ବ୍ରାହ୍ମଣୀ ଉପର ମୁଣ୍ଡରେ ୧୮ଟି ବନ୍ଧ

Nov 21, 2018 - 18:43
 156
ଭୁୁବନେଶ୍ୱର,୨୧/୧୧ (ସକାଳଖବର): ବ୍ରାହ୍ମଣୀ ନଦୀର ଉପର ମୁଣ୍ଡରେ ଝାଡ଼ଖଣ୍ଡରେ ୧୫ଟି ବନ୍ଧ ନିର୍ମାଣ ସରିଥିବା ବେଳେ ଆଉ ୩ଟି ବନ୍ଧ ହେବାର ଅଛି । ଏହି ୧୮ଟି ପ୍ରକଳ୍ପ ମଧ୍ୟରୁ ଗୋଟିଏ ଜଳ ବିଦୁ୍ୟତ୍ କେନ୍ଦ୍ର ଥିବା ବେଳେ ଆଉ ୧୭ଟି ଜଳସେଚନ ପାଇଁ ଉଦ୍ଧିଷ୍ଟ ବୋଲି ଦର୍ଶାଯାଉଛି । ବିଧାୟକ ଦିଲିପ ରାୟ ବିଧାନସଭାରେ ପଚାରିଥିବା ଏକ ପ୍ରଶ୍ନର ଉତରରେ ଜଳସମ୍ପଦ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଦେଇଥିବା ତଥ୍ୟରୁ ଏହା ଜଣାପଡ଼ିଛି । ଓଡ଼ିଶା ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଝାଡ଼ଖଣ୍ଡ ସରକାରଙ୍କ ଦ୍ୱାରା ବ୍ରାହ୍ମଣୀର ଉପନଦୀ ଶଙ୍ଖ ଓ କୋଏଲ୍ ନଦୀ ଉପରେ ଝାଡ଼ଖଣ୍ଡରେ ଅପର୍ ସୁଙ୍କି ଜଳବିଦୁ୍ୟତ୍ ପ୍ରକଳ୍ପ ଗୁମ୍ଲା ଜିଲ୍ଲାରେ କାର୍ଯ୍ୟକ୍ଷମ ରହିଛି । ଏହାଛଡ଼ା ଅନ୍ୟ ୧୪ଟି ନଦୀବନ୍ଧ ଜଳସେଚନ ଉଦେ୍ଧଶ୍ୟରେ ଶଙ୍ଖ ଓ କୋଏଲ୍ ନଦୀ ଉପରେ ଝାଡ଼ଖଣ୍ଡରେ ନିର୍ମିତ ହୋଇଥିବା ବେଳେ ଆଉ ୩ଟି ନିର୍ମାଣ ପ୍ରତୀକ୍ଷାରେ ରହିଛି । ଓଡ଼ିଶାରେ ପ୍ରବାହିତ କେଉଁସବୁ ନଦୀର ଉପର ଓ ତଳ ମୁଣ୍ଡରେ କେଉଁ ପଡେ଼ାଶୀ ରାଜ୍ୟ କେଉଁ କେଉଁ ସ୍ଥାନରେ କେତୋଟି ବନ୍ଧ ବାନ୍ଧିଛନ୍ତି ଓ ଆଉ କେତୋଟି ବନ୍ଧ ନିର୍ମାଣ କରୁଛନ୍ତି ବୋଲି ବିଧାୟକ ଶ୍ରୀ ରାୟ ପ୍ରଶ୍ନ ପଚାରିବା ସହିତ ପଡେ଼ାଶୀ ରାଜ୍ୟମାନଙ୍କ ଏଭଳି ବନ୍ଧ ନିର୍ମାଣ ଯୋଗୁ ଓଡ଼ିଶାର କ'ଣ ଲାଭକ୍ଷତି ହୋଇଛି ଏବଂ ରାଜ୍ୟ ସରକାର କେତେ ବନ୍ଧ ନିର୍ମାଣ କରିଛନ୍ତି ଓ ଆଉ କେତୋଟି ବନ୍ଧ କେଉଁଠି ନିର୍ମାଣ କରିବାକୁ ପ୍ରସ୍ତାବ ରଖିଛନ୍ତି ବୋଲି ଜାଣିବାକୁ ଚାହିଁଥିଲେ । ମହାନଦୀ ପ୍ରସଙ୍ଗରେ ଜଳ ସମ୍ପଦ ମନ୍ତ୍ରୀ କହିଛନ୍ତି ଯେ ବର୍ତମାନ ମହାନଦୀର ଜଳକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଆନ୍ତଃ ରାଜ୍ୟ ଜଳ ବିବାଦ ସମାଧାନ ପାଇଁ ଟ୍ରିବୁ୍ୟନାଲ ଗଠନ ହୋଇସାରିଥିବା ପରିପ୍ରେକ୍ଷୀରେ ରାଜ୍ୟର ବୃହତର ସ୍ୱାର୍ଥ ଦୃଷ୍ଟିରୁ ମହାନଦୀ ସମ୍ବନ୍ଧୀୟ କୌଣସି ତଥ୍ୟ ପ୍ରଦାନ କରାଯାଇପାରୁନାହିଁ । ଶଙ୍ଖ ଓ କୋଏଲ୍ ବ୍ୟତୀତ ସୁବର୍ଣ୍ଣରେଖା ନଦୀ ଉପରେ ଚାନ୍ଦିଲୀ ଡ୍ୟାମ୍ ଝାଡ଼ଖଣ୍ଡରେ କାର୍ଯ୍ୟକ୍ଷମ ଥିବା ବେଳେ ଏଥିରୁ ଓଡ଼ିଶା, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ଲାଭବାନ ହେବେ । ବଂଶଧାରା ନଦୀରେ ଆନ୍ଧ୍ରପ୍ରଦେଶ ସରକାର ଗୋଟା ଓ କାଟ୍ରାଗୁଡ଼ାଠାରେ ୨ଟି ବନ୍ଧ ନିର୍ମାଣ କରିଥିବା ବେଳେ କାଟ୍ରାଗୁଡ଼ାଠାରେ ଅନ୍ୟ ଏକ ବ୍ୟାରେଜ୍ ନିର୍ମାଣର ପ୍ରସ୍ତାବ ରଖିଛନ୍ତି । ମହେନ୍ଦ୍ରତନୟାର ଉପନଦୀରେ ଚାପ୍ରାଠାରେ ଶ୍ରୀକାକୁଲମ୍ ଜିଲ୍ଲାରେ ଅନ୍ୟ ଏକ ପ୍ରକଳ୍ପ ନିର୍ମାଣାଧିନ ରହିଛି । ନାଗାବଳୀର ତଳମୁଣ୍ଡରେ ବିଜୟନଗରମ୍ର ଥୋଟାପାଲ୍ଲୀଠାରେ ଏବଂ ଏହାର ଉପନଦୀ ଝଞ୍ଜାବତୀ ଉପରେ ରାଜଲକ୍ଷ୍ମୀପୁରମ୍ଠାରେ ଆଉ ୨ଟି ବନ୍ଧ ନିର୍ମାଣ ହୋଇଛି । ଏହାଛଡ଼ା ନାଗାବଳୀର ଉପନଦୀ ଉପରେ ମଧ୍ୟ ଆଉ ୨ଟି ବ୍ୟାରେଜ୍ ଆନ୍ଧ୍ର ନିର୍ମାଣ କରିଛି । ଓଡ଼ିଶାର ବିଭିନ୍ନ ନଦୀ ଉପରେ ୨୪ଟି ପ୍ରସ୍ତାବିତ ନଦୀବନ୍ଧ ପ୍ରକଳ୍ପ ପାଇଁ ସର୍ଭେ ଓ ଅନୁସନ୍ଧାନ ଜାରି ରହିଥିବା ଜଳ ସମ୍ପଦ ମନ୍ତ୍ରୀ ଉଲ୍ଲେଖ କରିଛନ୍ତି । କୋଏଲ୍ ଓ ଶଙ୍ଖ ନଦୀ ଉପରେ ଏକାଧିକ ବ୍ୟାରେଜ୍ ଯୋଗୁ ବ୍ରାହ୍ମଣୀର ଜଳ ପ୍ରବାହ ହ୍ରାସ ପାଇଛି ବୋଲି ଉଲ୍ଲେଖ କରି ଏକ ବିବୃତିରେ ବିଧାୟକ ଶ୍ରୀ ରାୟ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି । ପ୍ରତିକାର କରାନଗଲେ ଇସ୍ପାତ ନଗରୀ ରାଉରକେଲା ଉପରେ ଏହାର ସିଧାସଳଖ ପ୍ରତିକୂଳ ପ୍ରଭାବ ପଡ଼ିବ । କେବଳ ସେତିକି ନୁହେଁ ବ୍ରାହ୍ମଣୀ ଓଡ଼ିଶାର ଦ୍ୱିତୀୟ ବୃହତମ ନଦୀ ହୋଇଥିବାରୁ ଏହା ଉପରେ ରାଜ୍ୟର ବ୍ୟାପକ ଅଂଚଳରେ କୃଷି, ଶିଳ୍ପ ଓ ଜୀବିକା ନିର୍ବାହ ପାଇଁ ଲୋକେ ନିର୍ଭର କରନ୍ତି । ଜଳ ପ୍ରବାହ କମିବା ସହିତ ବ୍ରାହ୍ମଣୀରେ ପ୍ରଦୂଷଣ ମାତ୍ରା ଉଦ୍ବେଗଜନକ ଭାବେ ବଢ଼ି ଚାଲିଥିବାରୁ ଏହି ନଦୀର ଭବିଷ୍ୟତ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପୂଣ୍ୟତୋୟା ବ୍ରାହ୍ମଣୀର ସୁରକ୍ଷା ପାଇଁ ଗଙ୍ଗା ପୁନଃରୁଦ୍ଧାର ଢାଂଚାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅଗ୍ରାଧିକାର ଭିତିରେ କାର୍ଯ୍ୟ କରିବାକୁ ବିଧାୟକ ଶ୍ରୀ ରାୟ ଦାବି କରିଛନ୍ତି