କାଳ ବୈଶାଖୀ ପ୍ରଭାବରେ କୁଆ ପଥର ବର୍ଷା

Apr 15, 2019 - 04:32
 136
କାଳ ବୈଶାଖୀ ପ୍ରଭାବରେ କୁଆ ପଥର ବର୍ଷା
ଭଦ୍ରକ, ୧୩/୪(ସକାଳଖବର): ଭଦ୍ରକ ଜିଲା ଆରଡି ଅଂଚଳରେ ଗତ ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ ୧୨ଟା ସମୟରେ କାଳ ବୈଶାଖୀ ରଚିଥିଲା ତାର ତାଣ୍ଡବ । ଯାହାର ପ୍ରଭାବରେ ଝଡତୋଫାନ ସାଙ୍ଗକୁ ବର୍ଷିଥିଲା କୁଆ ପଥର । ଦୀର୍ଘ ସମୟ ଧରି ଝଡ ତୋଫାନ ଲାଗି ରହିବା ସହ ବଡବଡ କୁଆ ପଥର ମାଡରେ କ୍ଷତି ଘଟିଥିଲା ଛପରଘର ସମେତ ଆଜେବଷ୍ଟ ଘର ଗୁଡିକ । ଅନ୍ୟପଟେ ଏହି ଚାଷୀମାନେ କରିଥିବା ଖରାଟିଆ ଚାଷ ଡାଳୁଅ ଧାନର ଥୋଡ ବାହାରିଥିବାରୁ କୁଆ ପଥର ବର୍ଷାରେ ବହୁ ପରିମାଣରେ କ୍ଷତି ଘଟିଥିବା ଚାଷୀମାନେ ପ୍ରକାଶ କରିଛନ୍ତି । ସେହିପରି ବଡବଡ ଗଛରୁ ଡାଳ ଭାଙ୍ଗି ବିଭିନ୍ନ ସ୍ଥାନରେ ପଡିଥିବାରୁ ଭଦ୍ରକ-ଆଖଣ୍ଡଳମଣି ମୁଖ୍ୟ ରାସ୍ତା କିଛି ସମୟ ପାଇଁ ଯାତାୟତ ଠପ ହୋଇଯାଇଥିବା ବେଳେ ପଣା ସଂକ୍ରାନ୍ତି ନିମନ୍ତେ ବିଭିନ୍ନ ଦେବାଦେବୀଙ୍କ ପୀଠରେ ନିର୍ମାଣ ହୋଇଥିବା ତୋରଣ ଭୁଷୁଡି ପଡିଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ କୁଆପଥରର ପରିମାଣ ଏପରିଥିଲା ଯାହାକି ଗଛରୁ କଂଚାପତ୍ର ସବୁ ଝଡାଇ ପକାଇଥିଲା । ଝଡତୋଫାନ ଓ କୁଆପଥର ବର୍ଷା ଦୀର୍ଘ ସମୟ ଧରି ଲାଗି ରହିବା ଫଳରେ ଆରଡି, ନାନ୍ଦପୁର, ପହଣା, ତଳଦୁମୁକା, ବାଙ୍କମୁଆଁ, ଦୋହରାପାଟଣା, କୁଳେଇପଦା ଆଦି ଘାର ଶତାଧିକ ଚାଷୀଙ୍କ କ୍ଷତରେ ବହୁ ପରିମାଣର ଡାଳୁଅ ଧାନ ଥୋଡ ନଷ୍ଟ ହୋଇଥିବା ଚାଷୀ ନିରାକାର ପଲାଇ, ରାମଚନ୍ଦ୍ର ଦାସ, ଭିକାରୀ ଦାସ ପ୍ରମୁଖ ପ୍ରକାଶ କରିଛନ୍ତି । ଏପରି ଗଟଣା ଘଟିବା ପରେ ଚାଷୀ ଋଣ ପରିଷୋଧ ନିମନ୍ତେ ଚିନ୍ତାରେ ମୁଣ୍ଡରେ ହାତ ଦେଇ ବସିଛି । ଏପରି କ୍ଷୟକ୍ଷତିର କୃଷି ବିଭାଗ ଓ ପ୍ରଶାସନ ପକ୍ଷରୁ ଅନୁଧ୍ୟାନ କରାଯିବା ସହ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ସହୟତା ପ୍ରଦାନ କରିବା ପାଇଁ ଚାଷୀମାନେ ପ୍ରକାଶ କରିଛନ୍ତି ।