ବିଜେଡ଼ିରୁ ଇସ୍ତଫା ଦେଲେ ରାଜ୍ୟ ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା

Apr 22, 2019 - 13:27
 165
ବାରିପଦା, ୨୦/୪(ସକାଳଖବର): ଅପ୍ରେଲ ୨୯ରେ ମୟୂରଭଞ୍ଜ ଲୋକସଭା ଆସନ ସହ ଜିଲ୍ଲାର ୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ବିଜେଡ଼ିରେ ଅସ୍ଥିରତା ଥମିବାର ନାଁ ଧରୁନାହିଁ । ଓଡ଼ିଶାରେ ବିଜେଡ଼ିର ସଂଗଠନ ଦିନକୁ ଦିନ ସୁଦୃଢ଼ ହେବାରେ ଲାଗିଥିବା ବେଳେ ମୟୂରଭଞ୍ଜ ଜିଲ୍ଲାରେ ଦୁର୍ବଳ ହେଉଛି । ଏଥି ନିମନ୍ତେ ରାଜ୍ୟ ଓ ଜିଲ୍ଲା ନେତୃତ୍ୱକୁ ଉତରଦାୟୀ କରିଛନ୍ତି ରାଜ୍ୟ ମହିଳା ମୋର୍ଚ୍ଚାର ସାଧାରଣ ସମ୍ପାଦିକା ଜ୍ୟୋତିର୍ମୟୀ କବାଟ । ଶ୍ରୀମତୀ କବାଟଙ୍କ ଅଭିଯୋଗ ଅନୁସାରେ, ବର୍ତମାନ ମୟୂରଭଞ୍ଜ ଜିଲ୍ଲାରେ ବିଜେଡ଼ି ଦିଗହରା ହୋଇଯାଇଛି । ନେତୃତ୍ୱ ବୋଲି ଗୋଟାଏ ଶବ୍ଦ ରହିଥିବା ଭଳି ମନେ ହେଉନାହିଁ । ସେ ଦୁଇ ଦୁଇ ଥର ମୟୂରଭଞ୍ଜ ଜିଲ୍ଲା ମହିଳା ମୋର୍ଚ୍ଚାର ସଭାପତି ଦାୟିତ୍ୱ ନିର୍ବାହ କରିବା ପରେ ରାଜ୍ୟ ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ରହିଥିଲେ । କିନ୍ତୁ, ବିଜେଡ଼ି ଦଳ ଆଉ ପୂର୍ବ ପରି ନାହିଁ । ଦଳୀୟ ନେତୃତ୍ୱ ତାଙ୍କୁ ଅଣଦେଖା ପ୍ରଦର୍ଶନ ପୂର୍ବକ କୋଣଠେସା କରିଦେଇଛନ୍ତି । କେବଳ ସେ ଏକାକୀ ନୁହେଁ ବହୁ ପୁରୁଣା ଓ ନୂଆ କର୍ମୀ ଏବଂ ନେତା ଦଳ ମଧ୍ୟରେ ଅଣନିଶ୍ୱାସୀ ହୋଇପଡ଼ିଲେଣି । କେହି ମୁହଁ ଖୋଲିବାକୁ ସାହସ ଜୁଟାଇ ପାରୁ ନାହାନ୍ତି । ସହ୍ୟ କରିବାର ସମସ୍ତ ସୀମା ଉଲ୍ଲଙ୍ଘନ କରିସାରିଥିବାରୁ ଆଜି ଦଳର ପ୍ରାଥମିକ ସଦସ୍ୟ ପଦ ସହ ରାଜ୍ୟ ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ପଦବୀରୁ ଇସ୍ତଫା ଦେବାକୁ ସେ ବାଧ୍ୟ ହୋଇଛନ୍ତି । ଉକ୍ତ ଇସ୍ତଫା ପତ୍ରକୁ ସାମାଜିକ ଗଣମାଧ୍ୟମ ଟୁଇଟରରେ ବିଜେଡ଼ି ହାଇକମାଣ୍ଡ ତଥା ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଟୁଇଟରେ ଜଣାଇ ଦେଇଥିବା ବେଳେ ସ୍ପିଡ଼ ପୋଷ୍ଟରେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ଓ ରାଜ୍ୟ ମହିଳା ମୋର୍ଚ୍ଚା ସଭାପତିଙ୍କ ନିକଟକୁ ପଠାଇ ଦେଇଛନ୍ତି । ଏଥି ସହିତ କୌଣସି ରାଜନୈତିକ ଦଳରେ ସାମିଲ ହେବେ ନାହିଁ ବୋଲି ଜ୍ୟୋତିର୍ମୟୀ କବାଟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ରାଜ୍ୟ ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ଶ୍ରୀମତୀ କବାଟଙ୍କ ଇସ୍ତଫା ଦଳୀୟ ଗୋଷ୍ଠୀ କନ୍ଦଳକୁ ପଦାରେ ପକାଇଦେଇଛି ।