ଚନ୍ଦ୍ରଭାଗାରେ ବୁଡ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ
ଭୁବନେଶ୍ୱର, ୧୨/୨(ସକାଳଖବର): ପବିତ୍ର ମାଘ ସପ୍ତମୀ ଉପଲକ୍ଷେ କୋଣାର୍କ ଚନ୍ଦ୍ରଭାଗାଠାରେ ଲକ୍ଷାଧିକ ଶ୍ରଦ୍ଧାଳୁ ବୁଡ ପକାଇବା ସହ ଉଦିତ ସୂର୍ଯ୍ୟଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ ଏବଂ ଆଶୀର୍ବାଦ ଭିକ୍ଷା କରିଥିଲେ । ପୋଲିସ୍ ପକ୍ଷରୁ ଶାନ୍ତିି ଶୃଙ୍ଖଳା ରକ୍ଷା ଓ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣକରାଯାଇଥିଲା । ବୁଡ଼ ପକାଇବା ପାଇଁ ଗତକାଲି ଠାରୁ କୋଣାର୍କରେ ଶ୍ରଦ୍ଧାଳୁ ମାନଙ୍କର ସମାଗମ ହୋଇଥିଲା । ସୂର୍ଯ୍ୟଦେବଙ୍କୁ ପୂଜା କରି ନିଜର ଓ ପରିବାର ଆରୋଗ୍ୟ ଜୀବନ କାମନା କରିଥିଲେ । ଓଡିଶାର କୋଣ ଅନୁକୋଣରୁ ଆସିଥିବା ସାଧୁସନ୍ଥ ମାନେ ସମୁଦ୍ରରେ ବୁଡ ପକାଇ ଯଜ୍ଞ ଓ ପ୍ରବଚନ କରିଥିଲେ ।
ହିନ୍ଦୁ ବିଶ୍ୱାସ ଅନୁଯାୟୀ, ଏହି ମାଘ ମାସ ସପ୍ତମୀ ତିଥିରେ ଅଦିତିଙ୍କ ଗର୍ଭରୁ ସୂର୍ଯ୍ୟଦେବ ଜନ୍ମ ଗ୍ରହଣ କରିଥିବାରୁ ତାଙ୍କୁ ଆଦିତ୍ୟ କୁହାଯାଏ । ତେଣୁ ଏହି ଦିନ ରୋଗଗ୍ରସ୍ତ ବ୍ୟକ୍ତି ସୂର୍ଯ୍ୟ ପୂଜା କଲେ ରୋଗଶୋକରୁ ମୁକ୍ତ ହୋଇଥାନ୍ତି ବୋଲିି ବିଶ୍ୱାସ ରହିଛି । ଏହି ଲୋକ ବିଶ୍ୱାସ ଅନୁଯାୟୀ, ମଙ୍ଗଳବାର ପ୍ରତ୍ୟୁଷରୁ ରାଜ୍ୟ ସହିତ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ପ୍ରାୟ ୩ ଲକ୍ଷ ଶ୍ରଦ୍ଧାଳୁ ଚନ୍ଦ୍ରଭାଗା ସ୍ନାନ କରିଛନ୍ତି ।
ପ୍ରଚଳିତ ଚଳଣି ଓ ପରମ୍ପରା ଅନୁଯାୟୀ, ମାଘ ଷଷ୍ଠୀ ରାତ୍ରୀରେ ମାଧିପୁରର ତ୍ରିବେଣୀଶ୍ୱର ମହାଦେବ, ସନ୍ଥପୁରର ଐଶାନ୍ୟଶ୍ୱର ମହାଦେବ ଓ କୁରୁଜଙ୍ଗର ଦକ୍ଷିଣେଶ୍ୱର ମହାଦେବ ଶୋଭାଯାତ୍ରାରେ ବାହାରି କୋଣାର୍କ ଏନ୍ଏସି ପଡ଼ିଅ ।ରେ ପହଂଚିଥିଲେ ସେଠାରେ ତିନି ଠାକୁରଙ୍କୁ ଭୋଗ ଲାଗି କରାଯିବା ପରେ ତିନି ଠାକୁର ବିଶାଳ ଶୋଭାଯାତ୍ରାରେ ଚନ୍ଦ୍ରଭାଗା ତୀର୍ଥ ମଣ୍ଡପ ଉଦେ୍ଧଶ୍ୟରେ ବାହାରିଥିଲେ । ପରେ ଭୋର ୪ଟା ୩୦ ମିନିଟରେ ଶ୍ରଦ୍ଧାଳୁମାନ ଚନ୍ଦ୍ରଭାଗାରେ ବୁଡ଼ ପକାଇଥିଲେ ।
ଅନ୍ୟପକ୍ଷରେ ଆଜିଠାରୁ ରାଜଧାନୀ ଖଣ୍ଡଗିରି ପାଦଦେଶରେ ମାଘ ସପ୍ତମି ମେଳା ଆରମ୍ଭ ହୋଇଛି । ବାରଭୁଜା ଠାକୁରାଣୀଙ୍କ ନିକଟରେ ଓଡିଶା ତଥା ଓଡିଶା ବାହାରୁ ଆସିଥିବା ସାଧୁସନ୍ଥ ମାନେ ଯଜ୍ଞ କରିଥିଲେ । ଖଣ୍ଡଗିରିରେ ପୂଜା ପାଉଥିବା ପ୍ରଭୂ ଅନନ୍ତକେଶରୀଙ୍କୁ ଉଦୟଗିରି ନିଆଯାଇଛି । ଅପରପକ୍ଷରେ ଖଣ୍ଡଗିରି ମହୋତ୍ସବ ୧୨ , ୧୩ ଓ ୧୪ ତାରିଖ ୩ ଦିନ ଅନୁଷ୍ଠିତ ହେବ ।