ଶପଥ ନେଲେ ରୁଦ୍ର

Oct 5, 2021 - 07:07
 80
ଶପଥ ନେଲେ ରୁଦ୍ର
ଭୁବନେଶ୍ୱର: ପିପିଲି ଉପନିର୍ବାଚନରେ ବିଜୟୀ ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ ମଙ୍ଗଳବାର ବିଧାୟକଭାବେ ଶପଥ ଗ୍ରହଣ କରିଛନ୍ତି । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ତାଙ୍କୁ ବିଧାନସଭାରେ ବିଧାୟକଭାବେ ଶପଥ ପାଠ କରାଇଛନ୍ତି । ସୂଚନା ଯୋଗ୍ୟ, ସଦ୍ୟ ସମାପ୍ତ ପିପିଲି ଉପ-ନିର୍ବାଚନରେ ବିଜେଡିରୁ ପ୍ରର୍ଥୀ ହୋଇଥିବା ରୁଦ୍ର ମହାରଥୀ ବିପୁଳ ବିଜୟ ହାସଲ କରିଛନ୍ତି । ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ପ୍ରାୟ ୨୦ ହଜାରରୁ ଊର୍ଦ୍ଧ୍ୱ ଭୋଟରେ ପରାସ୍ତ କରିଛନ୍ତି ରୁଦ୍ର । ପ୍ରଦୀପ ମହାରଥୀଙ୍କ ପରଲୋକ ‌ପରେ ଖାଲି ହୋଇଥିବା ଏହି ଆସନରେ ତାଙ୍କ ପୁଅ ରୁଦ୍ରପ୍ରତାପ ବିଜେଡି ପ୍ରାର୍ଥୀ ହୋଇଥିଲେ । ଗତ ନିର୍ବାଚନ ତୁଳନାରେ ବାପା ସ୍ବର୍ଗତ ପ୍ରଦୀପ ମହାରଥୀଙ୍କଠାରୁ ପ୍ରାୟ ୮ ହଜାର ଅଧିକ ‌ଭୋଟ୍ ପାଇଛନ୍ତି ରୁଦ୍ର । ୨୦୧୯ ନିର୍ବାଚନ ତୁଳନାରେ ବିଜେଡି ଓ ବିଜେପି ଦଳ ଭିତରେ ଭୋଟ୍‌ ବ୍ୟବଧାନ ବି ବଢ଼ିଛି । ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ ୯୬ହଜାର ୯୭୨ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ୭୬ହଜାର ୦୫୬ ଭୋଟ୍‌ ପାଇଛନ୍ତି । କିନ୍ତୁ ଜାତୀୟ ଦଳ କଂଗ୍ରେସ ଅମାନତ ହରାଇଛି । ମାତ୍ର ୪ହଜାର ୨୬୨ ଭୋଟ୍‌ରେ କଂଗ୍ରେସ ପ୍ରାର୍ଥୀ ବିଶ୍ବକେଶନ ହରିଚନ୍ଦନ ମହାପାତ୍ରଙ୍କୁ ସନ୍ତୁଷ୍ଟ ହେବାକୁ ପଡ଼ିଛି ।