ଗାଡି ଚାଳକଙ୍କଠୁ ଆଦାୟ ଜୋରିମାନା ଟଙ୍କା ଫେରାଅ : ବିରୋଧୀ

Sep 11, 2019 - 07:14
 150
ଭୁବନେଶ୍ୱର,୧୦/୯(ସକାଳଖବର): କାଳିଆ ଟଙ୍କା ଭଳି ଗାଡି ଚାଳକ ମାନଙ୍କ ଠାରୁ ଆଦାୟ କରାଯାଇଥିବା ଜୋରିମାନା ଟଙ୍କା ସମ୍ପୃକ୍ତ ଚାଳକମାନଙ୍କୁ ଫେରାଇ ଦେବାକୁ ଉଭୟ ବିଜେପି ଓ କଂଗ୍ରେସ ଦାବି କରିଛନ୍ତି । କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ଜୋରିମାନା ଆଦାୟ ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଲୋକମାନଙ୍କୁ ସଚେତନ ନକରାଇ , ସମୟ ନଦେଇ ହଠାତ୍ କେନ୍ଦ୍ରୀୟ ଆଇନ୍ କୁ ଲାଗୁ କରିବା ଏବଂ ଜୋରିମାନା ପରିମାଣ ହ୍ରାସ ନକରିବା ନେଇ ସବୁଆଡେ ଅସନ୍ତୋଷ ଦେଖାଦେଇଛି । ଗାଡି ଚାଳକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି କରିଛି । ସେ କହିଛନ୍ତି ଯେ ଜୋରିମାନା କରିବାକୁ କେହି ବିରୋଧ କରୁନାହାନ୍ତିି । କିନ୍ତୁ ଲୋକ ଜୋରିମାନା ଦେଲାଭଳି କ୍ଷମତା ରହିବା ଦରକାର । ବର୍ତମାନ ରାଜଧାନୀରେ ଡ୍ରାଇଭିଂ ଲାଇସେନ୍ସ , ପଲ୍ୟୁସନ ସାର୍ଟିଫିକେଟ୍ ଆଦି ପାଇଁ ଘଂଟା ଘଂଟା ଧରି ଲାଇନ୍ ଲଗାଇବାକୁ ପଡିଛି । ସେଥିପାଇଁ ରାଜ୍ୟ ସରକାର ଅଧିକ କାଉଂଟର ଖୋଲିବାକୁ ପଦକ୍ଷେପ ନିଅନ୍ତୁ । ସେହିପରି କଲେଜ ଓ ୟୁନିଭର୍ସିଟି ଛାତ୍ରଛାତ୍ରୀଙ୍କୁ ଲାଇସେନ୍ସ ଦେବାପାଇଁ ପରିବହନ କର୍ମଚାରୀ ମାନେ ଶିକ୍ଷାନୁଷ୍ଠାନ ଗୁଡିକୁ ଯିବା ଉଚିତ୍ । ଏହା କଲେ ଭିଡ କମିବ ଓ ଲୋକଙ୍କ ସମସ୍ୟା ଦୂର ହେବ । ସେହିପରି ବିଜେପି ବିଧାୟକ ଲଳିତେନ୍ଦୁ ମହାପାତ୍ର କହିଛନ୍ତି ଯେ କେନ୍ଦ୍ରୀୟ ଆଇନ୍ ରେ ନିୟମାବଳୀ ଲାଗୁ କରିବାର ଦାୟିତ୍ୱ ହେଉଛି ରାଜ୍ୟ ସରକାରଙ୍କର । ସେ ଦିଗରେ ଦୃଷ୍ଟି ଦେଇ ଜୋରିମାନା କମାଇ ଗାଡି ଚାଳକ ମାନଙ୍କୁ ଆଶ୍ୱସ୍ତି ଦିଅନ୍ତୁ । କାଗଜପତ୍ର ଠିକ୍ କରିବା ପାଇଁ ଅଧିକ ଦିନ ସମୟ ଦିଆଯାଉ ବୋଲି ସେ ଦାବି କରିଛନ୍ତି ।