ଶିକ୍ଷକ, ପ୍ରଧାନ ଶିକ୍ଷକ କ୍ୟାଡ଼ରର ପୁନର୍ଗଠନ ପ୍ରସ୍ତାବ ଅନୁମୋଦିତ

Feb 26, 2019 - 18:57
 156
ଭୁବନେଶ୍ୱର, ୨୬/୨(ସକାଳଖବର) ରାଜ୍ୟ କ୍ୟାବିନେଟ ବୈଠକରେ ଓଡ଼ିଶା ବେସାମରିକ ଯୋଗାଣ ସେବା (ନିଯୁକ୍ତି ପ୍ରକ୍ରିୟା ଏବଂ ଚାକିରୀ ସର୍ତାବଳୀ ଅଧିନିୟମ ୨୦୧୯) ର ସଂଶୋଧନ କରାଯାଇଛି । ସଂଶୋଧିତ ବ୍ୟବସ୍ଥା ଅନୁଯାୟୀ ସରକାର ୫୧ଟି ଯୋଗାଣ ନିରୀକ୍ଷକ ଓ ୨୫ଟି ସହକାରୀ ବେସାମରିକ ଯୋଗାଣ ଅଧିକାରୀ ପଦବୀର ବିଲୋପ କରି ତା ବଦଳରେ ସହକାରୀ ବେସାମରିକ ଯୋଗାଣ ଅଧିକାରୀ ଓ ବେସାମରିକ ଯୋଗାଣ ଅଧିକାରୀ ପଦବୀ ମଧ୍ୟରେ ୬୦ଟି ନୂତନ ଅତିରିକ୍ତ ବେସାମରିକ ଯୋଗାଣ ଅଧିକାରୀ ପଦବୀ ଏବଂ ବେସାମରିକ ଯୋଗାଣ ଅଧିକାରୀ ଓ ଯୁଗ୍ମ ନିଦେ୍ର୍ଧଶକ (ଖାଦ୍ୟ ଯୋଗାଣ) ମଧ୍ୟରେ ୧୫ଟି ନୂତନ ମୁଖ୍ୟ ସାମରିକ ଯୋଗାଣ ଅଧିକାରୀ ପଦବୀ ସୃଷ୍ଟି କରିବା ସହିତ ଆଉ ଏକ ଗୋଟି ବେସାମରିକ ଯୋଗାଣ ଅଧିକାରୀ ପଦବୀ ସୃଷ୍ଟି କରାଯିବ । ଏତଦ୍ ବ୍ୟତୀତ ଯୁଗ୍ମ ନିଦେ୍ର୍ଧଶକ (ଖାଦ୍ୟ ଯୋଗାଣ) ଓ ଅତିରିକ୍ତ ନିଦେ୍ର୍ଧଶକ ଖାଦ୍ୟ ଯୋଗାଣ ପଦବୀର ବେତନ ହାରର ଅଭିବୃଦ୍ଧି କରିବାକୁ ବୈଠକରେ ସ୍ଥିର ହୋଇଛି । କ୍ୟାବିନେଟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଏହି ସୂଚନା ଦେଇଛନ୍ତି । ପ୍ରାଥମିକ ସ୍ତରରେ ଶିକ୍ଷାଦାନ କରୁଥିବା ଶିକ୍ଷକ ଏବଂ ପ୍ରଧାନ ଶିକ୍ଷକ ମାନଙ୍କୁ ଅଧିକ ପଦୋନ୍ନତିର ସୁଯୋଗ ଦେବା ସହ ଏହି ଶିକ୍ଷାରେ ଉନ୍ନତି ଆଣିବା ପାଇଁ ସମ୍ପୃକ୍ତ ଶିକ୍ଷକ, ପ୍ରଧାନ ଶିକ୍ଷକଙ୍କର କ୍ୟାଡ଼ରର ପୁନର୍ଗଠନ କରିବା ପାଇଁ ଆସିଥିବା ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଏହି ପୁନର୍ଗଠନ ଦ୍ୱାରା ପ୍ରାଥମିକ ଶିକ୍ଷକ ମାନଙ୍କ ପାଇଁ ତାଙ୍କ ଚାକିରୀକାଳ ମଧ୍ୟରେ ଅତି କମରେ ତିନୋଟି ପଦୋନ୍ନତି ପାଇବେ । ଏହି ନିଷ୍ପତି ଅନୁଯାୟୀ ଏଲିମେଂଟାରୀ କ୍ୟାଡ଼ରରେ ବରିଷ୍ଠ ଶିକ୍ଷକ, ସ୍ନାତକ ଶିକ୍ଷକ ଏବଂ ପ୍ରାଥମିକ ବିଦ୍ୟାଳୟର ବରିଷ୍ଠ ପ୍ରଧାନ ଶିକ୍ଷକ ପଦବୀ ସୃଷ୍ଟି କରାଯିବ । ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ପଦବୀ ସଂଖ୍ୟା ବୃଦ୍ଧି କରାଯିବ । ଏହି ପୁନର୍ଗଠନ ଦ୍ୱାରା ରାଜ୍ୟରେ ପ୍ରାୟ ୭୨ ହଜାର ୫୬୩ ଜଣ ପ୍ରାଥମିକ ଶିକ୍ଷକ ଅବିଳମ୍ବେ ଉପକୃତ ହେବେ । ଏବଂ ପରବର୍ତୀ ସମୟରେ ଅନ୍ୟ ସମସ୍ତ ପ୍ରାଥମିକ ଶିକ୍ଷକ ଉପକୃତ ହେବେ । ସେମାନଙ୍କ ବାବଦରେ ୪୫୪ କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ପୁନର୍ଗଠନକୁ କାର୍ଯ୍ୟକାରୀ କରିବା ପାଇଁ ଓଡ଼ିଶା ଏଲିମେଂଟାରୀ ଏଜୁକେସନ (ମେଥଡ଼ ଅଫ୍ ରିକୁ୍ରଇଟମେଂଟ ଅଫ୍ କଣ୍ଡିସନସ ଅଫ୍ ସର୍ଭିସ ଅଫ୍ ଟିଚର୍ସ ଆଣ୍ଡ ଅଫିସର୍ସ) ରୁଲ୍ସ, ୧୯୯୭ରେ ଆବଶ୍ୟକ ସଂଶୋଧନ ଆଣିବା ପାଇଁ ପ୍ରସ୍ତାବ ଆସିଥିଲା । ସରକାର ଯୁକ୍ତ ଦୁଇ ଜୁନିୟର କଲେଜ ବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଗତ ୨୦୧୬ ମେ ୨୪ ତାରିଖରେ ଉଚ୍ଚ ଶିକ୍ଷା ବିଭାଗରୁ ବିଦ୍ୟାଳୟ ଗଣଶିକ୍ଷା ବିଭାଗକୁ ପୃଥକ କରିଛନ୍ତି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ସହବନ୍ଧିତ ପ୍ରଥମ ବର୍ଷ ଓ ଦ୍ୱିତୀୟ ବର୍ଷ ଶ୍ରେଣୀ ଥିବା ଯୁକ୍ତ ଦୁଇ ମହାବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପୂର୍ଣ୍ଣ ନାମିତ କରାଯାଇଛି । ବର୍ତମାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡ଼ିକରେ ଶିକ୍ଷାଦାନ ନିମନ୍ତେ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ଦ୍ୱାରା ନିୟମିତ ଶିକ୍ଷକ ନିଯୁକ୍ତି ପର୍ଯ୍ୟନ୍ତ ଉଚ୍ଚ ଶିକ୍ଷା ବିଭାଗ ଦ୍ୱାରା ନିଯୁକ୍ତି ପାଇଥିବା ଶିକ୍ଷକ, ଜୁନିୟର ଲେକଚର୍ସ ମାନଙ୍କୁ ମୂତୟନ କରାଯାଇଛି ।