ମାଡି ଆସିଲାଣି ଲଘୁଚାପ, କାଚିବ ବର୍ଷା

Sep 23, 2021 - 09:47
 153
ମାଡି ଆସିଲାଣି ଲଘୁଚାପ, କାଚିବ ବର୍ଷା
ଭୁବନେଶ୍ୱର : ପାଣିପାଗ ବିଶେଷଜ୍ଞଙ୍କ ପୂର୍ବାନୁମାନ ଅନୁଯାୟୀ ମିଆଁମାର ଉପକୂଳ ବଙ୍ଗୋପସାଗରରେ ବୁଧବାର ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ୨୪ ତାରିଖ ବେଳକୁ ଉତ୍ତର ପୂର୍ବ ଓ ସଂଲଗ୍ନ ବଙ୍ଗୋପସାଗର ଅଞ୍ଚଳରେ ପହଞ୍ଚି ୨୪ ତାରିଖ ସନ୍ଧ୍ୟା ସୁଦ୍ଧା ଲଘୁଚାପରେ ପରିଣତ ହେବ । ପରବର୍ତୀ ୪୮ ଘଣ୍ଟା ଅର୍ଥାତ ୨୬ ତାରିଖ ରାତି ବେଳକୁ ଏହା ଓଡ଼ିଶା ଉପକୂଳରେ ପହଞ୍ଚିବାର ସମ୍ଭାବନା ରହିଛି । ପ୍ରଭାବରେ ୨୫ ତାରିଖଠାରୁ ଓଡ଼ିଶାରେ ବର୍ଷା ପରିମାଣ ପୁଣିଥରେ ବୃଦ୍ଧି ପାଇବ । ୨୬ ତାରିଖରେ ରାଜ୍ୟର ଅର୍ଧାଧିକ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସଙ୍କ କହିବାନୁଯାୟୀ ଗତକାଲି ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଝାଡ଼ଖଣ୍ଡର ଦକ୍ଷିଣ ପୂର୍ବ ଅଞ୍ଚଳରେ ସକ୍ରିୟ ରହିଛି । ମୌସୁମୀ ଜନିତ ନିମ୍ନଚାପ ରେଖା ରାଜସ୍ଥାନରୁ ବାହାରି ବାଲେଶ୍ୱର ଦେଇ ବଙ୍ଗୋପସାଗର ପର୍ଯ୍ୟନ୍ତ ଲମ୍ବିଛି । ଏଥିସହ ଆଉ ନିମ୍ନ ଚାପ ରେଖା ଲଘୁଚାପ କ୍ଷେତ୍ରରୁ ବାହାରି ଅଭ୍ୟନ୍ତରୀଣ ଓଡ଼ିଶା ମଧ୍ୟ ଦେଇ ତେଲେଙ୍ଗାନା ଯାଏ ଲମ୍ବିଛି । ଏହାଦ୍ୱାରା ଗୁରୁବାର ସକାଳ ପର୍ଯ୍ୟନ୍ତ ଓଡ଼ିଶାରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇପାରେ । ୬ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବ । ୨୩ ଓ ୨୪ ତାରିଖରେ ସେଭଳି ବର୍ଷାର ସମ୍ଭାବନା ନାହିଁ । ତେବେ ୨୫ରୁ ପୁଣିଥରେ ବର୍ଷା ବଢ଼ିବ । ଉପକୂଳ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ । ୨୬ ତାରିଖରେ ଉପକୂଳ ଜିଲ୍ଲାଗୁଡ଼ିକ ସମେତ ଉତ୍ତର, ଅଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଅନ୍ୟପକ୍ଷରେ ଏତେ ବର୍ଷା ପରେ ବି ରାଜ୍ୟରେ ମୌସୁମୀ ଜନିତ ନିଅଣ୍ଟିଆ ବର୍ଷା ଏବେ ବି ଜାରି ରହିଛି । ଜୁନ ପହିଲାରୁ ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୯୫୯.୬ ମିମି ବର୍ଷା ହୋଇଛି । ଯାହାକି ସ୍ୱାଭାବିକ ବର୍ଷା ୧୧୧୧.୧ ମିମିଠାରୁ ୧୧ ପ୍ରତିଶତ କମ । ଦୁଇ ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ଏବଂ ୮ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରହିଛି । ୨୦ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବା ଶ୍ରୀ ଦାସ କହିଛନ୍ତି । ଗତ ୨୪ ଘଣ୍ଟାରେ ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୪୦.୩ ମିମି ବର୍ଷା ରେକର୍ଡ କରାଯାଇଛି । ଜିଲ୍ଲାର ଜାମଶୋଳାଘାଟରେ ୧୬ ସେମି ବର୍ଷା ହୋଇଥିବା ବେଳେ ତିରିଙ୍ଗରେ ୧୨ସେମି, ଚନ୍ଦନପୁରରେ ୧୦ସେମି, ବାାଙ୍ଗିରିପୋଷିରେ ୮ସେମି, କେନ୍ଦୁଝର ଜିଲ୍ଲା ଚମ୍ପୁଆରେ ୧୦ ସେମି ବର୍ଷା ହୋଇଛି ।