ସରକାରୀ ଦପ୍ତରରେ ବଢ଼ୁଛି ବିଦ୍ୟୁତ ଅପଚୟ

Jul 2, 2018 - 13:48
 181
ସରକାରୀ ଦପ୍ତରରେ ବଢ଼ୁଛି ବିଦ୍ୟୁତ ଅପଚୟ
କଟକ,୨ା୭:(ସକାଳଖବର) ରାଜ୍ୟ ସରକାରଙ୍କ ଉପରେ ବିଦ୍ୟୁତ ଶୁଳ୍କ ବାବଦ ଦେୟ କ୍ରମଶଃ ବଢ଼ି ଚାଲିଥିବାରୁ ଏହା ସରକାରଙ୍କ ପାଇଁ ଏବେ ଚିନ୍ତାର କାରଣ ହୋଇଛି । ପରିସ୍ଥିତିରୁ ମୁକୁଳିବା ପାଇଁ ବିଦ୍ୟୁତ ବ୍ୟବହାର ପରିମାଣ ସଂପର୍କରେ ସମୀକ୍ଷା କରିବାକୁ ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ବିଭିନ୍ନ ସରକାରୀ ବିଭାଗକୁ ନିଦେ୍ର୍ଧଶ ଦିଆଯାଇଥିଲେ ମଧ୍ୟ ଏଥିପ୍ରତି ଅଧିକାଂଶ ସରକାରୀ ବିଭାଗ କର୍ଣ୍ଣପାତ କରୁନଥିବା ଜଣାପଡ଼ିଛି । ଏଥିସହ ସରକାରୀ ଦପ୍ତରରେ ପ୍ରିପେଡ଼ ମିଟର ବସାଇବା ଯୋଜନା ଅଦ୍ୟାବଧି କାର୍ଯ୍ୟକାରୀ ହୋଇପାରି ନାହିଁ । ସରକାରୀ ବିଭାଗଗୁଡ଼ିକ ଯେଉଁ ପରିମାଣର ବିଦ୍ୟୁତଶକ୍ତି ବ୍ୟବହାର କରିବା କଥା ବାସ୍ତବରେ ତାଠାରୁ ଅଧିକ ବିଦ୍ୟୁତଶକ୍ତି ବ୍ୟବହାର କରୁଥିବା ସରକାରଙ୍କ ଦୃଷ୍ଟିକୁ ଆସିବା ପରେ ଏହି ପଦକ୍ଷେପ ନିଆଯାଇଛି । ବିଦ୍ୟୁତ ଶୁଳ୍କ ବାବଦ ଦେୟ କ୍ରମଶଃ ବୃଦ୍ଧି ପାଉଥିବାରୁ ବର୍ତ୍ତମାନ ଅତିରିକ୍ତ ବୋଝ ବହନ କରିବା ସରକାରଙ୍କ ପକ୍ଷେ ସମ୍ଭବ ହେଉନାହିଁ । ବିଭିନ୍ନ ବିଦ୍ୟୁତ ବଣ୍ଟନକାରୀ କଂପାନୀର ସରକାରୀ ଦପ୍ତର ଉପରେ ଏବେ ଅନୂ୍ୟନ ୧୦୦ କୋଟି ଟଙ୍କା ବିଦ୍ୟୁତ ଦେୟ ବକେୟା ପଡ଼ିଛି । ପ୍ରକାଶ ଯେ ରାଜ୍ୟ ସରକାରଙ୍କ ପ୍ରଶାସନିକ ଦପ୍ତରଗୁଡ଼ିକରେ ମନଇଚ୍ଛା ବିଦ୍ୟୁତ ବ୍ୟବହାର ହେଉଥିବା ପରିଲକ୍ଷିତ ହେଉଛି । ବିଦ୍ୟୁତ ବ୍ୟବହାର କ୍ଷେତ୍ରରେ ସରକାରୀ ଅଫିସରେ ସେତେଟା ନିୟନ୍ତ୍ରଣ ମନୋଭାବ ଅବଲମ୍ବନ କରାଯାଉନାହିଁ । ଅନେକ କ୍ଷେତ୍ରରେ ଯେଉଁ ସରକାରୀ ଅଧିକାରୀମାନେ ଏୟାରକଣ୍ଡିସନ ବ୍ୟବହାର କରିବା ପାଇଁ ହକ୍ଦାର ନୁହଁନ୍ତି ସେମାନେ କ୍ଷମତାର ଅପବ୍ୟବହାର କରି ନିଜ ଦପ୍ତରରେ ଏୟାରକଣ୍ଡିସନ ବ୍ୟବହାର କରିବା ଫଳରେ ବିଦ୍ୟୁତ ବ୍ୟବହାର ପରିମାଣ ବୃଦ୍ଧି ପାଉଛି । ବିଦ୍ୟୁତ ଶକ୍ତି ବ୍ୟବହାର କ୍ଷେତ୍ରରେ ସଂଯମତା ଆଚରଣ ପାଇଁ ଅର୍ଥ ବିଭାଗ ପକ୍ଷରୁ ବିଭାଗୀୟ ମୁଖ୍ୟଙ୍କୁ ନିଦେ୍ର୍ଧଶ ଦିଆଯାଇଥିଲେ ମଧ୍ୟ ତାହା କୌଣସି ବିଭାଗରେ ପାଳନ ହେବାପରି ଦେଖାଯାଉନାହିଁ । ଅଫିସର ଥାଆନ୍ତୁ କି ନଥାଆନ୍ତୁ ପ୍ରକୋଷ୍ଠରେ ଅନବରତ ଲାଇଟ ଜଳୁଛି ଓ ପଙ୍ଖା ବୁଲୁଥିବା ଦେଖାଯାଉଛି । ସେହିପରି ଗୋଟିଏ ଗୋଟିଏ କୋଠରିରେ ଜଣେ ଦୁଇଜଣ କର୍ମଚାର ବସି କାମ କରୁଥିଲେ ମଧ୍ୟ ୪ା୫ଟି ପଙ୍ଖା ଚାଲୁଥିବା ଦେଖାଯାଉଛି । ଏତଦ୍ବ୍ୟତୀତ ବହୁ ସ୍ଥାନରେ ପ୍ରଶାସନିକ ଦପ୍ତରର ବିଦ୍ୟୁତ ସଂଯୋଗ ସହ ଘରୋଇ ଅଞ୍ଚଳ ରହୁଛି । ଅର୍ଥାତ ବିଭିନ୍ନ ଅଫିସ ପରିସରରେ କର୍ମଚାରୀଙ୍କ ବାସଗୃହ ମଧ୍ୟ ରହୁଛି । ମୁଖ୍ୟତଃ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଜଳସେଚନ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଫିସ ଓ କର୍ମଚାରୀ ବାସଗୃହଗୁଡ଼ିକ ଗୋଟିଏ କ୍ୟାମ୍ପସ୍ ମଧ୍ୟରେ ରହୁଛି । ଥାନା ପରିସରରେ ମଧ୍ୟ ବାସଗୃହ ରହୁଛି । ସେହିପରି ଅନେକ ଶିକ୍ଷାନୁଷ୍ଠାନ ପରିସରରେ କର୍ମଚାରୀଙ୍କ ବାସଗୃହ ଏବଂ ହଷ୍ଟେଲ ଆଦି ରହୁଛି । କିନ୍ତୁ ଦେଖାଯାଉଛି ଶିକ୍ଷାନୁଷ୍ଠାନ ବା ଦପ୍ତର ଗୁଡ଼ିକର ବିଦ୍ୟୁତ ସଂଯୋଗ ସହ ବାସଗୃହ ଓ ହଷ୍ଟେଲର ବିଦ୍ୟୁତ ସଂଯୋଗ ରହୁଛି । ଏହାଫଳରେ ବିଦ୍ୟୁତ ବ୍ୟବହାର ପରିମାଣ ବୃଦ୍ଧି ପାଉଛି । ନିୟମ ଅନୁଯାୟୀ ସରକାର କେବଳ ପ୍ରତିଷ୍ଠାନର ବିଦ୍ୟୁତ ବିଲ ଭରଣା କରିବା କଥା । କିନ୍ତୁ ବର୍ତ୍ତମାନର ପରିସ୍ଥିତିରେ ସରକାରଙ୍କୁ ପରୋକ୍ଷ ଭାବେ ହଷ୍ଟେଲ ଓ ବାସଗୃହ ପାଇଁ ଉପଯୋଗ ବିଦ୍ୟୁତ ବିଲ ମଧ୍ୟ ପ୍ରଦାନ କରିବାକୁ ପଡ଼ୁଛି । ଏପ୍ରକାର ଘରୋଇ ସଂଯୋଗ ଗୁଡ଼ିକ ତୁରନ୍ତ ବିଚ୍ଛିନ୍ନ କରିବା ପାଇଁ ପଦକ୍ଷେପ ନେବାକୁ ଅର୍ଥ ବିଭାଗ ପକ୍ଷରୁ ଇତିମଧ୍ୟରେ ବିଭାଗ ଗୁଡ଼ିକୁ ନିଦେ୍ର୍ଧଶ ଦିଆଯାଇଥିଲା । ଏତଦ୍ବ୍ୟତୀତ ଦପ୍ତର ଗୁଡ଼ିକ ବିଦ୍ୟୁତ ବ୍ୟବହାରରେ ମିତବ୍ୟୟିତା ଅବଲମ୍ବନ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଥିଲା । ଆବଶ୍ୟକ ପରିମାଣ ଠାରୁ ଯେପରି ଅଧିକ ବିଦ୍ୟୁତଶକ୍ତି ବ୍ୟବହାର ନହୁଏ ସେଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ବିଭାଗଗୁଡ଼ିକୁ କୁହାଯାଇଥିଲା । କିନ୍ତ ଏହି ନିଦେ୍ର୍ଧଶନାମା କାର୍ଯ୍ୟକାରିତାରେ ଆନ୍ତରିକତା ପ୍ରକାଶ ପାଉନାହିଁ । ଏପ୍ରକାର ପରିସ୍ଥିତିରେ ସରକାରୀ ବିଭାଗରେ ବିଦ୍ୟୁତ ଶକ୍ତି ବ୍ୟବହାରରେ ନିୟଣନ୍ତ୍ର ଅଣାଯିବା ଏବେ ଜରୁରୀ ହୋଇପଡ଼ିଛି ବୋଲି ଅର୍ଥ ବିଭାଗ ପକ୍ଷରୁ ଅନୁଭବ କରାଯାଉଛି ।