ବାର ଓ ବେଞ୍ଚ ମିଳିମିଶି କାମ କରିବା ଉଚିତ-ପ୍ରଧାନ ବିଚାରପତି
କଟକ,୯ା୯(ସକାଳଖବର): ବାର ଓ ବେଞ୍ଚ ମିଳିମିଶି ଏକତ୍ର ଭାବେ କାମ କଲେ, ସମାଜରେ ଲୋକମାନେ ଶାନ୍ତିରେ ସହବସ୍ଥାନ କରିପାରିବେ । ଛୋଟଛୋଟ ଅଯଥା ବିବାଦୀୟ ମାମଲା ମଧ୍ୟ ହ୍ରାସ ପାଇବ । ବିଶେଷକରି ପାରିବାରିକ ବିବାଦ ସଂପର୍କୀତ ମାମଲା ଉପରେ ଗୁରୁତ୍ୱଦେବା ଉଚିତ ବୋଲି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର କହିଛନ୍ତି । ମର୍କତ ନଗର ସେକ୍ଟର-୧ରେ ଥିବା ୨ଏକର ଜମି ଉପରେ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣର ସ୍ଥାୟୀ ଗୃହ ନିର୍ମାଣ ପାଇଁ ଜଷ୍ଟିସ ମିଶ୍ର ଭିତ୍ତିପ୍ରସ୍ତର ସ୍ଥାପନା କରି କହିଲେ ଯେ ଆଇନଜୀବୀମାନେ ନ୍ୟାୟ ସଂଯୋଗ ଜରିଆରେ ଛୋଟଛୋଟ ସମସ୍ୟା ସମାଧାନ ଉପରେ ପଦକ୍ଷେପ ନେବା ଉଚିତ । ନ୍ୟାୟ ପାଇବା ପାଇଁ ସମସ୍ତଙ୍କର ସମ୍ବିଧାନ ଅଧିକାର ରହିଛି ବୋଲି ଜଷ୍ଟିସ ମିଶ୍ର କହିଛନ୍ତି । ସମାଜରେ ଲୋକମାନେ ନ୍ୟାୟ ପାଇବା ଉଚିତ । ତେବେ ନ୍ୟାୟ ପ୍ରଦାନ କରିବା ଲକ୍ଷ୍ୟ ନେଇ ୨୦୧୭ମସିହାରେ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ କାର୍ଯ୍ୟାଳୟରେ ନ୍ୟାୟ ସଂଯୋଗ ବ୍ୟବସ୍ଥା ହୋଇଥିଲା । ଉକ୍ତ ବ୍ୟବସ୍ଥା ମାଧ୍ୟମରେ ଲୋକମାନଙ୍କୁ ଆଇନ ସହାୟତା ଯୋଗାଇଦେବା ଉଚିତ ବୋଲି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି କହିଛନ୍ତି । ସମାଜରେ ନ୍ୟାୟ ପାଉନଥିବା ଲୋକମାନଙ୍କୁ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀମାନେ ଆଇନ ସହାୟତା ଯୋଗାଇ ଦେବା ଉଚିତ । ତେବେ ଏହି ବିଦ୍ୟାର୍ଥୀମାନଙ୍କୁ ଏଥିରେ ସାମିଲ କରାଯାଇ ସେମାନଙ୍କୁ ଆଇନ ସଂପର୍କରେ ଶିକ୍ଷା ପ୍ରଦାନ କରାଯିବା ଆବଶ୍ୟକ ରହିଛି ବୋଲି ଜଷ୍ଟିସ ମିଶ୍ର କହିଛନ୍ତି । ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ସଚିବ ବାଳକୃଷ୍ଣ ମହାପାତ୍ର ପ୍ରାରମ୍ଭିକ ସୂଚନା ଦେବା ପରେ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ କେ ଏସ ଝାଭେରୀ କହିଥିଲେ ଯେ ନ୍ୟାୟ କ୍ଷେତ୍ରରେ ନୂତନ ପ୍ରଣାଳୀ ମାଧ୍ୟମରେ ନୂତନ ଅଧ୍ୟାୟ ଆସିଛି । ଲୋକମାନଙ୍କୁ ଆଇନ ସହାୟତା ଯୋଗାଇ ଦେବା ପାଇଁ ୫ହଜାର ପାରା ସ୍ୱେଚ୍ଛାସେବୀ ରହିଥିବାବେଳେ ୩୬ଶହ ପାନେଲ ଆଇନଜୀବୀ ନିୟୋଜିତ ହୋଇଛନ୍ତି । ଜେଲ ମଧ୍ୟରେ ବନ୍ଦୀ ଜୀବନଯାପନ କରୁଥିବା କଏଦୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ କାର୍ଯ୍ୟ ଚାଲୁଛି ବୋଲି ଦର୍ଶାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଧିକରଣର କାର୍ଯ୍ୟ ନିର୍ବାହୀ ଅଧ୍ୟକ୍ଷ ଜଷ୍ଟିସ୍ ଇନ୍ଦ୍ରଜିତ ମହାନ୍ତି ଓ ହାଇକୋର୍ଟ ଆଇନ ସେବା କମିଟି ଅଧ୍ୟକ୍ଷା କୁମାରୀ ଜଷ୍ଟିସ ସଞ୍ଜୁ ପଣ୍ଡା ଅଭିଭାଷଣ ପ୍ରଦାନ କରିଥିଲେ । ସେହିପରି ଗରିବ ଓ ଅସହାୟ ଲୋକମାନଙ୍କୁ ନ୍ୟାୟ ପ୍ରଦାନ ଆଭିମୁଖ୍ୟ ନେଇ ୩୦ଟି ଜିଲ୍ଲାରେ ନୂତନ ଭାବେ ନ୍ୟାୟ ସଂଯୋଗ କାର୍ଯ୍ୟକ୍ରମ ଆଜିଠୁ ଆରମ୍ଭ ହୋଇଛି । ଏଥିସହ ରାଜ୍ୟରେ ପ୍ରାୟ ୭୪୬ ହାଇସ୍କୁଲରେ ଆଇନ ସାକ୍ଷରତା କ୍ଲବ ଚାଲୁଥିବାବେଳେ ପ୍ରାଥମିକ ପର୍ଯ୍ୟାୟରେ ୧୫୦ ହାଇସ୍କୁଲରେ କମ୍ପୁ୍ୟଟର ସହ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇ ଦିଆଯାଇଛି । ଏହି କାର୍ଯ୍ୟକ୍ରମକୁ ମଧ୍ୟ ପ୍ରଧାନ ବିଚାରପତି ଜଷ୍ଟିସ ମିଶ୍ର ଇ-ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଝାଡ଼ଖଣ୍ଡ ହାଇକୋର୍ଟ ଅବସରପ୍ରାପ୍ତ ମୁଖ୍ୟ ବିଚାରପତି ଜଷ୍ଟିସ ପ୍ରଦୀପ କୁମାର ମହାନ୍ତିଙ୍କୁ ସମ୍ମାନିତ କରାଯାଇଥିବାବେଳେ ହାଇକୋର୍ଟ ବିଚାରପତି, ଅବସରପ୍ରାପ୍ତ ବିଚାରପତି, ଜିଲା ଜଜ, ଆଇନଜୀବୀ ପ୍ରମୁଖ ଉପସ୍ଥିତ ଥିଲେ ।