ମେଡିକାଲ କର୍ମଚାରୀ ସଂଘର ହୀରକ ଜୟନ୍ତୀ ସମାରୋହ
କଟକ, ୧୪ା୬/(ସକାଳଖବର): ମେଡିକାଲ କର୍ମଚାରୀମାନେ ଆନ୍ତରିକତା ଓ ନିଷ୍ଠାପର ଭାବେ କାର୍ଯ୍ୟ କରୁଛନ୍ତି । ରୋଗୀଙ୍କ ସୁଖ ଦୁଃଖରେ ଛିଡା ହେଉଛନ୍ତି । ତେଣୁ ମେଡିକାଲ କର୍ମଚାରୀଙ୍କ ବିନା ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ରୋଗୀଙ୍କ ଚିକିତ୍ସା କଥା ଚିନ୍ତା କରାଯାଇପାରିବ ନାହିଁ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି । ଓଡିଶା ମେଡିକାଲ କର୍ମଚାରୀ ସଂଘର ହୀରକ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେ କହିଲେ ଯେ, ମେଡିକାଲ କର୍ମଚାରୀଙ୍କ ଦୀର୍ଘବର୍ଷର ସଂଗ୍ରାମ ଯୋଗୁ ଏହି ସଙ୍ଗଠନ ଛିଡା ହୋଇଛି । ସ୍ୱର୍ଗତ ବିଶ୍ୱନାଥ ପଣ୍ଡିତଙ୍କ ଆଶୀର୍ବାଦ ରହିଥିବାରୁ ବିଭିନ୍ନ ବାଧାବିଘ୍ନପରେ ବି ସମସ୍ତ କାର୍ଯ୍ୟ ସୁଚାରୁରୂପେ ଚାଲିଛି । ତେବେ କର୍ମଚାରୀଙ୍କ ସମସ୍ତ ସମସ୍ୟାଗୁଡିକର ସମାଧାନ କରାଯିବବୋଲି ମନ୍ତ୍ରୀ ଜେନା ପ୍ରତିଶ୍ରୁତି ଦେଇଥିଲେ । ସଭାରେ ଉଦଘାଟକ ଭାବେ ଯୋଗଦେଇ ଅର୍ଥ ମନ୍ତ୍ରୀ ଶଶୀଭୂଷଣ ବେହେରା କହିଲେ, ସମାଜର ପରିବର୍ତ୍ତନ ପାଇଁ କୌଣସି କାର୍ଯ୍ୟ କରାଗଲେ ତାହା ରାଜନୀତି ହୋଇଥାଏ । ମେଡିକାଲ କର୍ମଚାରୀଙ୍କ ସମସ୍ୟା ଦୂର ହେଲେ ମେଡିକାଲର ପରିବର୍ତ୍ତନ ହେବ । ସଂଘର କାର୍ଯ୍ୟକାରୀ ସଭାପତି ଯୋଗେନ୍ଦ୍ରନାଥ ତ୍ରିପାଠୀ ସଭାପତିତ୍ୱରେ ଆୟୋଜିତ ସଭାରେ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଯୋଗଦେଇ କର୍ମଚାରୀଙ୍କ ସମସ୍ତ ଦାବି ଉପରେ ସରକାର ଧ୍ୟାନ ଦେବେ ବୋଲି ପ୍ରତିଶ୍ରତି ଦେଇଥିଲେ । ଅନ୍ୟତମ ଅତିଥିଭାବେ ବଡ ମେଡିକାଲର ପ୍ରଶାସନିକ ଅଧିକାରୀ କଳ୍ପତରୁ ବେହେରା, ଅଧୀକ୍ଷକ ପ୍ରଫେସର ଡ. ପ୍ରସନ୍ନ କୁମାର ଦେବତା, ଡିନ ତଥା ଅଧ୍ୟକ୍ଷ ପ୍ରଫେସର ଡ. ସିଦ୍ଧାର୍ଥ ଦାସ, ସମାଜସେବୀ ଯୁଗଳକିଶୋର ନାୟକ, ଶ୍ରମିକ ନେତା ବ୍ରଜକିଶୋର ନନ୍ଦ ପ୍ରମୁଖ ଯୋଗ ଦେଇଥିଲେ ।