ବୌଦ୍ଧ ଜିଲାରେ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି

Aug 13, 2019 - 17:58
 111
ବୌଦ୍ଧ, ୧୩/୮(ସକାଳଖବର): ଲଘୁଚାପଜନିତ ୨ ଦିନର ଲଗାଣ ବର୍ଷାରେ ବୌଦ୍ଧ ଜିଲାରେ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇବା ସହ କଂଟାମାଳ ବ୍ଳକ ଅଂଚଳରେ ବନ୍ୟା ପରିସ୍ଥିତି ଦେଖାଦେଇଛି । ବ୍ଳକର ୧୫ରୁ ଉଦ୍ଧ୍ୱର୍ ଗ୍ରାମ ବନ୍ୟାଜଳ ଘେରରେ ରହିଛି । ମନମୁଣ୍ଡା ନିକଟରେ ରେଳ ବ୍ରିଜ ନିର୍ମାଣ ପାଇଁ କରାଯାଇଥିବା କ୍ୟାମ୍ପ ଅଂଚଳରେ ତେଲ ନଦୀର ବନ୍ୟାଜଳ ମାଡିଯିବା ଫଳରେ ସେଠି ରହିଯାଇଥିବା ୯ ଜଣ କର୍ମଚାରୀଙ୍କୁ ସ୍ଥାନୀୟ ଲୋକେ ମାଛଧରା ଡଙ୍ଗା ସାହାଯ୍ୟରେ ଉଦ୍ଧାର କରିଛନ୍ତି । ସେହିପରି ଗୁନ୍ଦୁଳିଆ ଗ୍ରାମର ବିଷ୍ଣୁ ପ୍ରଧାନ ବାଘନଦୀର ବନ୍ୟାଜଳରେ ଭାସିଯାଇଥିଲେ, ତାଙ୍କୁ ବାଉଁଶୁଣୀ ଠାରେ ଗ୍ରାମବାସୀ ଓ ଅଗ୍ନିଶମ କର୍ମଚାରୀମାନେ ଉଦ୍ଧାର କରିଛନ୍ତି । ଖମନମୁଣ୍ଡା ପଂଚାୟତର ଦେଓଗାଁ, ରେଙ୍ଗାଲି ପଂଚାୟତର କମଘାଟ ଓ ଗମ୍ଭାରୀପଦର, ମନମୁଣ୍ଡା ପଂଚାୟତର ସାହୁପଡା, କପାସିରା, ରତାଖଣ୍ଡି, ହାତିପାଲି, ଗରିଆପାଲି ଆଦି ୧୫ରୁ ଉଦ୍ଧ୍ୱର୍ ଗ୍ରାମ ବନ୍ୟାଜଳ ଘେରରେ ରହିଅଛି । ମନମୁଣ୍ଡାର ଦେଉଳି ଗ୍ରାମରେ ବନ୍ୟାଜଳ ପ୍ରବେଶ କରିବା ଫଳରେ ଲୋକେ ଦୟନୀୟ ଅବସ୍ଥାରେ ରହିଛନ୍ତି । ମନମୁଣ୍ଡା – ଘଂଟାପଡା ୪୧ ନମ୍ବର ରାଜପଥର ଅଡାଗୌଡି ଓ ମାଣ୍ଡିଆଯୋର ପୋଲ ଉପରେ ୬ ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଅଛି । କଂଟାମାଳ ବ୍ଲକ ଅଂଚଳରେ ତେଲନଦୀ ଓ ଖଡଙ୍ଗ ନଦୀରେ ଜଳସ୍ତର ବୃଦ୍ଧି ପାଇବା ଫଳରେ କୁଲତାଯୋର, ଘଂଟାପଡା, ଉମା, ଖୁଂଟିଗୋରା, ବରଗାଁ, ଖମନମୁଣ୍ଡା, ଆମ୍ବଗାଁ ଆଦି ୮ ଟି ଗ୍ରାମପଂଚାୟତକୁ ସଡ଼କ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି । କଂଟାମାଳ ବ୍ଲକର ଶହ ଶହ ହେକ୍ଟର ଚାଷଜମି ବନ୍ୟାଜଳରେ ବୁଡି ରହିଛି । ବନ୍ୟାଜଳ ଘେରରେ ଫସି ରହିଥିବା ଗ୍ରାମବାସୀ ମାନଙ୍କ ପାଖକୁ ସହଯୋଗ ଓ ରିଲିଫ୍ ସାମଗ୍ରୀ ପହଂଚିନଥିବାରୁ ଅସନ୍ତୋଷ ଦେଖାଦେଇଛି ।