ବିଜଦରେ ମୟୂରଭଞ୍ଜ ଗଡ଼ରକ୍ଷା ନିମନ୍ତେ ଚାଲିଛି ଅଙ୍କକଷା
ବାରିପଦା(ଦିଲ୍ଲୀପ ମହାନ୍ତି)-୨୦୧୯ରେ ହେବାକୁ ଥିବା ସାଧାରଣ ନିର୍ବାଚନ ଯେତିକି ପାଖେଇ ପାଖେଇ ଆସୁଛି । ସମୟ ସହିତ ତାଳ ଦେଇ ବଦଳିବାରେ ଲାଗିଛି ରାଜନୈତିକ ସମୀକରଣ । ଏହିଭଳି ପରିସ୍ଥିତିରେ କେମିତି ରହିବ ନବୀନଙ୍କ ନିମନ୍ତେ ମୟୂରଭଞ୍ଜ ଜିଲ୍ଲାର ପାଣିପାଗ । କ୍ରମାଗତ ଭାବେ ୧୮ ବର୍ଷ ଶାସନରେ ପରାଜୟର ମୁହଁ ଦେଖି ନଥିବା ନବୀନ ମୟୂରଭଞ୍ଜ ଜିଲ୍ଲାରେ ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଫଳାଫଳରେ ସାମାନ୍ୟ ବିଚଳିତ ହୋଇପଡ଼ିଛନ୍ତି ନବୀନ । ଚାଲେଞ୍ଜର ସମ୍ମୁଖୀନ ହେବା ନିମନ୍ତେ ରଣକୌଶଳ ଆପଣେଇ ନେଇଛନ୍ତି । ମୟୂରଭଞ୍ଜର ଗଡ଼କୁ କିପରି ରକ୍ଷା କରିବେ ସେଥି ନିମନ୍ତେ ଚାଲିଛି ଅଙ୍କକଷା ।
୨୦୧୪ ସାଧାରଣ ନିର୍ବାଚନରେ ବିଜେଡ଼ି ଜିଲ୍ଲାର ୯ଟି ବିଧାନସଭା ଆସନ ସହିତ ମୟୂରଭଞ୍ଜ ଲୋକସଭା ଆସନ ଜିଣି ରେକଡର଼୍ ପ୍ରତିଷ୍ଠା କରିଥିଲା । ବିଧାନସଭା ନିର୍ବାଚନରେ ବିଜଦ ଖାତାରେ ୩୪.୦୯ ପ୍ରତିଶତ ହାରରେ ମୋଟ ୪ଲକ୍ଷ ୪୭ ହଜାର ୪୫ ଭୋଟ ପଡ଼ିଥିବା ସମୟରେ ବିଜେପିକୁ ୨୨.୬୧ ପ୍ରତିଶତ, କଂଗ୍ରେସକୁ ୧୫.୨୬ ପ୍ରତିଶତ ଓ ଝାମୁମୋକୁ ୧୩.୩୯ ପ୍ରତିଶତ ଭୋଟ ମିଳିଥିଲା । ମାତ୍ର ଗତ ୨୦୧୭ରେ ସମାପ୍ତ ହୋଇଥିବା ଜିଲ୍ଲାପରିଷଦ ନିର୍ବାଚନରେ ବିଜଦ ଦଖଲରେ ରହିଥିବା ମୟୂରଭଞ୍ଜ ଜିଲ୍ଲାପରିଷଦକୁ ଭାଜପା ଛଡ଼ାଇ ନେଇଥିଲା । ନିର୍ବାଚନରେ ୫୬ଟି ଜିଲ୍ଲାପରିଷଦ ଆସନ ମଧ୍ୟରୁ ବିଜଦ ୨୯.୭୫ ପ୍ରତିଶତ ହାରରେ ମୋଟ ୩,୭୬, ୪୧୬ ଖଣ୍ଡ ଭୋଟ ପାଇ ମାତ୍ର ୫ଟି ଆସନରେ ବିଜୟୀ ହୋଇଥିବା ବେଳେ ଝାମୁମୋ ୧୦.୩୬ ପ୍ରତିଶତ ହାରରେ ୧,୩୧,୦୫୯ ଖଣ୍ଡ ଭୋଟପାଇ ୧, ସ୍ୱାଧୀନ ୧ , କଂଗ୍ରେସ ୭.୬୮ ପ୍ରତିଶତ ହାରରେ ମୋଟ ୯୭,୧୪୪ ଖଣ୍ଡ ଭୋଟ ପାଇ ଖାତା ଖୋଲିପାରି ନ ଥିଲା ଓ ଭାଜପା ସର୍ବାଧିକ ୪୫.୩୨ ପ୍ରତିଶତ ହାରରେ ମୋଟ ୫,୭୩,୨୮୭ ଖଣ୍ଡ ଭୋଟ ପାଇ ୪୯ ଆସନରେ ବିଜୟୀ ହୋଇଥିଲା ।
