ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନିଷ୍ପତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଜଣାଇଲେ ସତ୍ୟବାଦୀବାସୀ

Jul 30, 2018 - 18:23
 187
ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନିଷ୍ପତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଜଣାଇଲେ ସତ୍ୟବାଦୀବାସୀ
ଭୁବନେଶ୍ୱର,୩୦ା୭(ସକାଳଖବର):ଐତିହ୍ୟ କ୍ୟାବିନେଟର ପ୍ରଥମ ବୈଠକରେ ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । ଏଭଳି ଭାଷାଭିତିକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନିଷ୍ପତି ପାଇଁ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀବାସୀ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ସୋମବାର ଅଭିନନ୍ଦନ ଜଣାଇବା ସହ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି । ଏହି ଉପଲକ୍ଷେ ନବୀନ ନିବାସ ନିକଟରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ନେତୃତ୍ୱରେ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ସରପଂଚ ଓ ସମିତି ସଭ୍ୟ ସଂଘ, ବରିଷ୍ଠ ନାଗରିକ ସଂଘ, ପୂର୍ବତନ ଶିକ୍ଷକ ସଂଘ, ଆଇନଜୀବୀ ସଂଘ, ମହିଳା ମହାସଂଘ, ଦଳିତ ସଂଘ, ଯାଦବ ସଂଘ, ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ ଶିକ୍ଷକ ସଂଘ ଓ ଛାତ୍ର ସଂଘ, ଦୟା ବିହାର କଲେଜ, କଣାସ କଲେଜ, ୧୪ ମୌଜା ବିଦୁ୍ୟତ କଲେଜ, ମତ୍ସ୍ୟଜୀବୀ ସଂଘ, ନୀଳାଚଳ ସେବା ପ୍ରତିଷ୍ଠାନ ସ୍ୱେଚ୍ଛାସେବୀ ସଂଗଠନ, ସ୍ୱାଦ ସ୍ୱେଚ୍ଛାସେବୀ ସଂଗଠନ, ସତ୍ୟବାଦୀ ସାଂସ୍କୃତିକ ମଣ୍ଡଳୀ, ପାଇକ ଆଖଡ଼ା ସଂଘ, କୃଷକ ସଂଗଠନ, ସାମ୍ବାଦିକ ସଂଘ, ଭିନ୍ନକ୍ଷମ ସଂଘ ବୁଦ୍ଧିଜୀବୀ, ଶିକ୍ଷାବିତ ଏକତ୍ରିତ ହୋଇ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ମୁଖ୍ୟମନ୍ତ୍ରୀ ଏହାର ଉତରରେ ସତ୍ୟବାଦୀରୁ ଆସିଥିବା ସମସ୍ତ ସଂଗଠନର କର୍ମକର୍ତା ଓ ଜନପ୍ରତିନିଧିଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି ସମ୍ବର୍ଦ୍ଧନା ଉତ୍ସବରେ ମନ୍ତ୍ରୀ ପ୍ରଦୀପ ମହାରଥୀ, ବ୍ରହ୍ମଗିରି ବିଧାୟକ ସଂଜୟ କୁମାର ଦାସବର୍ମା, ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ, କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ, ପ୍ରମୁଖ ଉପସ୍ଥିତ ଥିଲେ ।