ଦନ୍ତା ହାତୀର ମୃତ ଦେହ ଉଦ୍ଧାର ; ଜଣେ ଚାଷୀ ଅଟକ

Aug 20, 2018 - 17:31
 171
ଦନ୍ତା ହାତୀର ମୃତ ଦେହ ଉଦ୍ଧାର ; ଜଣେ ଚାଷୀ ଅଟକ
ଅନୁଗୋଳ ୨୦/୮ (ସକାଳଖବର): ଅନୁଗୋଳ ଜିଲା ବନ୍ତଳା ରେଞ୍ଜ ଅନ୍ତର୍ଗତ ପୋକତୁଙ୍ଗା ତେଲି ତଇଳା ଜଙ୍ଗଲରେ ଏକ ଦନ୍ତା ହାତୀର ମୃତ ଦେହକୁ ବନ ବିଭାଗ ଉଦ୍ଧାର କରିଛି । ତେବେ ଦନ୍ତା ହାତୀଟି ନିକଟସ୍ଥ ଏକ କଦଳୀ ବଗିଚାରେ ପଶିବା ବେଳେ ବିଦ୍ୟୁତ ତାର ଲାଗି ମୃତ୍ୟୁ ବରଣ କରିଥିବା କୁହାଯାଉଛି । ଏନେଇ ବନ ବିଭାଗ କଦଳୀ ଚାଷୀକୁ ଅଟକ ରଖିଥିବା ଜଣାଯାଇଛି । ଘଟଣାରୁ ପ୍ରକାଶ ଯେ, ପୋକତୁଙ୍ଗା ଗାଁର ଅମୂଲ୍ୟ ପ୍ରଧାନଙ୍କର ତେଲି ତଇଳାରେ ଏକ କଦଳୀ ବଗିଚା ରହିଛି ଏବଂ ସେଠାରେ ଲିପ୍ଟ ଇରିଗେସନ ପଏଣ୍ଟଟିଏ ଅଛି । ତେବେ ଚାଷୀ ଅମୂଲ୍ୟ ଲିପ୍ଟ ଇରିଗେସନ ପଏଣ୍ଟ ଓ କଦଳୀ ବଗିଚାକୁ ହାତୀ ଦାଉରୁ ସୁରକ୍ଷା ଦେବା ପାଇଁ ଏକ ବଲ ଜଳାଇଥିଲେ । ତେବେ ଗତକାଲି ବିଳମ୍ବିତ ରାତିରେ ୨୦/୨୫ ବର୍ଷର ଏକ ଦନ୍ତା ହାତୀ କଦଳୀ ବଗିଚାକୁ ପଶି ଖାଉଥିଲା । ତେବେ କଦଳୀ ଗଛ ଭାଙ୍ଗି ଯିବାରୁ ବିଦ୍ୟୁତ ସରବରାହ ଥିବା ବଲବ୍ ତାର ତଳେ ପଡ଼ିଯାଇ କରେଣ୍ଟ ଖେଳିଯାଇଥିଲା । ଯଦ୍ୱାରା ବିଦ୍ୟୁତ କରେଣ୍ଟରେ ହାତୀଟି ମୃତ୍ୟୁବରଣ କରିଥିବା କୁହାଯାଉଛି ।ଅପରପକ୍ଷେ ହାତୀ ଦାଉରୁ ସୁରକ୍ଷା ଦେଇପାରୁନଥିବା ବନ ବିଭାଗ ଏହି ହାତୀ ମୃତ୍ୟୁ ଘଟଣାକୁ ନେଇ ଚାଷୀ ଅମୂଲ୍ୟକୁ ଅଟକ ରଖିଥିବା ଜଣାଯାଇଛି । ଯାହାକି ବନ ବିଭାଗ ନିଜର ଦୋଷକୁ ଘୋଡ଼ାଇବା ପାଇଁ ଚାଷୀକୁ ଅଟକ ରଖିଥିବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଜନ ଅସନ୍ତୋଷ ଦେଖାଦେଇଛି ।