ଗତ ଜିଲ୍ଲାପରିଷଦର ଫଳାଫଳକୁ ତର୍ଜମା କଲେ ମୟୂରଭଞ୍ଜ ଜିଲ୍ଲାର ୯ ବିଧାୟକ ଜନତାଙ୍କ ସହିତ ନଥିବାର ପରିଲକ୍ଷିତ ହୋଇଛି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ଜନସାଧାରଣଙ୍କ ସାମାଜିକ, ଅର୍ଥନୈତିକ ବିକାଶ ସାହିତ ସାମଗ୍ରିକ ବିକାଶକୁ ଗୁରୁତ୍ୱ ଦେଇ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକର ସଫଳ ରୂପାୟନ କରାଇ ଆସୁଥିବା ବେଳେ ମୟୂରଭଞ୍ଜ ଜିଲ୍ଲାରେ ବିଜଦ ବିପକ୍ଷରେ ଜନମତ ହାଇକମାଣ୍ଡ ନବୀନଙ୍କୁ କେତାକାଂଶରେ ବିଚଳିତ କରାଇ ଦେଇଥିଲା । ତେଣୁ ଜିଲ୍ଲାରେ ବିଜଦ କିପରି ତାର ପୂର୍ବସ୍ଥିତି ଫେରାଇ ଆଣିପାରିବ ସେଥି ନିମନ୍ତେ ରାଜ୍ୟସଭା ସାଂସଦ ତଥା ପୂର୍ବତନ ମନ୍ତ୍ରୀ ସରୋଜିନୀ, ଝାମୁମୋ ତ୍ୟାଗ କରି ବିଜଦରେ ସାମିଲ ହୋଇଥିବା ଝାମୁମୋର ରାଜ୍ୟସଭାପତି ତଥା ବିଜଦର ପୂର୍ବତନମନ୍ତ୍ରୀ ସୁଦାମ ମାର୍ଣ୍ଡି ଓ ଧନୁତୀର ଛାଡ଼ି ହାତରେ ଶଙ୍ଖ ଧରିଥିବା ଯୁବନେତା ଦେବାଶିଷ ମାର୍ଣ୍ଡିଙ୍କୁ ନେଇ ପରୀକ୍ଷା ନିରୀକ୍ଷା କରିବା ପରେ ବର୍ତ୍ତମାନ ଜିଲ୍ଲାରେ ଦଳର ମଙ୍ଗ ବାରିପଦା ବିଧାୟକ ସାନନ୍ଦ ମାର୍ଣ୍ଡିଙ୍କ ହାତରେ ରହିଥିବାର ଜଣାପଡ଼ିଛି । ସାନନ୍ଦ ୨୦୦୯ରୁ ବିଧାନସଭାରେ ଉପବାଚସ୍ପତି ପଦବୀ ଅଳଙ୍କୃତ କରିଆସୁଥିବାରୁ ସାମ୍ବିଧାନିକ ବିଧିବ୍ୟବସ୍ଥା ତାଙ୍କୁ ବାନ୍ଧି ରଖିଆସୁଛି । ତଥାପି ନିଜର ଦୀର୍ଘଦିନର ରାଜନୈତିକ ଅଭିଜ୍ଞତା ଓ ଅନୁଭୁତିକୁ ପାଥେୟ କରି ରାଜନୈତିକ ସତରଞ୍ଜିରେ ଗୋଟି ଚାଳନାରେ ସଫଳ ଖେଳାଳୀ ଭଳି ଜିଲ୍ଲାରିଷଦ ନିର୍ବାଚନରେ ଦଳୀୟ ପରାଜୟର ସମୀକ୍ଷା ଆରମ୍ଭ କରିଥିଲେ ।
୨୦୧୧ ଜନଗଣନା ଆଧାରରେ ମୟୂରଭଞ୍ଜ ଜିଲ୍ଲାର ଜନସଂଖ୍ୟା ୨୫,୧୯ । ଗ୍ରାମାଞ୍ଚଳରେ ୨୩,୨୬,୮୪୨ ଓ ସହରାଞ୍ଚଳରେ ୧,୯୨,୮୯୬ ଜଣ ବସବାସ କରିଥାନ୍ତି । ଉକ୍ତ ଜନସଂଖ୍ୟା ମଧ୍ୟରୁ ସାନ୍ତାଳ, ହୋ, ଭୂମିଜ, ମୁଣ୍ଡାରୀ ଆଦି ବିଭିନ୍ନ ସମ୍ପ୍ରଦାୟର ଗ୍ରାମାଞ୍ଚଳରେ ବସବାସ କରୁଥିବା ଅନୁସୂଚୀତ ଜନଜାତିମାନଙ୍କ ସଂଖ୍ୟା ୧୪,୩୯,୦୦୨, ସହରାଂଚଳରେ ୪୦,୫୭୪ ରହିଥିବା ବେଳେ ଗ୍ରାମାଞ୍ଚଳରେ ଅନୁସୂଚିତ ଜାତି ସଂଖ୍ୟା ୧,୬୩,୨୩୭, ସହରାଂଚଳର ସଂଖ୍ୟା ୨୧,୪୪୫ ରହିଛି । ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସମୟରେ ଆଦିବାସୀ ବହୁଳ ଗ୍ରାମାଞ୍ଚଳଗୁଡ଼ିକରେ ଜନସାଧାରଣ ବିଜଦଠାରୁ ନିଜକୁ ଦୂରେଇ ନେଇଥିଲେ । ଏଥି ସହିତ କଂଗ୍ରେସ ଓ ଝାମୁମୋର ଭୋଟର ହାରରେ ହ୍ରାସ ଘଟିଥିଲା ଓ ଏହା ଭାଜପା ସପକ୍ଷରେ ଯାଇଥିଲା । ଜିଲ୍ଲାରେ ବିଜଦ କିପରି ତାର ପୂର୍ବସ୍ଥିତାବସ୍ଥାକୁ ପ୍ରତ୍ୟାବର୍ତ୍ତନ କରିପାରିବ ସେଥି ନିମନ୍ତେ ବାରିପଦା ବିଧାୟକ ଶ୍ରୀମାର୍ଣ୍ଡି ଏକ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବା ସହିତ ପ୍ରଥମେ ‘ମିଶନ-୬୦’ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏହି ମିଶନ-୬୦ ମଧ୍ୟ ତାର ଲକ୍ଷ୍ୟ ଭେଦ କରିବାରେ ସଫଳ ହୋଇପାରିଛି ।
ମୟୂରଭଞ୍ଜ ଜିଲ୍ଲାର ମୋଟ ୯ଟି ବିଧାନସଭା କ୍ଷେତ୍ର ମଧ୍ୟରୁ ୭ଟି ଅନୁସୂଚିତ ଜନଜାତି, ଗୋଟାଏ ଆସନ ଅନୁସୂଚିତ ଜାତି ନିମନ୍ତେ ସଂରକ୍ଷିତ ରହିଥିବା ବେଳେ ଗୋଟାଏ ଆସନ ଅଣସଂରକ୍ଷିତ ରହିଛି । ୨୦୧୪ ସାଧାରଣ ନିର୍ବାଚନ ସମୟରେ ଅଧିକାଂଶ ଆସନରେ ତ୍ରିମୁଖୀ ଓ ଚତୁର୍ମୁଖୀ ଲଢେ଼ଇ ସହିତ ନବୀନ ହାୱା କାରଣରୁ ଏହି ସମସ୍ତ ଆସନ ବିଜଦ ଦଖଲକୁ ସହଜରେ ଆସିଯାଇଥିଲା । ମାତ୍ର ଜିଲ୍ଲାରେ ନେତା, କର୍ମୀ ଓ ସମର୍ଥକମାନଙ୍କ ମଧ୍ୟରେ ଆତ୍ମଘାତୀ କାର୍ଯ୍ୟକଳାପ ବୃଦ୍ଧି ପାଇଥିବାରୁ ଏମାନେ ଜିଲ୍ଲାବାସୀଙ୍କ ନିକଟରୁ ଦୂରେ ଯାଇଥିଲେ । ବର୍ତ୍ତମାନ ବିଜଦର ସ୍ଥିତି ଆସ୍ତେଆସ୍ତେ ସୁଦୃଢ଼ ହେବାକୁ ଯାଉଛି; ତଥାପି ଜିଲ୍ଲାରେ ବିଜଦ ୩ରୁ ଅଧିକ ଆସନ ହାତଛଡ଼ା କରିବାର ସମ୍ଭାବନା ଅଧିକ ରହିଛି । ଏହି ନିର୍ବାଚନ ମଣ୍ଡଳୀଗୁଡ଼ିକରେ ବର୍ତ୍ତମାନର ବିଜଦ ବିଧାୟକମାନଙ୍କ ଉପରୁ ସାଧାରଣ ଜନତା ମୁହଁ ଫେରାଇ ନେଇଥିବାରୁ ୨୦୧୯ ନିର୍ବାଚନରେ ଏମାନଙ୍କର ସଫତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରାଇଛି । ଫଳରେ ୨୦୧୯ ସାଧାରଣ ନିର୍ବାଚନ ବେଳେ ମୟୂରଭଞ୍ଜ ଜିଲ୍ଲାରେ ବିଜଦ ଅଧିକାଂଶ ନୂଆ ଚେହେରା ସପକ୍ଷରେ ରହିଥିବା ଦିଗ ପ୍ରତି ଅଙ୍ଗୁଳି ନିଦେ୍ର୍ଧଶ କରାଉଛି ।