କୋଣାର୍କ ସୁରକ୍ଷିତ : କେନ୍ଦ୍ର ସଂସ୍କୃତି ମନ୍ତ୍ରୀ

Dec 10, 2018 - 18:53
 148
କୋଣାର୍କ ସୁରକ୍ଷିତ : କେନ୍ଦ୍ର ସଂସ୍କୃତି ମନ୍ତ୍ରୀ
ଭୁବନେଶ୍ୱର, ୧୦/୧୨(ସକାଳଖବର): କୋଣାର୍କ, ପୁରୀ ଶ୍ରୀମନ୍ଦିର ଏବଂ ଲିଙ୍ଗରାଜ ମନ୍ଦିର ଭଳି ସାଂସ୍କୃତିକ ଐତିହ୍ୟସ୍ଥଳୀର ସୁରକ୍ଷା ଓ ସଂରକ୍ଷଣ ପ୍ରତି କେନ୍ଦ୍ର ସରକାର ପ୍ରତିବଦ୍ଧ । ଏହା ଦେଶ ତଥା ବିଶ୍ୱର ସାଂସ୍କୃତିକ ଧରୋହର ହୋଇଥିବାରୁ ଏ ସବୁର ସୁରକ୍ଷା ଆମ ସମସ୍ତଙ୍କ ଦାୟୀତ୍ୱ ବୋଲି କହିଛନ୍ତି କେନ୍ଦ୍ର ସଂସ୍କୃତି (ସ୍ୱାଧୀନ) ତଥା ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତନ ରାଷ୍ଟ୍ରମନ୍ତ୍ରୀ ଡ. ମହେଶ ଶର୍ମା କହିଛନ୍ତି । ସୋମବାର ଭୁବନେଶ୍ୱରଠାରେ ରାଜ୍ୟ ସରକାରଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକରେ ଐତିହାସିକ କୀର୍ତିରାଜି ସମୂହର ସୁରକ୍ଷା ନେଇ ହୋଇଥିବା ସମୀକ୍ଷା ବୈଠକ ବେଳେ ସେ ଏହି ସୂଚନା ଦେଇଛନ୍ତି ।ସେ କହିଥିଲେ ଯେ, ରୁର୍କୀସ୍ଥିତ କେନ୍ଦ୍ରୀୟ କୋଠାବାଡ଼ି ଗବେଷଣା ପ୍ରତିଷ୍ଠାନ ଏବଂ ଆନ୍ତର୍ଜାତୀକ କୀର୍ତିରାଜି ଓ ଐତିହ୍ୟସ୍ଥଳୀ ପରିଷଦର ମିଳିତ ଅନୁଧ୍ୟାନ ପରେ କୋଣାର୍କ ମନ୍ଦିର ସମ୍ପୂର୍ଣ୍ଣ ରୂପେ ସୁରକ୍ଷିତ ଥିବା ଜଣାପଡିଛି । ଏହି ଦୁଇଟି ସଂସ୍ଥାର ଅନୁଧ୍ୟାନ ଅନୁଯାୟୀ କୋଣାର୍କ ମୁଖ୍ୟ ମନ୍ଦିରର ଭିତିଭୂମି ତଳେ ରହିଥିବା ମାଟି ୨୨୩୨ କିଲୋ ନିଉଟନ୍/ମିଟର ପର୍ଯ୍ୟନ୍ତ କ୍ଷମତାର ଚାପ ବା ଓଜନ ବହନ/ସହନ କରିପାରିବ । ହେଲେ ବର୍ତମାନ କୋଣାର୍କ ମନ୍ଦିରର ଭିତିଭୂମି ଉପରେ ସାମଗ୍ରୀକ ଚାପ/ଓଜନ କ୍ଷମତା ୪୬୯ କିଲୋ ନିଉଟନ/ମିଟର ରହିଛି । ତେଣୁ ଭୂକମ୍ପ, ବନ୍ୟା, ବାତ୍ୟା ଓ ଅନ୍ୟାନ୍ୟ ବିପର୍ଯ୍ୟୟକୁ ସହିପାରିବାର କ୍ଷମତା ଏହି ୟୁନେସ୍କୋ ଐତିହ୍ୟସ୍ଥଳୀର