ଓଡ଼ିଶା ଖାଦ୍ୟ ସୁରକ୍ଷା ଯୋଜନାକୁ କ୍ୟାବିନେଟ ମଂଜୁରୀ

Jul 30, 2018 - 18:35
 200
ଓଡ଼ିଶା ଖାଦ୍ୟ ସୁରକ୍ଷା ଯୋଜନାକୁ କ୍ୟାବିନେଟ ମଂଜୁରୀ
ଭୁବନେଶ୍ୱର,୩୦ା୭(ସକାଳଖବର): ରାଜ୍ୟର ନିଜସ୍ୱ ଖାଦ୍ୟ ସୁରକ୍ଷା ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ପାଇଁ ଆଜି କ୍ୟାବିନେଟ ବୈଠକରେ ଏ ସମ୍ପର୍କରେ ଆସିଥିବା ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ଗରିବ ଏବଂ ଅସହାୟ ଲୋକ ଏହାଦ୍ୱାରା ଉପକୃତ ହେବେ । ଏଥିରେ ସମୁଦାୟ ରାଜ୍ୟ ସରକାରଙ୍କର ରାଜକୋଷରୁ ୨୨୦ କୋଟି ଟଙ୍କା ବ୍ୟୟ କରାଯିବ । ମୁଣ୍ଡପିଛା ୫ କେଜି ଲେଖାଏଁ ଚାଉଳ ଯୋଗାଇ ଦେବାପାଇଁ ଏହି ନୂତନ ବ୍ୟବସ୍ଥାରେ ରହିଛି । ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ନିଆଯାଇଥିବା ଏହି ନିଷ୍ପତି ସମ୍ପର୍କରେ କ୍ୟାବିନେଟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଥିଲେ । ସେ କହିଥିଲେ ଯେ, ୨୨୦ କୋଟି ଟଙ୍କା ମଧ୍ୟରୁ ୧୪୦ କୋଟି ଟଙ୍କା ସରକାରଙ୍କ ପାଖରେ ରହିଛି । ଅବଶିଷ୍ଟ ୮୦ କୋଟି ଟଙ୍କା ଆଗାମୀ ଅତିରିକ୍ତ ବଜେଟରେ ବ୍ୟବସ୍ଥା କରାଯିବ ବୋଲି ବୈଠକରେ ସ୍ଥିର ହୋଇଛି । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଭଳି ଏହି ଯୋଜନାରେ ଚାଉଳ ପାଇବା ଲାଗି ଦୁଇଟି ମାପ ଦଣ୍ଡ କରାଯାଇଛି । ଚାଉଳ ପାଇବାପାଇଁ ଯୋଗ୍ୟ ବିବେଚିତ ହେବାକୁ ୧୧ଟି ମାନଦଣ୍ଡ ଏବଂ ନ ହେବା ପାଇଁ ୯ଟି ମାନଦଣ୍ଡ ରହିଛି । ଏହି ୧୧ଟି ମାନଦଣ୍ଡ ମଧ୍ୟରେ ଜାତୀୟ ଖାଦ୍ୟ ସୁରକ୍ଷା ଆକ୍ଟରେ ଥିବା ୬ଟି ମାନଦଣ୍ଡ ଅନ୍ତର୍ଭୁକ୍ତ ରହିଛି । ଏହାକୁ ମିଶାଇ ରାଜ୍ୟ ସରକାର ଆଉ ନୂତନ ୫ଟି ମାନଦଣ୍ଡ ପ୍ରସ୍ତୁତ କରିଛନ୍ତି । ତାକୁ ମିଶାଇ ଏହି ନୂତନ ଯୋଜନାରେ ୧୧ଟି ମାନଦଣ୍ଡ କରାଯାଇଛି । ଯେଉଁମାନେ ଯୋଗ୍ୟ ବିବେଚିତ ହେବେ ସେମାନେ ହେଲେ, ଆଦିମ ଅଧିବାସୀ, ଯେଉଁମାନଙ୍କର ବାସଗୃହ ନଥିବ, ବାସହରା, ବିଧବା ଏବଂ ଏକୁଟିଆ ଥିବା ମହିଳା, ୪୦ ପ୍ରତିଶତରୁ ଅଧିକ ଦିବ୍ୟାଙ୍ଗ ଥିବା ବ୍ୟକ୍ତି । ଅନ୍ୟପକ୍ଷରେ ଯୋଗ୍ୟ ବିବେଚିତ ନ ହେବା ପାଇଁ ନିରୂପିତ ମାନଦଣ୍ଡ ହେଲା - ଚାରିଚକିଆ ଯାନ ତଥା ତଦୁର୍ଦ୍ଧ ଯାନ ଥିବା, କେନ୍ଦ୍ର, ରାଜ୍ୟ ସାଧାରଣ ଉଦ୍ୟୋଗ, ସ୍ୱୟଂ ଶାସିତ ସଂସ୍ଥା ଏବଂ ପୌରସଂସ୍ଥାର କର୍ମଚାରୀ ହୋଇଥିବେ, ଗ୍ରାମାଂଚଳରେ ୧୦ ହଜାର ଟଙ୍କାରୁ ଉଦ୍ଧ୍ୱର୍ ଓ ସହରାଂଚଳରେ ୧୫ ହଜାର ଟଙ୍କାରୁ ଉଦ୍ଧ୍ୱର୍ ବେତନ ପାଉଥିବା ଘରୋଇ ସଂସ୍ଥାର କର୍ମଚାରୀ ହୋଇଥିବେ, ସରକାରଙ୍କ ଶିଳ୍ପ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ପଂଜୀକୃତ ହୋଇଥିବା, ୨ କିଲୋ ୱାଟ ରୁ ଅଧିକ କିମ୍ବା ୩୦୦ ୟୁନିଟ୍ ବିଦୁ୍ୟତ ବ୍ୟବହାର କରୁଥିବା, ଆୟକର ଓ ବୃତିକର ଦେଉଥିବା, ଗ୍ରାମାଂଚଳରେ ୧୦ ହଜାର ଟଙ୍କା ଏବଂ ନଗରାଂଚଳରେ ୧୫ ହଜାର ଟଙ୍କା ପେନସନ ପାଉଥିବା ବ୍ୟକ୍ତି ଟ୍ରାକ୍ଟର ଓ ହଳ ଲଙ୍ଗଳ ଥିବା ବ୍ୟକ୍ତି, ଇନ୍ଦିରା ଆବାସ ଓ ପ୍ରଧାନମନ୍ତ୍ରୀ ଆୱାସ ବା ବିଜୁ ପକା ଘର ଯୋଜନାରେ ୩ଟି ରୁମ କରିଥିବା ବ୍ୟକ୍ତି ଚାଉ ପାଇବାକୁ ଯୋଗ୍ୟ ବିବେଚିତ ହେବେ ନାହିଁ । ଏହା ବ୍ୟତୀତ ନିର୍ମାଣ ଶ୍ରମିକ ମଧ୍ୟ ଏଥିରୁ ବାଦ ପଡ଼ିବେ ।ଓଡ଼ିଶା ସରକାର, ଜଣେ କେହି ଗରୀବ, ଅସହାୟ ଏବଂ ଯୋଗ୍ୟ ହିତାଧିକାରୀଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ୍ ନ ଦେବାପାଇଁ ପ୍ରତିଶ୍ରୁତିବଦ୍ଧ । ଏ ବାବଦକୁ ଆବଶ୍ୟକ ହେଉଥିବା ଅର୍ଥ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ଭରଣା କରିବେ । ଏହି ଯୋଜନା ବାବଦକୁ ଆବଶ୍ୟକ ହେଉଥିବା ବାର୍ଷିକ ଚାଉଳର ପରିମାଣ ରାଜ୍ୟରେ ସଂଗୃହୀତ ହେଉଥିବା ଚାଉଳରୁ ଭରଣା କରାଯିବ । ନୂତନ ହିତାଧିକାରୀ ମାନଙ୍କୁ ୨, ଅକ୍ଟୋବର, ୨୦୧୮ ରୁ ଚାଉଳ ବଂଟନ କରାଯିବ ।