ଭର୍ଚୁଆଲ୍‌ରେ ସିକନ୍ଦରାବାଦ-ବିଶାଖାପାଟଣା ‘ବନ୍ଦେ ଭାରତ ଏକ୍ସ୍‌ପ୍ରେସ୍‌’ ଚଳାଚଳ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ

Jan 15, 2023 - 06:20
 39
ଭର୍ଚୁଆଲ୍‌ରେ ସିକନ୍ଦରାବାଦ-ବିଶାଖାପାଟଣା ‘ବନ୍ଦେ ଭାରତ ଏକ୍ସ୍‌ପ୍ରେସ୍‌’ ଚଳାଚଳ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: ଆଜି ପୋଙ୍ଗଲ୍‌ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ମାଧ୍ୟମରେ ସିକନ୍ଦରାବାଦ ଓ ବିଶାଖାପାଟଣା ମଧ୍ୟରେ ମଧ୍ୟରେ ‘ବନ୍ଦେ ଭାରତ ଏକ୍‌ସ୍‌ପ୍ରେସ୍‌’ ଚଳାଚଳର ଶୁଭାରମ୍ଭ କରିଛନ୍ତି। ଆଜି ଏଇ ଉତ୍ସବମୟ ବାତାବରଣରେ ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶ ଚମତ୍କାର ଉପହାର ପାଉଛନ୍ତି। ଗୋଟିଏ ପଟୁ ଦେଖିଲେ, ‘ବନ୍ଦେ ଭାରତ ‌ଏକ୍ସ୍‌ପ୍ରେସ୍‌’ ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶର ମିଳିତ ସଂସ୍କୃତି ଓ ଐତିହ୍ୟକୁ ସଂଯୋଗ କରିବ। ଏହାଛଡ଼ା, ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ସିକନ୍ଦରାବାଦ ଓ ବିଶାଖାପାଟଣା ମଧ୍ୟରେ ଚଳାଚଳ ପାଇଁ ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଶୁଭାରମ୍ଭ କରି ଆନନ୍ଦିତ। ଏହା ଜୀବନ ଧାରାକୁ ସୁଗମ କରିବା ସହିତ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେଇ ଅର୍ଥନୀତିକୁ ଉପକୃତ କରିବ। ସୂଚନାଯୋଗ୍ୟ, ଏହା ହେଉଛି ୮ମ ବନ୍ଦେ ଭାରତ ଏକ୍ସପ୍ରେସ୍‌। ତେଲେଙ୍ଗାନାର ସିକନ୍ଦରାବାଦ ଓ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ମଧ୍ୟରେ ଏହାର ଚଳାଚଳ ସମୟ ହେଉଛି ୮ ଘଣ୍ଟା। ଏହାଛଡ଼ା, ୱାରାଙ୍ଗଲ୍‌, ଖାମ୍ମାମ୍‌, ବିଜୟୱାଡ଼ା ଏବଂ ରାଜମୁଣ୍ଡାରୀରେ ଏହି ଟ୍ରେନ୍‌ର ଷ୍ଟପେଜ୍‌ ରହିଛି। ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଥିବା ଅନେକ ସୁରକ୍ଷା ଉପକରଣ ଭିତରୁ ‘କବଚ’ ଟେକ୍ନୋଲୋଜି ଅନ୍ୟତମ। ଏହି ‘କବଚ’ ଟେକ୍ନୋଲୋଜି ଟ୍ରେନ୍‌ ଧକ୍କା ଭଳି ଦୁର୍ଘଟଣା ହ୍ରାସ କରିବାରେ ସହାୟକ ହେବ। ଏହି ଟ୍ରେନ୍‌ର ସବୁ ଶ୍ରେଣୀର ବଗିରେ ପଛକୁ ଆଉଜି ହେବା ପରି ସିଟ୍‌ ଏବଂ ଏକ୍ଜିକ୍ୟୁଟିଭ୍‌ ବଗିରେ ୧୮୦ ଡିଗ୍ରି ପର୍ଯ୍ୟନ୍ତ ବୁଲି ପାରୁଥିବା ସିଟ୍‌ ରହିଛି।