୧୯ରେ ଲଘୁଚାପ:ମହାନଦୀ ପୁଣି ଫୁଲିବ

Aug 17, 2022 - 07:51
 47
୧୯ରେ ଲଘୁଚାପ:ମହାନଦୀ ପୁଣି ଫୁଲିବ
ଭୁବନେଶ୍ଵର : ରାଜ୍ୟରେ ବନ୍ୟା ଭୟ ବଢୁଥିବାବେଳେ ଏହି ଭୟକୁ ଆତଙ୍କର ରୂପ ଦେଲାଣି ସମ୍ଭାବ୍ୟ ଲଘୁଚାପ । ପାଣି ସାମାନ୍ୟ ଖସୁଥିବାବେଳେ ପୁଣି ମାଡ଼ି ଆସିବ ବନ୍ୟା ପାଣି । ଆସନ୍ତା ୧୯ରେ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ୧୮, ୧୯ ଓ ୨୦ ତିନି ଦିନ ରାଜ୍ୟରେ ପ୍ରବଳ ବର୍ଷିବ । ୧୯ ଓ ୨୦ରେ ଭୀଷଣ ବର୍ଷା ହେବ । ୨୦ ଓ ୨୧ରେ ଛତିଶଗଡ଼ରେ ଭାରୀ ବର୍ଷା ହେବ । ମହାନଦୀ ପୁଣି ଫୁଲିବ । ୧୮ରେ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ବଳୟ ସୃଷ୍ଟି ହେବ । ୧୯ ତାରିଖରେ ଓଡ଼ିଶା ସଂଲଗ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ହେବ । ଏହା ପ୍ରଭାବରୁ ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବ । କେନ୍ଦ୍ରାପଡ଼ାରୁ ଗଞ୍ଜାମ ପର୍ୟ୍ୟନ୍ତ ଜିଲ୍ଲା ଓ ଏହାର ସଂଲଗ୍ନ ଜିଲ୍ଲାରେ ଭାରୀ ବର୍ଷା ହେବ । ୨୦ ତାରିଖରେ ଲଘୁଚାପ ଓଡ଼ିଶାର ସ୍ଥଳଭାଗ ଉପରେ ଥିବାବେଳେ ଘନୀଭୂତ ହୋଇ ଅବପାତ ରୂପ ନେବ । ଫଳରେ ସମ୍ବଲପୁରଠାରୁ ଦକ୍ଷିଣରେ ଥିବା ଜିଲ୍ଲାରେ ଭୀଷଣ ବର୍ଷା ହେବ । ୨୦ ଓ ୨୧ ତାରିଖ ସୁଦ୍ଧା ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, ବୌଦ୍ଧ, ବରଗଡ଼, ସୋନପୁର, ସମ୍ବଲପୁର, ବଲାଙ୍ଗୀର, ନୂଆପଡା, କଳାହାଣ୍ଡି ଓ ନବରଙ୍ଗପୁରରେ ୮୦ରୁ ୧୨୦ ମିଲିମିଟର ବର୍ଷା ହେବ । ଉପକୂଳ ଓଡ଼ିଶାର ପୁରୀ ଓ ଜଗତସିଂହପୁରରେ ବାକି ଅଞ୍ଚଳରେ ୫୦ରୁ ୭୦ମିମି ବର୍ଷା ହୋଇପାରେ । ଏହି ଅବପାତ କ୍ରମଶଃ ପଶ୍ଚିମ ଆଡ଼କୁ ମୁହାଁଇ ଛତିଶଗଡ଼ ଆଡ଼କୁ ଯିବ । ଛତିଶଗଡ଼ ଉପରେ ରହିବା ପର୍ୟ୍ୟନ୍ତ ଏହା ଅବପାତ ହୋଇରହିବ । ଏହାର ପ୍ରଭାବରୁ ଛତିଶଗଡ଼ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ମହାନଦୀ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ମହାନଦୀ ସମେତ ଏହାର ଉପନଦୀ ଓ ଶାଖା ନଦୀରେ ଜଳସ୍ତର ବଢ଼ିଯିବ । ଭାରତୀୟ ପାଣିପାଗ ବି ଜ୍ଞାନ କେନ୍ଦ୍ର(ଆଇଏମ୍‌ଡି) ପୂର୍ବାନୁମାନ ଜାରି କରି କହିଛି, ଆସନ୍ତା ୧୯ରେ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ହେବ । ତେବେ ଘୂର୍ଣ୍ଣିବଳୟ ପ୍ରଭାବରୁ ୧୮ରୁ ପ୍ରବଳ ବର୍ଷା ଆରମ୍ଭ ହୋଇଯିବ । ୨୦ ଯାଏ ରାଜ୍ୟର ବିସ୍ତୃତ ଅଞ୍ଚଳରେ ବର୍ଷା ହେବ ବୋଲି କୁହାଯାଇଛି ।