ଅନୁଗୋଳରେ ଭିଜିଲାନ୍ସ କୋର୍ଟ ଓ ଫାମିଲି କୋର୍ଟ ଉଦ୍ଘାଟିତ
ଅନୁଗୋଳ୧୯ା୧ (ସକାଳଖବର): ଅନୁଗୋଳ ଜିଲ୍ଲା କୋର୍ଟ ପରିସରରେ ଆଜି ଏକ ଭବ୍ୟ ପରିବେଶ ମଧ୍ୟରେ ଅନୁଗୋଳବାସୀଙ୍କର ବହୁ ଦିନର ଦାବିଥିବା ଭିଜିଲାନ୍ସ କୋର୍ଟ ଓ ଫାମିଲି କୋର୍ଟ ଓଡିଶା ହାଇ କୋର୍ଟର ଜଜ ମାନ୍ୟବର ଜଷ୍ଟିସ ବିଶ୍ୱନାଥ ରଥଙ୍କ କର କମଳରେ ଏକ ସଙ୍ଗରେ ଉଦ୍ଘାଟିତ ହୋଇଯାଇଛି । ଆଜି ପୂର୍ବାହ୍ଲ ୧୧ ଘଟିକା ସମୟରେ ଜଷ୍ଟିସ ଶ୍ରୀ ରଥ ପ୍ରଥମେ କୂଳବୃଦ୍ଧ ମଧୁସୂଦନ ଦାସଙ୍କ ପୂର୍ଣ୍ଣ ଅବୟବ ପ୍ରତିମୂର୍ତିକୁ କୋର୍ଟ ପରିସରରେ ଉନ୍ମୋଚନ କଲାପରେ ବହୁ ପ୍ରତିକ୍ଷିତ ଦୁଇ କୋର୍ଟକୁ ଉଦ୍ଘାଟନ କରିଥିଲେ । ଉଦ୍ଘାଟନ ସମୟରେ ଅନୁଗୋଳ ଜିଲ୍ଲା ଜଜ ଅସାନ୍ତ କୁମାର ଦାସ, ଅନୁଗୋଳ ଜିଲ୍ଲାପାଳ ଅନିଲ କୁମାର ସାମଲ, ସମସ୍ତ ବିଚାରବିଭାଗିୟ ଅଧିକାରୀଗଣ ଓ ଅନୁଗୋଳ ଓକିଲ ସଂଘର ସମସ୍ତ କର୍ମକର୍ତା ଓ ସଭ୍ୟା, ସଭ୍ୟମାନେ ଉପସ୍ଥିତ ଥିଲେ । ପରେ ପରେ କୋର୍ଟ ପରିସରରେ ଏକ ଉଦ୍ଘାଟନୀ ଉତ୍ସବରେ ମୂଖ୍ୟ ଅତିଥିଭାବେ ଯୋଗଦେଇ ଜଷ୍ଟିସ ଶ୍ରୀ ରଥ ଅନୁଗୋଳ ଜିଲ୍ଲା ଜଜ କୋର୍ଟ ସ୍ୱୟଂ ସଂପୁର୍ଣ୍ଣ ହେଲା ବୋଲି ଘୋଷଣା କରିବା ସହ ଅନୁଗୋଳ ଜନସାଧାରଣଙ୍କୁ ବର୍ତମାନ ଶୀଘ୍ର ନ୍ୟାୟ ପ୍ରଦାନ କରିବା ସହ ସେମାନଙ୍କର ଆଉ କୌଣସି ଆଡେ ନ ଦୌଡି ତ୍ୱରିତ ନ୍ୟାୟ ପାଇପାରିବେ ବୋଲି ମତବ୍ୟକ୍ତ କରିଥିଲେ । ଉକ୍ତ ବୈଠକରେ ଜିଲ୍ଲା ଜଜ, ଅନୁଗୋଳ ଓକିଲ ସଂଘର ସଭାପତି ଦିଲ୍ଲିପ ଦାସ ଓ ବରିଷ୍ଠ ଆଇନଜୀବୀ ସୁବାଷ ମିଶ୍ର ବକ୍ତବ୍ୟ ପ୍ରଦାନ କରିଥିଲେ । ଅନୁଗୋଳ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଂପାଦକ ଶ୍ରୀମତୀ ଅଭିନନ୍ଦିତା ପଣ୍ଡା ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ଓକିଲ ସଂଘର ସଂପାଦକ ଜିତେନ୍ଧ୍ର କୁମାର ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅନୁଗୋଳ, ତାଳଚେର, ଆଠମଲ୍ଲିକ, ପାଲଲହଡା ଓ ଛେଣ୍ଡିପଦାର ଓକିଲବୃନ୍ଦ ଯୋଗଦେଇ ଥିବା ବେଳେ ଅନୁଗୋଳ ଓକିଲ ସଂଘର ଉପସଭାନେତ୍ରୀ ମମତା ପଟ୍ଟନାଏକ, ସହ ସଂପାଦକ ଚୌଧୁରୀ ପ୍ରଧାନ, କୋଷାଧ୍ୟକ୍ଷ କୁଶ ସାହୁ ଓ ସାଂସ୍କୃତିକ ସଂପାଦକ ଅରବିନ୍ଦ ସାହୁ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମକୁ ତଦାରଖ କରିଥିଲେ ।