କୋର୍ଟ ହାଜତରୁ ଫେରାର ହତ୍ୟା ଅଭିଯୁକ୍ତ ଝସକେତନ ଗିରଫ

Jan 6, 2019 - 18:13
 200
କୋର୍ଟ ହାଜତରୁ ଫେରାର ହତ୍ୟା ଅଭିଯୁକ୍ତ ଝସକେତନ ଗିରଫ
ଅନୁଗୋଳ,୬/୧(ସକାଳଖବର): ବହୁ ଚର୍ଚ୍ଚିତ କୁଶକିଳା ହତ୍ୟାକାଣ୍ଡର ଦୁର୍ଦ୍ଧାନ୍ତ ହତ୍ୟା ଅଭିଯୁକ୍ତ ତଥା କୋର୍ଟ ହାଜତର ଫେରାର ଆସାମୀ ଝସକେତନ ରାଉତ ( ଝସ) କୁ ପୁଣି ବାନ୍ଧିଲା ପୋଲିସ ।ଗତବର୍ଷ ମେ ୧୮ ତାରିଖ ଦିନ ହୁଗୁଳା ସୁରକ୍ଷା ବଳୟକୁ ଭେଦି ଅନୁଗୋଳ କୋର୍ଟ ପରିସରରୁ ସେ ଚମ୍ପଟ୍ ମାରିଥିଲ ଝସକେତନା । ଦୀର୍ଘ ୭ ମାସ ପରେ ଦେବଗଡ଼ ଥାନା ସାନ୍ତରାପଲ୍ଲୀ ଇଲାକାରୁ ଅନୁଗୋଳ ଜିଲା ପୁଲିସ ତାକୁ ଗିରଫ କରିଛି । ଏନେଇ ଆଜି ଅପରାହ୍ନ ୪ଟା ବେଳେ ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲା ଆରକ୍ଷୀ ଅଧିକ୍ଷକ ମିତ୍ରଭାନୁ ମହାପାତ୍ର ସୂଚନା ଦେଇଛନ୍ତି ।ସୂଚନା ଯେ, କୋର୍ଟ ହାତଜରୁ ଫେରାର ହେବା ପରେ ଝସ ସିଧା ବୁଢ଼ୀଠାକୁରାଣୀ ଛକ ଦେଇ ଅଟୋ ଯୋଗେ ଫେରାର ହୋଇଥିଲା । ତାପରେ ନାଲକୋ ଠାରୁ ବସରେ ଭୂବନେଶ୍ୱର ଅଭିମୁଖେ ଯାଇଥିଲା । ଆଉ ନିଜକୁ ସୁରକ୍ଷା ପାଇଁ ଓଡ଼ିଶାରେ ନ ରହି ସିଧା କୋଲକାତା ପଳାଇଥିଲା । ତାପରେ ଗୁଜରାଟ କିଛି ଦିନ ରହଣି ପରେ ପୁଣି ଘର ବାହୁଡ଼ା ହୋଇଥିଲା । କିନ୍ତୁ ଗାଁକୁ ଆସିଲା ନାହିଁ । ବରଂ ସମ୍ବଲପୁର ଜିଲା ନାକଟିଦେଉଳ, ଭାଲିଆଡ଼ିହି, ବିନ୍ଦୁପୁର ଆଦି ଅଞ୍ଚଳରେ ନିଜ ସମ୍ପର୍କୀୟଙ୍କ ଘରେ ଆଶ୍ରୟ ନେଇଥିଲା । ଦୁର୍ଦ୍ଧାନ୍ତ ଝସ ହତ୍ୟା କରିବାରେ ଯେମିତି ଓସ୍ତାତ ପୋଲିସକୁ ଚକ୍ମା ଦେବାରେ ସେମିତି ମାହିର । ଆଉ ଧରାପଡ଼ିବାରୁ ମୁକ୍ତି ପାଇଁ ଏଠି ସେଠି ଦିନ ପରେ ଦିନ କଟାଇ ଚାଲିଥିଲା । ନିଜ ନାଁ ଓ ପରିଚୟ ସର୍ଭିଙ୍କ ଆଗରେ ଗୋପନ ରଖିଥିଲା । ଅନେକ ସମୟରେ ସମ୍ପର୍କୀୟଙ୍କ ଘରୁ ଜିନିଷ ନେଇ ନାକଟିଦେଉଳ ଜଙ୍ଗଲରେ ନିଜେ କରୁଥିଲା ରୋଷେଇ । ସେଠି ଖାଉଥିଲା ଏବଂ ରହୁଥିଲା । ମୁଣ୍ଡରେ ପିନ୍ଧୁଥିଲା ହେଲମେଟ୍ । ସାଥୀରେ ବାଇକ୍ ବି ରଖିଥିଲା । ଲୋକଙ୍କଠାରୁ ନିଜକୁ ଯଥେଷ୍ଟ ଦୁରରେ ରଖୁଥିଲା । ଝସର ହାବଭାବ ନେଇ ସ୍ଥାନୀୟ ଲୋକେ ସନେ୍ଦହ କରିଥିଲେ । ମାସେ ପୂର୍ବରୁ ଅନୁଗୋଳ ପୁଲିସ ଝସ ଉପରେ ନଜର ରଖିଥିଲା । ଏସପି ମିତ୍ରଭାନୁ ମହାପାତ୍ର ଏଥିପାଇଁ ଏସଆଇ ଦୀନକୃଷ୍ଣ ମିଶ୍ରଙ୍କ ନେତୃତ୍ୱରେ ୬ ଜଣିଆ ସ୍ପେସାଲ ସ୍କାଡ଼୍ ଗଠନ କରି ଝସ ପଛରେ ଲଗାଇଥିଲେ ।