ଚାଷୀ ପାଇଁ ଆନ୍ତରିକତା ନାହିଁ , ଭୋଟ ପାଇଁ ବାଂଟୁଛନ୍ତି : ନିରଞ୍ଜନ

Feb 21, 2019 - 18:52
 202
ଭୁବନେଶ୍ୱର, ୨୧/୨(ସକାଳଖବର): ରାଜ୍ୟର ଲକ୍ଷ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ସର୍ବନିମ୍ନ ସୁବିଧା ସୁଯୋଗ ଯୋଗାଇବାରେ ଓଡ଼ିଶାର ନବୀନ ପଟ୍ଟନାୟକ ସରକାର ଶୋଚନୀୟ ଭାବେ ବିଫଳ ହୋଇଛନ୍ତି । ଚାଷୀ ଅଧିକାର ପାଇଁ ଲଢେ଼ଇ କଲେ ତାଙ୍କୁ ଗିରଫ କରାଯାଉଛି ଏବଂ ଅନ୍ୟ କେଉଁଠି ସଭାସମିତି କରି କାଳିଆ ଯୋଜନା ନାଁରେ ଟଙ୍କା ବାଂଟି ସରକାର ଭୋଟ ହାତେଇବା ପାଇଁ ପ୍ରୟାସ କରୁଛନ୍ତି ବୋଲି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ କୃଷକମାନଙ୍କ ଉନ୍ନତି ପାଇଁ ବିଜେଡ଼ି ସରକାର କାଳିଆ ଯୋଜନା ପ୍ରଚଳନ କରିଥିବା କହି ବୁଲୁଛନ୍ତି । ଯଦି ତାହା ଠିକ୍ ତେବେ ନବନିର୍ବାଣ କୃଷକ ସଂଗଠନ ପକ୍ଷରୁ ଚାଷୀମାନଙ୍କର ସର୍ବନିମ୍ନ ଦାବି ପୂରଣ ପାଇଁ ଦିଆଯାଇଥିବା ଓଡ଼ିଶା ବନ୍ଦ ଆହ୍ୱାନକୁ ରାଜ୍ୟର ଚାଷୀମାନେ କିଭଳି ସମର୍ଥନ ଜଣାଇଲେ ତାହାର ଜବାବ ରାଜ୍ୟ ସରକାର ଦିଅନ୍ତୁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ଗତ ୧୯ ବର୍ଷର ଶାସନ କାଳରେ ବିଜେଡ଼ି ଏବଂ ବିଜେପି ୯ ବର୍ଷ ଭାଗୁଆଳୀ ଶାସନ କରିଥିଲେ । ଏବେ ୫ ବର୍ଷ ହେଲା କେନ୍ଦ୍ରରେ ଗଠିତ ବିଜେପି ସରକାରକୁ ରାଜ୍ୟର ବିଜେପି ସରକାର ସବୁ କ୍ଷେତ୍ରରେ ସମର୍ଥନ କରୁଛନ୍ତି । ଏହି ଦୁଇ ଦଳ ସରକାର କୃଷି ଓ କୃଷକଙ୍କ ପାଇଁ କୌଣସି ପଦକ୍ଷେପ ନେଇ ନାହାନ୍ତି । କେବଳ ନିର୍ବାଚନକୁ ଆଖିଆଗରେ ରଖି ବିଜେଡ଼ିର କାଳିଆ ଯୋଜନା ଓ ବିଜେପିର କୃଷକ ନିଧି ଯୋଜନା ଘୋଷଣା କରାଯାଇଛି । ଚାଷଜମିକୁ ଜଳସେଚନ ସୁବିଧା ନାହିଁ, ଚାଷୀଙ୍କ ଆବଶ୍ୟକ ସମୟରେ ବିହନ ଓ କୀଟନାଶକ ସାର ମିଳୁନାହିଁ । ସବୁଠି ବଡ଼ କଥା ହେଉଛି ଚାଷୀଙ୍କୁ ସେମାନଙ୍କ ଉପôାଦନ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ ମିଳୁନାହିଁ । କୃଷି ସାମଗ୍ରୀ ମହଜୁଦ୍ କରିବାକୁ ଶୀତଳ ଭଣ୍ଡାର ଏବଂ କୃଷି ପ୍ରକ୍ରିୟକରଣ ଶିଳ୍ପ ସ୍ଥାପନରେ ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି । ଏବେ ବି ମଣ୍ଡିରେ ଧାନ ବସ୍ତା ରଖି ଚାଷୀ ଜଗି ରହୁଛି । ଚାଷୀଠାରୁ ସମସ୍ତ ଧାନ କିଣିବାକୁ କଂଗ୍ରେସ ଦାବି କଲା ପରେ ରାଜ୍ୟ ସରକାର ଏ ଦିଗରେ ପଦକ୍ଷେପ ନେଇଥିବା କହିଛନ୍ତି । ତଥାପି କେତେକ ସ୍ଥାନରେ ଧାନର ଅଭାବି ବିକ୍ରି ଚାଲିଥିବା ଅଭିଯୋଗ ଆସିଛି । କେଉଁ ଚାଷୀଙ୍କ ପିଲାଙ୍କ ବାହାଘର ଅବା କିଏ ରୋଗରେ ପଡ଼ି ଚିକିତ୍ସା ପାଇଁ ଚାହୁଁଥିବାବେଳେ ଚାଷୀର ଧାନ ମଣ୍ଡିରେ ଦୀର୍ଘ ଦିନ ଧରି ପଡ଼ି ରହିଛି । ଅନେକ ଚାଷୀ ଏପର୍ଯ୍ୟନ୍ତ ଫାଇଲିନ, ହୁଡ଼ୁହୁଡ଼ୁର କ୍ଷତି ଭରଣ ବାବଦ ଅର୍ଥ ପାଇ ନାହାନ୍ତି । ଏବେ ରାଜ୍ୟରେ ମରୁଡ଼ି କି ବାତ୍ୟା, ବନ୍ୟା ହୋଇନାହିଁ । ରବି ନାହିଁ କି ଖରିଫ ନାହିଁ ରାଜ୍ୟ ସରକାର କାଳିଆ ନାଁରେ ରିଲିଫ ଦେଇ ଭୋଟ ଉପôାଦନ କରିବାକୁ ଉଦ୍ୟମ କରୁଛନ୍ତି । ପ୍ରତିଦିନ କାଳିଆ ନାଁରେ ପ୍ରଚାର ପରି ଆଉ ଥରେ ଚାଷୀଙ୍କୁ ପ୍ରତାରିତ କରିବା ପାଇଁ ପ୍ରୟାସ କରୁଛନ୍ତି ବୋଲି ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି ।