୋଇ ଶିକ୍ଷାଗତ ଯୋଗ୍ୟତା ବୃଦ୍ଧି କରିବାର ଆବଶ୍ୟକତା କଣ ଥିଲା ? ଇଏ ଗୋଟିଏ ମାତ୍ର ଉଦାହରଣ । ଏମିତି ବିଭିନ୍ନ କିସମ ଶିକ୍ଷକ ରହିଛନ୍ତି । ସେମାନଙ୍କର ଭିନ୍ନଭିନ୍ନ ଯୁକ୍ତି ରହିଛି । ଅଦାଲତକୁ ଗଲେ ଜଣେ ଶିକ୍ଷକଙ୍କର ସମସ୍ୟା ଯଦି ସମାଧାନ ହୋଇପାରୁଛି ତାହାଲେ ସମାନ ସମସ୍ୟାଭିତ୍ତିକ ଅନ୍ୟ ଶିକ୍ଷକଙ୍କର ସମସ୍ୟା ସେହି ରାୟବଳରେ କାହିଁକି ସମାଧାନ ନହେଉଛି । ଅନୁରୂପ ସମସ୍ୟା ଥିବା ହଜାରେ ଶିକ୍ଷକଙ୍କୁ କାହିଁକି ହଜାରେ ମାମଲା ଦାୟର କରିବାକୁ ପଡ଼ୁଛି ? ଏହାଦ୍ୱାରା କିଏ ଉପକୃତ ହେଉଛନ୍ତି । କେଉଁ ନ୍ୟାୟରେ ଅମିନଙ୍କ ଦରମା ହାର ୯୩୦୦ ହେଲା ? ଯଦି ଅମିନଙ୍କ ଦରମା ହାର ୯୩୦୦ ହେଲା ସେହି ଅନୁଯାୟୀ ଅନ୍ୟ କ୍ୟାଡ଼ର କର୍ମଚାରୀଙ୍କ ଦରମା ହାର ମଧ୍ୟ ସ୍ଥିରୀକୃତ ହେବା ଆବଶ୍ୟକ । ତେଣୁ ଏଠି ଚେତାବନୀ ଚଳିବ ନାହିଁ । ସମସ୍ୟାର ସମାଧାନ ମାର୍ଗକୁ ସରକାର ଆସିବାର ଆବଶ୍ୟତା ରହିଛି । ଜନତାଙ୍କ ହିତ ପାଇଁ ବଜେଟ ବରାଦ ନଥାଇ ସରକାର ଯେପରି ଯୋଜନା ପ୍ରଣୟନ କରୁଛନ୍ତି ସେହିପରି ଯୋଗ୍ୟତା ଓ କାମ ଭିତ୍ତିରେ ସରକାରୀ କର୍ମଚାରୀଙ୍କୁ ଦରମା ପ୍ରଦାନ ମଧ୍ୟ ସରକାରଙ୍କ ଦାୟିତ୍ୱ ।