ମିଦାସ ଟଚ୍ ଆସେଟ୍ସ ଏମଡିଙ୍କ ଜାମିନ ଶୁଣାଣି ଘୁଞ୍ଚିଲା

Apr 26, 2018 - 06:42
 171
କଟକ,୨୫ା୪(ସକାଳଖବର): ମିଦାସ ଟଚ୍ ଆସେଟ୍ସ ଆଣ୍ଡ ସିକୁରିଟି ଲିମିଟେଡ ଚିଟଫଣ୍ଡ ସଂସ୍ଥା ପରିଚାଳନା ନିଦେ୍ର୍ଧଶକ ସୌଭାଗ୍ୟ କୁମାର ସାମଲଙ୍କ ଜାମିନ ଆବେଦନ ଉପରେ ହାଇକୋର୍ଟ ଜଷ୍ଟିସ ଜେ ପି ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ପରବର୍ତ୍ତୀ ଶୁଣାଣି ଆସନ୍ତା ୧୦ତାରିଖରେ ହେବ ବୋଲି କୋର୍ଟ ଧାର୍ଯ୍ୟ କରିଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସୁରେଶ ଚନ୍ଦ୍ର ତ୍ରିପାଠୀ ମାମଲା ପରିଚାଳନା କରୁଛନ୍ତି । ଏହି ସଂସ୍ଥା ଓଡ଼ିଶାରୁ ପ୍ରାୟ ୫୦କୋଟି ଟଙ୍କା ଠକେଇ କରିଥିଲା । ଏହି ଅଭିଯୋଗକ୍ରମେ ସିବିଆଇ ୨୦୧୬ ମସିହା ଜୁଲାଇ ୨୬ତାରିଖରେ ଅଭିଯୁକ୍ତକୁ ଗୁଜୁରାଟର ବରୋଦରା ଜିଲା ଗୋତ୍ରୀ ଅଞ୍ଚଳରୁ ଗିରଫ କରିଥିଲା । ତେବେ ଅଭିଯୁକ୍ତ ସୌଭାଗ୍ୟ ନାଁରେ ଓଡିଶା ପୁଲିସ ୨୦୧୩ ମସିହାରେ ଏହି ମାମଲା ରୁଜୁ କରିଥିଲା । ଏହାପରେ ସିବିଆଇ କୋର୍ଟ ପକ୍ଷରୁ ତାଙ୍କ ବିରୋଧରେ ଜାମିନ ବିହୀନ ପରୱାନା ଜାରି କରାଯାଇଥିଲା । ସିବିଆଇ ତାଙ୍କ ବିରୋଧରେ ଆଇପିସି ୧୨୦-ବି, ୪୨୦, ୪୦୯ ଦଫା ଓ ୪,୫ ଓ ୬ ଧାରା ପ୍ରାଇଜ ଚିଟ୍ସ ଆଣ୍ଡ ମନି ସର୍କୁଲେସନ ସ୍ମିମ(ନିଷେଧ) ଆକ୍ଟ-୧୯୭୮ ଅନୁସାରେ ୨୦୧୫, ଏପ୍ରିଲ ମାସ ୧୭ତାରିଖରେ ଚାର୍ଜସିଟ ଦାଖଲ କରିଥିଲା । ଏହି ସଂସ୍ଥା ୧୬.୮୮କୋଟି ଠକେଇ କରିଥିବା ଚାର୍ଜସିଟରେ ଦର୍ଶାଯାଇଥିଲା । ସିବିଆଇ ମଧ୍ୟ ୨୦୧୪, ଅଗଷ୍ଟ ମାସ ୫ତାରିଖରେ ଓଡିଶାର ୫ଟି ଜିଲାରେ ଏହି ସଂସ୍ଥାର ବିଭିନ୍ନ ଅଫିସରେ ଚଢାଉ କରିଥିଲା ।