ଓଡିଆ ଲୋକଙ୍କ ଆସ୍ଥା ମୋଦିଙ୍କ ଉପରେ ବଢିବ - ଧର୍ମେନ୍ଦ୍ର

Apr 15, 2019 - 06:19
 131
ଭୁବନେଶ୍ୱର, ୧୪/୪(ସକାଳଖବର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୟ କରି ବାରମ୍ବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଅଶ୍ୱୀୟା ଭାବ ପ୍ରକାଶ କରୁଛନ୍ତି । ମୁଖ୍ୟମନ୍ତ୍ରୀ ଇର୍ଷାନ୍ୱିତ ହୋଇ ନରେନ୍ଦ୍ର ମୋଦି କୂଆଡେ ଥିଲେ ଓ ଦିଲ୍ଲୀ ଇଞ୍ଜିନ କେଉଁଠି ଥିଲା ବୋଲି ପ୍ରଶ୍ନ କରୁଛନ୍ତି । ମୋଦିଙ୍କ ଜନପ୍ରିୟତାରେ ଇର୍ଷାନ୍ୱିତ ହୋଇ ମୁଖ୍ୟମନ୍ତ୍ରୀ ଅନର୍ଗଳ ଭାବେ ଯେତେ ଗାଳି ଦେଲେ, ଓଡିଆ ଲୋକଙ୍କ ଆସ୍ଥା ମୋଦିଙ୍କ ଉପରେ ସେତେ ବଢିବ ବୋଲି ସାମାଜିକ ଗଣମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଇଞ୍ଜିନ କେଉଁଠି ଥିଲା ବୋଲି ଅଭିଯୋଗ ଉପରେ କଡା ଟିପ୍ପଣୀ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ଯେ ଗତ ୩ ବର୍ଷ ପୂର୍ବେ ଭୁବନେଶ୍ୱରର ଏକ ଡାକ୍ତରଖାନାରେ ନିଆଁ ଲାଗିଥିବା ବେଳେ ରାତି ସାଢେ ୧୦ଟାରେ ମୋଦି ନବୀନଙ୍କୁ ନିଦରୁ ଉଠାଇଥିବା ସମସ୍ତେ ଜାଣନ୍ତି । ଲୋକମାନେ ହଇରାଣରେ ଥିବା କଥା ପ୍ରଧାନମନ୍ତ୍ରୀ ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କୁ ସୂଚାଇବା ପରେ ହିଁ ମୁଖ୍ୟମନ୍ତ୍ରୀ କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ କରିଥିଲେ । ଏ ଗୁଡିକ ତଥ୍ୟ ଓ ପ୍ରମାଣ ସହ ସାମାଜିକ ଗଣମାଧ୍ୟରେ ଅଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ନବକଳେବରର ଦାୟିତ୍ୱ କିଏ ନେଇଥିଲା? ୨୦୧୫ ଅପ୍ରେଲ ୧ ଉକ୍ରଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ସାଙ୍ଗରେ ନେଇ କିଏ ରାଉରକେଲା ଯାଇଥିଲା? ଆଇଆଇଟିର ଲୋକାର୍ପଣ ବେଳେ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ସାଙ୍ଗରେ ନେଇ ଯାଇଥିବା ବେଳେ ତାଙ୍କ ସାମ୍ନାରେ ପାଇକବିଦ୍ରୋହ ସ୍ମାରକୀ ପାଇଁ ଜମି ଯୋଗାଇବାକୁ ପ୍ରତିଶ୍ରୁତି ଦେଇ ପାଳନ କରିନି କିଏ ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗୱାରଙ୍କୁ ବରଗଡର ବିକାଶ ପାଇଁ ଯାଇଥିବା ବେଳେ ପୋଲିସର ଉପସ୍ଥିତିରେ ଗୁଣ୍ଡା ମାଧ୍ୟମରେ କିଏ ତାଙ୍କୁ ଟେକା, ପଥର ମାରିଥିଲା? ଦକ୍ଷିଣ ଓ ପଶ୍ଚିମ ଓଡିଶାରେ ଚକଡା ପୋକ ପ୍ରଭାବିତ ସମୟରେ ବରଗଡକୁ କିଏ ଯାଇଥିଲା? ଏହି ସମୟରେ କେନ୍ଦ୍ର କୃଷି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଯାଇଥିଲେ । ମୁଖ୍ୟମନ୍ତ୍ରୀ ଯାଇଥିଲେ କି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଆ ଲୋକଙ୍କୁ ସାମ୍ନା କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସତସାହସ ଓ ନୈତିକତା ନାହିଁ । ଯଦି ମୁଖ୍ୟମନ୍ତ୍ରୀ ବିଜେପୁର ନିର୍ବାଚନ ଲଢୁଛନ୍ତି, ଯଦି ସେ ନିଜ ଭୁଲକୁ ସୁଧାରିବା ପାଇଁ ଚାହୁଁଛନ୍ତି ବା ଓଡିଆ ଲୋକଙ୍କ ପ୍ରତି ତିଳେ ମାତ୍ର ଦରଦ ଥାଏ, ତେବେ ମୃତ ଚାଷୀ ବୃନ୍ଦା ସାହୁଙ୍କ ଘରକୁ ଶଙ୍ଖାରି ଓଡିଆ ଲୋକଙ୍କୁ ଭଲ ପାଇବା କଥା କୁହନ୍ତୁ ।