ସାଂସଦ ଲଡୁ କିଶୋର ସ୍ୱାଇଁଙ୍କ ପରଲୋକ , ବିଭିନ୍ନ ମହଲରେ ଶୋକ

Feb 6, 2019 - 18:29
 189
ସାଂସଦ ଲଡୁ କିଶୋର ସ୍ୱାଇଁଙ୍କ ପରଲୋକ , ବିଭିନ୍ନ ମହଲରେ ଶୋକ
ଭୁବନେଶ୍ୱର, ୬/୨(ସକାଳଖବର): ଆସିକା ବିଜେଡି ସାଂସଦ ଲଡୁ କିଶୋର ସ୍ୱାଇଁଙ୍କର ପରଲୋକ ଘଟିଛି । ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ୭୧ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ସେ କିଡନୀ ରୋଗରେ ଆକ୍ରାନ୍ତ ଥିଲେ । ସ୍ୱର୍ଗତ ସ୍ୱାଇଁଙ୍କର ବିୟୋଗରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ , ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ,ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ,ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା , ପିସିସି ସଭାପତି ନିରଂଜନ ପଟ୍ଟନାୟକ, ଶକ୍ତି ଓ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ,ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ପାତ୍ର ,ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ,ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ , ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ସୂଚନା ଅନୁଯାୟୀ ଗତକାଲି ଅସୁସ୍ଥ ହୋଇପଡିବାରୁ ଲଡୁ କିଶୋର ସ୍ୱାଇଁଙ୍କୁ ପରିବାର ଲୋକେ ଆପୋଲୋ ହସ୍ପିଟାଲରେ ଭର୍ତି କରିଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା । ଲଡୁକିଶୋରଙ୍କ ମରଶରୀରକୁ ତାଙ୍କ ପୈତୃକ ଗାଁ କବିସୂର୍ଯ୍ୟନଗରର ପଥରାକୁ ନିଆଯାଇଛି । ସେଠାରେ ତାଙ୍କର ଶେଷକୃତ୍ୟ କରାଯିବ । ଶେଷ ଦର୍ଶନ ପାଇଁ ତାଙ୍କ ବାସଭବନରେ ସମର୍ଥକଙ୍କ ଭିଡ ଦେଖିବାକୁ ମିଳିଥିଲା । ୧୯୪୭ ଜୁଲାଇ ୮ ତାରିଖରେ ଜନ୍ମଗ୍ରହଣ କରିଥିବା ଲଡୁକିଶୋର ସ୍ୱାଇଁ ତୃଣମୂଳସ୍ତରରୁ ନିଜ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ । ସେ ପ୍ରଥମେ ବ୍ଲକ ଚେୟାରମ୍ୟାନରୁ ପରବର୍ତି ସମୟରେ ବିଧାୟକ ଓ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ୨୦୦୪ରେ କବିସୂର୍ଯ୍ୟନଗରର ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ ଲଡୁକିଶୋର । ଏହାପରେ ୨୦୧୪ରେ ସେ ଆସିକା ଲୋକସଭା ଆସନରୁ ବିଜେଡି ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।