୨୦ ପର୍ଯ୍ୟନ୍ତ ଆଇନଜୀବୀଙ୍କ କାର୍ଯବନ୍ଦ

Sep 17, 2018 - 17:33
 186
୨୦ ପର୍ଯ୍ୟନ୍ତ ଆଇନଜୀବୀଙ୍କ କାର୍ଯବନ୍ଦ
କଟକ,୧୭ା୯(ସକାଳଖବର): ହାଇକୋର୍ଟର ଜଣେ ଆଇନଜୀବୀଙ୍କୁ ପୁଲିସ ମାଡ଼ ମାରିବା ଘଟଣାରେ ସମଗ୍ର ରାଜ୍ୟର ଓକିଲଙ୍କ କାର୍ଯ୍ୟ ବନ୍ଦ ଆନେ୍ଦାଳନ ଆସନ୍ତା ୨୦ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଆଜି ହାଇକୋର୍ଟ ବାର ଆସୋସିଏସନ ସାଧାରଣ ପରିଷଦ ବୈଠକରେ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଛି ବୋଲି ହାଇକୋର୍ଟ ବାର ଆସୋସିଏସନ ସଭାପତି ଶ୍ରୀକାନ୍ତ କୁମାର ନାୟକ ସୂଚନା ଦେଇଛନ୍ତି । ସେହିପରି ୨୦ତାରିଖ ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ଆନେ୍ଦାଳନ ଚାଲୁ ରଖିବା ପାଇଁ ରାଜ୍ୟର ସମସ୍ତ ବାର ଆସୋସିଏସନକୁ ଅନୁରୋଧ କରାଯାଇଛି । ତେବେ ଉକ୍ତ ଘଟଣାକୁ ନେଇ ଗଠିତ ଆକ୍ସନ କମିଟି ସଦସ୍ୟମାନେ ଆଇନ ମନ୍ତ୍ରୀଙ୍କୁ ସାକ୍ଷାତ କରି ଘଟଣା ସଂପର୍କରେ ଆଲୋଚନା କରିଛନ୍ତି । ତେବେ ଦୋଷୀ ପୁଲିସ କର୍ମଚାରୀଙ୍କୁ ଗିରଫ କରାନଯିବା ପର୍ଯ୍ୟନ୍ତ ଏହି ଆନେ୍ଦାଳନ ଚାଲୁରହିବ ବୋଲି ନିଷ୍ପତ୍ତି ନିଆଯାଇଛି । ଆସନ୍ତା ଗୁରୁବାର ସାଧାରଣ ପରିଷଦ ବୈଠକ ବସିବା ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସଂପର୍କରେ ନିଷ୍ପତ୍ତି ନିଆଯିବ ବୋଲି ହାଇକୋର୍ଟ ବାର ଆସୋସିଏସନ ସଂପାଦକ ସତ୍ୟବ୍ରତ ମହାନ୍ତି ସୂଚନା ଦେଇଛନ୍ତି । ତେବେ ଆଇନଜୀବୀଙ୍କ କାର୍ଯ୍ୟ ବନ୍ଦ ଫଳରେ କୌଣସି ଅଦାଲତରେ ଶୁଣାଣି ହୋଇପାରୁନାହି । ଅଦାଲତରେ ଅଚଳାବସ୍ଥା ଦେଖାଯାଇଛି । ହାଇକୋର୍ଟ ବାର ଆସୋସିଏସନ ସଭାପତି ଶ୍ରୀକାନ୍ତ କୁମାର ନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ବୈଠକରେ ସଂପାଦକ ସତ୍ୟବ୍ରତ ମହାନ୍ତି, ଉପ ସଭାପତି ବଂଶୀଧର ଶତପଥୀ, ଯୁଗ୍ମ ସଂପାଦକ ରଞ୍ଜନ ନାୟକ, ପ୍ରଦୀପ କୁମାର ମହାନ୍ତି, ସୁରେଶ କୁମାର ଜେନା, ସୁଲୋଚନା ପାତ୍ର, ପୃଥିବୀ ରାଜ, ସୁମିତ ଶେଖର ପଟ୍ଟନାୟକ, ସରୋଜକାନ୍ତ ମଣ୍ଡଳ, ଅଧିରାଜ ମହାନ୍ତି, ମଳୟ ରଞ୍ଜନ ବେହେରା, ବୀଣାପାଣି ତ୍ରିପାଠୀ, ଶିଶିର ଚନ୍ଦ୍ର ଦାଶ, ସତ୍ୟନାରାୟଣ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଗତ ୨୮ତାରିଖରେ ଏକ ସଡ଼କ ଦୁର୍ଘଟଣାକୁ ନେଇ ଆଇନଜୀବୀ ଦେବୀପ୍ରସାଦ ପଟ୍ଟନାୟକଙ୍କ ସହ ପୁଲିସର ଯୁକ୍ତିତର୍କ ହୋଇଥିଲା । ଏହାପରେ ପୁଲିସ ଆଇନଜୀବୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା । ଏହାପରେ ଗତ ୨୯ତାରିଖଠାରୁ ହାଇକୋର୍ଟ ବାର ଆସୋସିଏସନ ସମେତ ନିମ୍ନ ଅଦାଲତ ଆଇନଜୀବୀମାନଙ୍କ ପକ୍ଷରୁ କାର୍ଯ୍ୟବନ୍ଦ ଆନେ୍ଦାଳନ ଜାରି ରହିଛି