ସିଟି ‌ହସ୍ପିଟାଲ୍‌ରେ ହେବ ଅତ୍ୟାଧୁନିକ ବ୍ୟବସ୍ଥା, ବ୍ୟବହାର ଉପଯୋଗୀ ହେବ ତରଳ ବର୍ଜ୍ୟବସ୍ତୁ

Jan 15, 2023 - 06:21
 45
ସିଟି ‌ହସ୍ପିଟାଲ୍‌ରେ ହେବ ଅତ୍ୟାଧୁନିକ ବ୍ୟବସ୍ଥା, ବ୍ୟବହାର ଉପଯୋଗୀ ହେବ ତରଳ ବର୍ଜ୍ୟବସ୍ତୁ
କଟକ: ସିଟି ହସପିଟାଲର ଵାର୍ଡରୁ ନିର୍ଗତ ସଂକ୍ରମିତ ତରଳ ବର୍ଜ୍ୟବସ୍ତୁକୁ ଏଣିକି ନିର୍ଦ୍ଦମାରେ ଫିଙ୍ଗାଯିବ ନାହିଁ। ଏହାକୁ ଟ୍ରିଟମେଣ୍ଟ ପ୍ଲାଣ୍ଟରେ ପ୍ରକ୍ରିୟାକରଣ କରି ନିର୍ମଳ କରାଯିବ। ଏହି ପାଣିକୁ ଦୈନିକ ହସପିଟାଲର ଫୁଲ ବଗିଚାରେ ଦିଆଯିବ। ଵାର୍ଡ ସଫା କରିବାରେ ବି ବ୍ୟବହାର କରାଯିବ। ଏଭଳି ଅତ୍ୟାଧୁନିକ ପ୍ରକ୍ରିୟାକରଣ ଏବେ ସିଟି ହସପିଟାଲରେ ଆରମ୍ଭ ହେବାକୁ ଯାଉଥିବା ବେଳେ ହସପିଟାଲ କର୍ତ୍ତୃପକ୍ଷ ଏଭଳି ପ୍ଲାଣ୍ଟ ପ୍ରସ୍ତୁତ ପାଇଁ ଭୁବନେଶ୍ବର ଏମ୍‌ସରେ ଅନୁଧ୍ୟାନ କରିଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ସିଟି ହସପିଟାଲର ଓଟି, ଲେବରରୁମ୍ ଓ ପାଥୋଲାବରୁ ଦୈନିକ ନିର୍ଗତ ତରଳ ବର୍ଜ୍ୟବସ୍ତୁକୁ ସେହି ତିନୋଟି ୟୁନିଟରେ ପ୍ରକ୍ରିୟାକରଣ କରାଯାଉଥିଲା। କର୍ଣ୍ଣାଟକ ମଡେଲର ତିନୋଟି ପ୍ଲାଣ୍ଟରେ ଏହି ପ୍ରକ୍ରିୟାକରଣ କରାଯାଏ। କିନ୍ତୁ ଏହା ବ୍ୟବହାର ଉପଯୋଗୀ ହେଉ ନଥିଲା। ଏଥିପାଇଁ ଏହି ବିଷାକ୍ତ ଓ ସଂକ୍ରମିତ ବର୍ଜ୍ୟବସ୍ତୁକୁ ପରେ ନାଳରେ ଛାଡ଼ି ଦିଆଯାଉଥିଲା। ଏହି ତିନି ପ୍ଲାଣ୍ଟ ବନ୍ଦ କରାଯିବ। ଅନ୍ୟପଟେ ଦୈନିକ ନିର୍ଗତ ହେଉଥିବା ପ୍ରାୟ ୮ କେଜି ଓଜନର କଠିନ ବର୍ଜ୍ୟବସ୍ତୁକୁ ବଡ଼ ଡାକ୍ତରଖାନାକୁ ପ୍ରକ୍ରିୟାକରଣ ପାଇଁ ପଠାଯାଉଥିଲା। ଏଥିପାଇଁ ମାସିକ ସିଟି ହସପିଟାଲ୍ କର୍ତ୍ତୃପକ୍ଷ ହାରାହାରି ୯୫ ହଜାରରୁ ଏକ ଲକ୍ଷ ଟଙ୍କା ଯାଏ ଖର୍ଚ୍ଚ କରୁଛନ୍ତି। ପ୍ରାଥମିକ ଭାବେ ଏବେ ତରଳ ବର୍ଜ୍ୟବସ୍ତୁକୁ ନୂଆ ଢଙ୍ଗରେ ପ୍ରକ୍ରିୟାକରଣ କରାଯିବାକୁ ନିଷ୍ପତ୍ତି ହୋଇଛି।