ଦକ୍ଷତା-୨୦୧୮ରାଜ୍ୟସ୍ତରୀୟ ପ୍ରତିଯୋଗିତା
ଦକ୍ଷତା-୨୦୧୮ରାଜ୍ୟସ୍ତରୀୟ ପ୍ରତିଯୋଗିତା ପ୍ରଥମଥରପାଇଁ ଅନୁଷ୍ଠିତ ହେବାକୁ ଯାଉଛି । ଓଡ଼ିଶା ସରକାରଙ୍କ ପକ୍ଷରୁ ଏହି କାର୍ଯ୍ୟକ୍ରର ଆୟୋଜନ କରାଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨୮ତାରିଖ ସଂଧ୍ୟା ୬ଘଟିକା ସମୟରେ ସ୍ଥାନୀୟ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମରେ ଏହି ପ୍ରତିଯୋଗୀତାକୁ ଉଦ୍ଘାଟନ କରିବେ । ତାପରେ ଏହି ପ୍ରତିଯୋଗିତା ୨୯ ଓ ୩୦ତାରିଖରେ ଭୁବନେଶ୍ୱର ୟୁନିଟ-୩, ଇଡ଼କୋ ପ୍ରଦର୍ଶନୀ ପଡ଼ିଆ, ସିପେଟ, ସିଟିସି, ସିଭିରମଣ କଲେଜରେ ଅନୁଷ୍ଠିତ ହେବବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।
ଏହି ପ୍ରତିଯୋଗୀତା ନିମନ୍ତେ ୬ହଜାର ୯୧୫ ପ୍ରତିଯୋଗୀ ନାମପଞ୍ଜିକରଣ କରିଥିବାବେଳେ ସେଥିମଧ୍ୟରୁ ୨୧୮ଜଣ ପ୍ରତିଯୋଗୀ ଦ୍ୱିସ୍ତରୀୟ ମୌଳିକ ପରୀକ୍ଷାରେ ଉତୀର୍ଣ୍ଣ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କଟକ ଜିଲ୍ଲାର ୩୨ଜଣ ପ୍ରତିଯୋଗୀ ଓଡ଼ିଶା ଦକ୍ଷତା ୨୦୧୮ ନିମନ୍ତେ ସଫଳ ହୋଇଛନ୍ତି । ଏହି ପ୍ରତିଯୋଗୀତା ୨୫ଟି ବିଭାଗରେ ଯଥା ସିଏନସି ମାଇନିଂ, ସିଏନସି ଟର୍ଣ୍ଣିଂ, ଏମସିଏଡ଼ି ପ୍ଲାଷ୍ଟିକ ଆଣ୍ଡ ଡାଇ ଇଞ୍ଜିନିୟରିଂ, ମୋବାଇଲ ରୋବଟିକ୍ସ, ଇଲେକ୍ଟ୍ରୋନିକ୍ସ, ୱେଲଡ଼ିଂ, ଅଟୋ ବଡ଼ି ରିପ୍ୟାରିଂ, ଅଟୋମୋବାଇଲ ଟେକ୍ନୋଲୋଜି, କାର ପେଣ୍ଟିଂ, ୱେବ ଡିଜାଇନ, ବି୍ରକଲେନ, କ୍ୟାବିନେଟ ମେକିଂ, ଇଲେକ୍ଟ୍ରିକାଲ ଇନ୍ଷ୍ଟଲେସନସ, ୱାଲ ଆଣ୍ଡ ଫ୍ଲୋର ଟାଇଲିଂ, ଫେସନ ଟେକ୍ନୋଲୋଜି, କୁକିଂ ରେଷ୍ଟୁରାଣ୍ଟ ସର୍ଭିସ, ହେୟାର ଡ୍ରେସିଂ, ବିୟୁଟିଥେରାପି, ହେଲଥ ଆଣ୍ଡ ସୋସିଆଲ କେୟାର ଆଦି କ୍ଷେତ୍ରରେ ପ୍ରତିଯୋଗୀମାନେ ଅଂଶଗ୍ରହଣ କରିବେ । ଏଠାରେ ସୂଚନା ଯୋଗ୍ୟ ଯେ, ୨୧୮ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ୫୦ଜଣ (୨ଜଣ ପ୍ରତିବିଭାଗରେ) ସଫଳ ହୋଇ ପୂର୍ବାଞ୍ଚଳ ରାଜ୍ୟ ଜୋନସ୍ତରୀୟ ପ୍ରତିଯୋଗୀତା ନିମନ୍ତେ ଭାଗ ନେଇ ପାରିବେ । ଯାହାକି ଆଗାମୀ ଜୁନ ୧୧ତାରିଖ ଠାରୁ ଜୁନ ୧୩ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେବ । ଯେଉଁ ପ୍ରତିଯୋଗୀମାନେ ଜୋନ ପ୍ରତିଯୋଗୀତାରେ ସଫଳ ହେବେ ସେମାନେ ଜାତୀୟସ୍ତରୀୟ ଓ ପରବର୍ତ୍ତୀ ସମୟରେ ଆନ୍ତର୍ଜାତିକସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇ ପାରିବେ । ଏଥି ପାଇଁ ରାଜ୍ୟସରକାରଙ୍କ ଓଡ଼ିଶା ଦକ୍ଷତା ପ୍ରାଧିକରଣ ମାଧ୍ୟମରେ ପ୍ରତିଯୋଗୀମାନଙ୍କୁ ଅନଲାଇନ ମାଧ୍ୟମରେ ପଞ୍ଜିକରଣ ଏବଂ ଅଫଲାଇନ ଶିଳ୍ପ ତାଲିମ କେନ୍ଦ୍ର ମାଧ୍ୟମରେ ଦରଖାସ୍ତ ଗ୍ରହଣ ପୂର୍ବକ ଗତଫେବୃୟାରୀ ୨୨ତାରିଖସୁଦ୍ଧା ନାମ ପଞ୍ଜିକରଣ କରାଯାଇଥିଲା ।
ବିଶ୍ୱ ଦକ୍ଷତା ପ୍ରତିଯୋଗୀତା ଉଦେ୍ଧଶ୍ୟ ହେଉଛି ପ୍ରତିଯୋଗୀଙ୍କର ବିଶ୍ୱସ୍ତରୀୟ ଦକ୍ଷତା, ପ୍ରତିଭା, ଚରିତ୍ର, ଆତ୍ମବିଶ୍ୱାସ, ପ୍ରତିବଦ୍ଧତା ଏବଂ ଆତ୍ମ ସମ୍ମାନବୋଧ ଗୋଟିଏ ମଞ୍ଚରେ ପ୍ରତିପାଦିତ ହୋଇପାରିବ । ଯାହାକି ସେମାନଙ୍କୁ ବିଭିନ୍ନ ସଂସ୍ଥା ଓ ଶିଳ୍ପାନୁଷ୍ଠାନମାନଙ୍କରେ ନିୟୋଜିତ ହେବାର ସୁଯୋଗ ସୃଷ୍ଟି କରିପାରିବ । ବିଶ୍ୱ ଦକ୍ଷତା ପ୍ରତିଯୋଗୀତା ପ୍ରତି ୨ବର୍ଷରେ ଅନୁଷ୍ଠିତ ହୋଇଥାଏ । ଏଥିପାଇଁ ପ୍ରତିଯୋଗୀଙ୍କ ବୟସ ସୀମା ୨୩ବର୍ଷରୁ ଉଦ୍ଧ୍ୱର୍ ହୋଇନଥିବା ଆବଶ୍ୟକ । ଭାରତ ବିଶ୍ୱଦକ୍ଷତା ରାଷ୍ଟ୍ର ସମୂହରେ ପ୍ରଥମ ଥରପାଇଁ ୨୦୦୬ ମସିହାରେ ସଭ୍ୟ ହୋଇ ୨୦୧୩ ମସିହାର ଜର୍ମାନୀ ଠାରେ ଅନୁଷ୍ଠିତ ବିଶ୍ୱ ଦକ୍ଷତା ପ୍ରତିଯୋଗୀତାରେ ୩ଟି ଉକ୍ରର୍ଷ ପ୍ରତିପାଦନ ସ୍ୱରୂପ ପଦକ ଲାଭ କରିଥିଲା । ୨୦୧୫ ମସିହାରେ ବ୍ରାଜିଲ ଠାରେ ଅନୁଷ୍ଠିତ ବିଶ୍ୱ ଦକ୍ଷତା ପ୍ରତିଯୋଗୀତାରେ ୮ଗୋଟି ପଦକ ଏବଂ ୨୦୧୭ ମସିହାରେ ଆବୁଧାବି ଠାରେ ଅନୁଷ୍ଠିତ ବିଶ୍ୱ ଦକ୍ଷତା ପ୍ରତିଯୋଗୀତାରେ ଗୋଟିଏ ରୋପ୍ୟ, ଗୋଟିଏ କାଂଶ୍ୟ ଏବଂ ୯ଟି ପଦକ ଲାଭ କରିଥିଲା । ପରବର୍ତ୍ତୀ ବିଶ୍ୱ ଦକ୍ଷତା ପ୍ରତିଯୋଗୀତା ୨୦୧୯ ମସିହା ରୁଷିଆର କଜନ ଠାରେ ଅଗଷ୍ଟ-ସେପ୍ଟେମ୍ବର ମାସରେ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି । ଜିଲ୍ଳାପାଳ ତଥା ଜିଲ୍ଳା ନିଯୁକ୍ତି ମିଶନ ଅଧ୍ୟକ୍ଷ ସୁଶାନ୍ତ କୁମାର ମହାପାତ୍ର ଅଧ୍ୟକ୍ଷତା କରିଥିବାବେଳେ ଜିଲ୍ଲା ନିଯୁକ୍ତି ଅଧିକାରୀ ମାନସରଞ୍ଜନ ମହାନ୍ତି, ବୋଷ ଅଧ୍ୟକ୍ଷ ଅରୁଣ କୁମାର ମହାପାତ୍ର, କଟକ ମଧୁସୂଦନ ଆଇଟିଆଇର ଅଧ୍ୟକ୍ଷ ଶିଶିର କୁମାର ସାହୁ, ଆଇଟିଆଇ ଚୌଦ୍ୱାର ଅଧ୍ୟକ୍ଷ ଶୁଭେନ୍ଦ୍ର କୁମାର ମିଶ୍ର, କଟକ ଖପୁରିଆ ସରକାରୀ ଆଇଟିଆଇ ଅଧ୍ୟକ୍ଷ ହୃଷିକେଶ ମହାନ୍ତି ଓ ଉପାଧ୍ୟକ୍ଷ ଉମେଶ ଚନ୍ଦ୍ର ମିଶ୍ରଙ୍କ ସମେତ ଜିଲ୍ଲାର ବିଭାଗୀୟ ଅଧିକାରୀ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତଥିଲେ ।