ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ମହାରଥି

Jan 6, 2019 - 18:08
 135
ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ମହାରଥି
ଭୁବନେଶ୍ୱର,୬/୧(ସକାଳଖବର): ବାରିପଦାର ଛଉ ପଡ଼ିଆଠାରେ ବିଜେପି ପକ୍ଷରୁ ଆୟୋଜିତ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାଷଣ ଦେଲା ବେଳେ ପୁରୀ ଜିଲ୍ଲା ପିପିଲିର ଅର୍ଜ୍ଜୁନଗୋଦାଠାରେ ଘଟିଥିବା ବେବିନା ଦୁଷ୍କର୍ମ ଏବଂ ହତ୍ୟାକାଣ୍ଡ ଘଟଣା ଉପରେ ଉଦବେଗ ପ୍ରକାଶ କରିଥିଲେ । ଏହାର ପୁନଃ ତଦନ୍ତ ଦାବି କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ ଏହି ମନ୍ତବ୍ୟ ରଖିବା ଏବଂ ବିରୋଧି ଦଳର ଆନେ୍ଦାଳନ ପରେ କୃଷିମନ୍ତ୍ରୀ ଶ୍ରୀ ମହାରଥି ତାଙ୍କ ପଦବୀରୁ ଇସ୍ତଫା ଦେବାକୁ ବାଧ୍ୟ ହୋଇଛନ୍ତି । ତାଙ୍କର ଏହି ଇସ୍ତଫା ପତ୍ରକୁ ସ୍ୱୀକାର କରିବା ସହ ମୁଖ୍ୟମନ୍ତ୍ରୀ ଶ୍ରୀ ମହାରଥିଙ୍କ ଅଧିନରେ ଥିବା କୃଷି, ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ଦାୟିତ୍ୱ ରାଜ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଏବଂ ଅନୁସୂଚିତ ଜାତି ଜନଜାତି ବିଭାଗର ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀଙ୍କୁ ପଂଚାୟତରାଜ ଓ ପାନୀୟ ଜଳ ବିଭାଗ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ଏ ସମ୍ପର୍କରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇଛି । ସୂଚନାଯୋଗ୍ୟ ଯେ, ମହାରଥି ତାଙ୍କ ମନ୍ତବ୍ୟରେ ସତ୍ୟର ଜୟ ହୋଇଛି ଓ ପୀଡ଼ିତାଙ୍କୁ ନ୍ୟାୟ ମିଳିଛି ବୋଲି କହିଥିଲେ । ଏହି ମନ୍ତବ୍ୟକୁ ନେଇ ବିଭିନ୍ନ ବିରୋଧି ଦଳର ମହିଳା ସଂଗଠନ ପକ୍ଷରୁ ବିରୋଧ କରାଯାଇଥିଲା । ତୁରନ୍ତ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେବାପାଇଁ ଦାବି କରିଥିଲେ । ଯଦି ଇସ୍ତଫା ଦେଇ ନାହାନ୍ତି ତାହେଲେ ମୁଖ୍ୟମନ୍ତ୍ରୀ ତାଙ୍କୁ ବରଖାସ୍ତ କରନ୍ତୁ ବୋଲି ଉଲ୍ଲେଖ କରିଥିଲେ । ଏପରିକି ଏହି ଦାବିକୁ ନେଇ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଉଭୟ କୃଷିମନ୍ତ୍ରୀଙ୍କ ବାସଗୃହ ଏବଂ ନବୀନ ନିବାସ ଘର ଆଗରେ ବିକ୍ଷୋଭ ପ୍ରଦର୍ଶନ କରି ଗିରଫ ହୋଇଥିଲା ବେଳେ ମହିଳା କଂଗ୍ରେସ ପକ୍ଷରୁ ଅନୁରୂପ ଭାବେ ନବୀନ ନିବାସକୁ ବିକ୍ଷୋଭ ଓ ଘେରାଉ କରି ଗିରଫ ହୋଇଥିଲେ । ମନ୍ତ୍ରୀ ଶ୍ରୀ ମହାରଥି ଇସ୍ତଫା ଦେବା ଉପରେ ସାମ୍ବାଦିକ ମାନଙ୍କୁ କହିଥିଲେ ଯେ, କାହାର ଚାପରେ ପଡ଼ି ମୁଁ ଇସ୍ତଫା ଦେଇନାହିଁ । ଦଳ ଏବଂ ଦଳୀୟ ସଭାପତିଙ୍କ ଉପରେ ଯେପରି ଚାପ ନ ପଡ଼ୁ ସେଥିପାଇଁ ମୁଁ ଇସ୍ତଫା ଦେଇଛି । ମୁଁ ଜଣେ ବିଜେଡ଼ିର ସଚ୍ଚା କର୍ମୀ । ଏହା ଉପରେ ଆଉ ଅଧିକ କିଛି କହିବାକୁ ମୁଁ ଚାହେଁ ନାହିଁ । ଦଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ମୋର ସମ୍ମାନ ରହିଛି ବୋଲି ସେ କହିଥିଲେ । ଅନ୍ୟପକ୍ଷରେ ମହିଳା କଂଗ୍ରେସର ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ସୁମିତ୍ରା ଜେନା କୃଷିମନ୍ତ୍ରୀଙ୍କ ଇସ୍ତଫା ଉପରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ, ଇସ୍ତଫା ଦେଇଦେଲେ ଯେ, କାମ ସରିଗଲା ତାହା ନୁହେଁ ତାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ । ସିବିଆଇ ତଦନ୍ତ ନିଦେ୍ର୍ଧଶ ଦେବା ପର୍ଯ୍ୟନ୍ତ ଆମେ ଏହି ପ୍ରସଙ୍ଗକୁ ନେଇ ଆନେ୍ଦାଳନକୁ ଚାଲୁ ରଖିବୁ । ଆବଶ୍ୟକ ହେଲେ ପୁନର୍ବାର ମୁଖ୍ୟମନ୍ତ୍ରୀଙ୍କ ଘରକୁ ଯିବୁ । ନତୁବା ରାଜ୍ୟପାଳଙ୍କୁ ଭେଟି ସିବିଆଇ ତଦନ୍ତ ଦାବି କରି ସ୍ମାରକ ପତ୍ର ଦେବୁ ଏବଂ ସିବିଆଇ ଅଫିସ ମଧ୍ୟ ଘେରାଉ କରିବୁ । ଅପରପକ୍ଷରେ ବିଜେପିର ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ, ଏହି ଦୁଃଖଦ ଘଟଣା ଉପରେ ସିବିଆଇ ତଦନ୍ତ କରାଯାଉ ଏବଂ ବେବିନାର ପରିବାରକୁ ସୁରକ୍ଷା ଯୋଗାଇ ଦିଆଯାଉ