ରହିଛି ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ । ଜୁନ ୨୦୧୫ ଏବଂ ଫେବ୍ରୁଆରୀ ୨୦୧୭ରେ ଏଣ୍ଡୋସ୍କୋପିକ୍ ଅନୁଧ୍ୟାନ ଏବଂ ୨୦୧୭ ଫେବ୍ରୁଆରୀରେ ଜିଓଟେକ୍ନିକାଲ ଅନୁଧ୍ୟାନ ବିସ୍ତୃତ ଭାବେ କରାଯାଇ ଥ୍ରୀ-ଡି ଲେଜର ଫଟୋମାନ ମନ୍ଦିର ଉପର ଚୂଡା ତଥା ଅଁଳାବେଢ଼ାରୁ ନିମ୍ନ ଭାଗ ପର୍ଯ୍ୟନ୍ତ କରାଯାଇଛି । ଆଭ୍ୟନ୍ତରୀଣ ଜଗମୋହନରେ ଭର୍ତି ହୋଇଥିôବା ବାଲି ଅଳ୍ପ ଦବି ଯାଇଥିବାରୁ ଉପରିସ୍ଥ ଭାଗରେ କିଛିଟା ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ବିଶେଷଜ୍ଞମାନେ ଏହି ଶୂନ୍ୟସ୍ଥାନକୁ ପୁଣି ବାଲି ଦ୍ୱାରା ଭର୍ତି କରିବାକୁ ସୁପାରିସ କରିଛନ୍ତି । ଇତି ମଧ୍ୟରେ “ପୀଢ଼ା ଷ୍ଟୋନ ମ୍ୟାପିଂ” ମଧ୍ୟ ଶେଷ ହୋଇଛି । ଆବଶ୍ୟକସ୍ଥଳେ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ କୋଣାର୍କ ମନ୍ଦିରର ସଂରକ୍ଷଣ ଓ ସୌନ୍ଦର୍ଯ୍ୟବର୍ଦ୍ଧନ ପାଇଁ ଯେ କୌଣସି ଆନ୍ତର୍ଜାତିକ ବିଶେଷଜ୍ଞ ସଂସ୍ଥାର ସହଯୋଗ ଓ ମତାମତ ଲୋଡିବାକୁ ସଙ୍କୋଚ ପ୍ରକାଶ କରିବ ନାହିଁ ବୋଲି ମନ୍ତ୍ରୀ କହିଥିଲେ । ମହାବାତ୍ୟା ପରେ ସମୁଦ୍ରକୁ ଲାଗି କୋଣାର୍କ ଚତୁଃପାଶ୍ୱର୍ରେ ଥିବା ସୁଉଚ୍ଚ ଝାଉଁ ଜଙ୍ଗଲ ନଷ୍ଟ ହୋଇଯିବା ପରେ କୋଣାର୍କ ମନ୍ଦିରକୁ ସିଧାସଳଖ ଲୁଣି ପବନ ମାଡ ହେଉଛି । ଏହାଦ୍ୱାରା ମନ୍ଦିରର ସୂକ୍ଷ୍ମ କାରୁକାର୍ଯ୍ୟର ଦ୍ରୁତ ଅବକ୍ଷୟ ଘଟୁଥିବା ବିଷୟ ଇନ୍ଟାକ ପକ୍ଷରୁ କୁହାଯାଇଥିଲା । ତେଣୁ କାଜୁ ଜଙ୍ଗଲ ସୃଷ୍ଟି ବଦଳରେ ପୁଣି ଥରେ ଝାଉଁ ଜଙ୍ଗଲ ସୃଷ୍ଟି କରାଯିବାର ଆବଶ୍ୟକତା ନେଇ ବିଶେଷଜ୍ଞଙ୍କ ଦ୍ୱାରା ଅନୁଧ୍ୟାନ ମାସକ ମଧ୍ୟରେ ସମ୍ପୂର୍ଣ୍ଣ କରାଯିବ । ଏହାପରେ କୋଣାର୍କ ଚତୁଃପାଶ୍ୱର୍ରେ ନୂତନ ଜଙ୍ଗଲ ସୃଷ୍ଟି କରିବା ନେଇ ପଦକ୍ଷେପ ଗ୍ରହଣ କରାଯିବ ।