ଶ୍ରୀମନ୍ଦିର ଆଇନ ଢାଂଚାରେ ଲିଙ୍ଗରାଜଙ୍କ ଆଇନ ପ୍ରସ୍ତୁତ ହେବ : ଆଇନ ମନ୍ତ୍ରୀ

Sep 11, 2019 - 07:15
 142
ଭୁବନେଶ୍ୱର, ୧୦/୯(ସକାଳଖବର): ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଆକ୍ଟ ଢାଂଚାରେ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିର ପରି·ଳନା ପାଇଁ ଏକ ଆକ୍ଟ ଖୁବ୍ ଶୀଘ୍ର ପ୍ରଣୟନ କରାଯିବ ବୋଲି ପଂଚାୟତିରାଜ ଓ ପାନୀୟ ଜଳ, ଆଇନ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ପ୍ରକାଶ କରିଛନ୍ତି । ମଙ୍ଗଳବାର ଲୋକସେବା ଭବନରେ ଅନୁଷ୍ଠିତ ଏକ ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ଜେନା ଉପରୋକ୍ତ ମର୍ମରେ ଏହା କହିଛନ୍ତି । ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିର ପୁରୀ ଶ୍ରୀମନ୍ଦିର ସମସାମୟିକ ହୋଇଥିବାରୁ ଏପରି ଆକ୍ଟ ପ୍ରଣୟନର ଆବଶ୍ୟକତା ରହିଛି ବୋଲି ବିଜ୍ଞାନ ଓ କାରିଗରୀ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ବୈଠକରେ ମତ ଦେଇଥିଲେ । ଏଥି ସହ ଟ୍ରଷ୍ଟ ବୋର୍ଡର ପୁନର୍ଗଠନ କରିବା, ଆକ୍ଟ ପ୍ରସ୍ତୁତି ପାଇଁ ଟ୍ରଷ୍ଟବୋର୍ଡ ଆଇନ ବିଭାଗକୁ ଦେବୋତର କମିଶନଙ୍କ ମାଧ୍ୟମରେ ପ୍ରସ୍ତାବ ଦେବେ । ମନ୍ଦିର ଆକ୍ଟ ସମ୍ବନ୍ଧରେ ଯଥେଷ୍ଟ ଅଭିଜ୍ଞତା ରହିଥିବା ଆଇନଜ୍ଞମାନଙ୍କୁ ସଂପୃକ୍ତ କରି ଏକ କମିଟି ଗଠନ କରିବା ଉପରେ ମନ୍ତ୍ରୀ ଶ୍ରୀ ପଣ୍ଡା ପରାମର୍ଶ ଦେଇଥିଲେ । ମନ୍ଦିର ଚତୁଃପାଶ୍ୱର୍ରୁ ଜବରଦଖଲ ଉଚ୍ଛେଦ, ପୁରାତତ୍ୱ ବିଭାଗ ଦ୍ୱାରା ରକ୍ଷଣାବେକ୍ଷଣ, ମାର୍କେଟ କମ୍ପ୍ଲେକ୍ସ ସମ୍ବନ୍ଧିତ ସମସ୍ୟାର ସମାଧାନ, ବ୍ୟାଖ୍ୟାନ କେନ୍ଦ୍ର ସମ୍ମୁଖର ବିକାଶ ଓ ଦେବୀ ପାଦହରା ପୁଷ୍କରିଣୀର ଉନ୍ନୟନ ପାଇଁ ସବିଶେଷ ପ୍ରକଳ୍ପ ବିବରଣୀ ପ୍ରସ୍ତୁତ ହୋଇସାରିଥିବା କଥା ବୈଠକରେ ଆଲୋଚିତ ହୋଇଥିଲା । ଘଟଗାଁ ତାରିଣୀ ମନ୍ଦିର କମିଟି ଓ ରେମୁଣା କ୍ଷୀରେ·ରା ଗୋପୀନାଥ ମନ୍ଦିରର ଟ୍ରଷ୍ଟ ବୋର୍ଡର ସଂପୂର୍ଣ୍ଣ ପୁନର୍ଗଠନ ଓ ବିଭିନ୍ନ ସମସ୍ୟା ସଂପର୍କରେ ଦେବୋତର ବିଭାଗ ଦ୍ୱାରା ତଦନ୍ତ କରିବା ପାଇଁ ବୈଠକରେ ନିଷ୍ପତି ହୋଇଥିଲା । ଏହି ବୈଠକରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଶ୍ରୀ ବଦ୍ରିନାରାୟଣ ପାତ୍ର, ରେମୁଣା ବିଧାୟକ ଶ୍ରୀ ସୁଧାଂଶୁ ଶେଖର ପରିଡ଼ା, ରାଜ୍ୟ ଆଇନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଶଶୀକାନ୍ତ ମିଶ୍ର, ଦେବୋତର କମିଶନର ଶ୍ରୀ ଚିତରଞ୍ଜନ ମହାପାତ୍ର, ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅରୁଣ କୁମାର ବେହେରା, ମନ୍ଦିର ନିର୍ବାହୀ ଅଧିକାରୀ ଶ୍ରୀ ପ୍ରଦୀପ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।