କାବୁ ହେଲା ବାଘୁଣୀ ସୁନ୍ଦରୀ
ଅନୁଗୋଳ, ୬/୧୧ (ସକାଳଖବର): ଦୀର୍ଘ ଦୁଇମାସ ହେଲା ବାଘୁଣୀ ସୁନ୍ଦରୀ ପାଇଁ ସାତକୋଶିଆ ଅଞ୍ଚଳ ଅଶାନ୍ତ ହୋଇ ପଡ଼ିଥିଲା । ଆଉ ସାତକୋଶିଆବାସୀ ସମେତ ବନ ବିଭାଗ କର୍ମଚାରୀଙ୍କ ଆଖିରୁ ନିଦ ହଜି ଯାଇଥିଲା । ଘନ ଘନ ଅପରେସନ ସୁନ୍ଦରୀ ଚାଲିଥିଲେ ମଧ୍ୟ କାବୁ ହୋଇପାରିନଥିଲା ସୁନ୍ଦରୀ । ଏପରିକି ତିନିଥର ଟ୍ରାଙ୍କୁଲାଇଜ ଉଦ୍ୟମ ଫେଲ ମାରିଥିଲା । ତେବେ ଆଜି ଏହାର ପଡ଼ିଛି ପୂର୍ଣ୍ଣଚ୍ଛେଦ । ଶେଷରେ ଟ୍ରାଙ୍କୁଲାଇଜ ଟିମ ଦ୍ୱାରା କାବୁ ହୋଇଛି ବାଘୁଣୀ ସୁନ୍ଦରୀ । ଆଜି ଦିନ ୧୦.୨୦ବେଳେ ସାତକୋଶିଆ ଅଞ୍ଚଳର ମଝିପଡ଼ା -ବେହେରାସାହି ସମତଳ ସ୍ଥାନ ଶିବ ମନ୍ଦିର ନିକଟରେ ବାଘୁଣୀ ସୁନ୍ଦରୀ ବିଚରଣ କରୁଥିବା ଖବର ପାଇଥିଲା ବିଶେଷଜ୍ଞ ଦଳା । ତାପରେ ଡେ଼ରାଡ଼ୁନ, ନନ୍ଦନକାନନ, ଶିମିଳିପାଳ ଟିମ ଓ ବନ ବିଭାଗର କର୍ମଚାରୀ ଆରମ୍ଭ କରିଦେଇଥିଲେ ଅପରେସନ ସୁନ୍ଦରୀ । ସୁନ୍ଦରୀକୁ କାବୁ କରିବା ପାଇଁ ଥୋପ ଦିଆଯାଇଥିଲା ମାଂସ । ତାପରେ ଯଶୋଦା ପିଠିରେ ବସି ଟ୍ରାଙ୍କୁଲାଇଜ କରିବାକୁ ସଜବାଜ ହୋଇଯାଇଥିଲା ପୂରା ଟିମ୍ । ମାତ୍ର ବାଉଁଶ ବୁଦା ରହିଯାଇଥିବାରୁ ଯଶୋଦା ପିଠିରେ ବସି ଟ୍ରାଙ୍କୁଲାଇଜ କରିବା ସହଜ ନଥିଲା । ତେଣୁ ସାତକୋଶିଆ ଓ ନନ୍ଦନକାନନ ବିଶେଷଜ୍ଞ ଦଳ ବନ ବିଭାଗର ଗାଡ଼ି ନେଇ ବୁଦା ଭିତରେ ଟ୍ରାଙ୍କୁଲାଇଜ ପାଇଁ ଛକି ରହିଥିଲେ । ଠକି ୧୦.୪୫ମି ବେଳେ ମାଂସ ଖାଇବାକୁ ଉଦ୍ୟମ କରୁଥିବାବେଳେ ସୁନ୍ଦରୀ ଦେହରେ ବାଜିଲା ନିଶ୍ଚେତକ ଗୁଳି । ଆଉ ନିସ୍ତେଜ ହୋଇଗଲା ସୁନ୍ଦରୀ । ଦୀର୍ଘ ଦିନ ଧରି ବିଶେଷଜ୍ଞ ଦଳକୁ ଚକ୍ମା ଦେଇ ବାଘୁଣୀ ଜଙ୍ଗଲକୁ ଡ଼ିଆଁ ମାରି ପଳାଉଥିଲା । ଏପରିକି ବାଘୁଣୀର ଆକ୍ସନ ଦେଖି ଯଶୋଦା ମଧ୍ୟ ଟିକେ ଡ଼ରି ଯାଇଥିଲା । ଫଳରେ ବାଘୁଣୀକୁ ନେଇ ବନ ବିଭାଗ ବିଶେଷଜ୍ଞ ଦଳ ନାକେଦମ୍ ହୋଇପଡ଼ିଥିଲେ । ଆଉ ସାତକୋଶିଆ ଅଞ୍ଚଳବାସୀଙ୍କ ମନରେ ଲାଗି ରହିଥିଲା ଭୟ ଓ ଆତଙ୍କ । ତେବେ ଆଜି ବାଘୁଣୀ ସୁନ୍ଦରୀର ଯବନିକା ଶେଷ ହୋଇଛି । ନିଶ୍ଚେତକ ହେବା ପରେ ତାଙ୍କୁ ରାଇଗୁଡ଼ାସ୍ଥିତ ଏନକ୍ଲୋଜରରେ ଭର୍ତ୍ତି କରାଯାଇଛି । ଯଦ୍ୱାରା ସାତକୋଶିଆ ବାସୀଙ୍କ ସମେତ ବନ ବିଭାଗକୁ ଆଶ୍ୱସ୍ତି ମିଳିଥିବା ଜଣାଯାଇଛି । ସୂଚନା ଯେ, ସାତକୋଶିଆ ଅଞ୍ଚଳରେ ବାଘୁଣୀ ସୁନ୍ଦରୀ ଦୁଇ ଦୁଇ ଜଣଙ୍କର ଜୀବନ ନେଇଥିବା ବେଳେ ବହୁ ଗୃହ ପାଳିତ ପଶୁ ଆକ୍ରମଣର ଶିକାର ହୋଇ ମୃତ୍ୟୁବରଣ କରିଥିବା ଅଭିଯୋଗ ଆସିଥିଲା । ଏହି ଘଟଣାକୁ ନେଇ ସାରା ଅଞ୍ଚଳରେ ଅସନ୍ତୋଷର ନିଆଁ ଜଳିଥିଲା । ଆଉ ସ୍ଥାନୀୟ ଲୋକ ବନ ବିଭାଗର ବିଟ୍ ହାଉସ ଜାଳି ଲଙ୍କାକାଣ୍ଡ ଘଟାଇଥିଲେ । ଏପରକି ପୋଲିସ ଆନେ୍ଦାଳନକାରୀଙ୍କ ମଧ୍ୟରେ ସଂଘର୍ଷ ଘଟି ବହୁ ଉତ୍ତେଜନା ସୃଷ୍ଟି ହୋଇଥିଲା । ଏପରିକି ଏହି ଘଟଣାରେ ଏବେ ୩୦ରୁ ଉଦ୍ଧ୍ୱର୍ ଲୋକ ଗିରଫ ହୋଇ ଜେଲ ଦଣ୍ଡ ଭୋଗୁଛନ୍ତି । ଅପରପକ୍ଷେ ବାଘୁଣୀ ଭୟକୁ ନେଇ ଜନସାଧାରଣଙ୍କର ଜୀବନ ଜୀବିକା ଏକ ପ୍ରକାର ଠପ୍ ହୋଇପଡ଼ିଛି । ସ୍କୁଲ ଗୁଡ଼ିକ ବାଘୁଣୀ ଭୟକୁ ନେଇ ବନ୍ଦ ରହିଛି । ଆଜି ବାଘୁଣୀ ଧରା ହେବା ପରେ ସାତକୋଶିଆ ଅଞ୍ଚଳ ଲୋକମାନେ ଆଶ୍ୱସ୍ତ ଲାଭ କରିଥିବା ଜଣାଯାଇଛି । ବାଘୁଣୀ ଟ୍ରାଙ୍କୁଲାଇଜ ହେବା ପରେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛି ଆଉ ବାଘୁଣୀକୁ କେଉଁଠି ରଖାଯିବ ସେ ନେଇ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ ବୋଲି ବନ ବିଭାଗର ସୂତ୍ରରୁ ଜଣାପଡ଼ିଛି ।