ସୋସିଆଲ ମିଡିଆରେ ନେତାଙ୍କ କଡା ଟକ୍କର : ଚର୍ଚ୍ଚାରେ ଚାନ୍ଦବାଲି, ବାସୁଦେବପୁର, ଧାମନଗର

Aug 20, 2018 - 17:49
 258
ସୋସିଆଲ ମିଡିଆରେ ନେତାଙ୍କ କଡା ଟକ୍କର : ଚର୍ଚ୍ଚାରେ ଚାନ୍ଦବାଲି, ବାସୁଦେବପୁର, ଧାମନଗର
ଭଦ୍ରକ, ୨୦/୮ (ସକାଳଖବର): ଆସନ୍ତା ୨୦୧୯ ସାଧାରଣ ନିର୍ବାଚନରେ ଚାନ୍ଦବାଲି, ଧାମନଗର ଓ ବାସୁଦେବପୁର ଆସନରେ ବିଧାୟକ ଭାବେ କାହାକୁ ଲୋକେ ଚାହୁଁଛନ୍ତି ତାହାକୁ ନେଇ ଫେସବୁକ୍ରେ ଭୋଟ୍ ଦାନ ଆରମ୍ଭ ହୋଇଛି । ଏହି ଫେସ୍ବୁକ୍ ଭୋଟକୁ ନେଇ ରାଜନୈତିକ ପାଣିପାଗ ଉଷ୍ମ ହୋଇପାରିଛି । ବିଜେପି ନେତାଙ୍କୁ ବିଜେଡି ନେତା ଭୋଟ୍ ଦେଇ ବିଧାୟକ ଭାବେ ଚାହାଁନ୍ତି ବୋଲି ବଟମ୍ ଟିପିବା ଏବେ ଚର୍ଚ୍ଚାର ବିଷୟ ହୋଇଛି । ଏହି ଜିଲାର ତିହିଡି ବ୍ଲକ୍ଟି ୩ ଖଣ୍ଡ ହୋଇଯାଇଛି । ଏହି ବ୍ଲକ୍ର ୩୧ ଟି ପଂଚାୟତ ୩ଟି ନିର୍ବାଚନ ମଣ୍ଡଳୀକୁ ଭାଗ ଭାଗ ହୋଇ ଚାଲିଯାଇଛି । ଚାନ୍ଦବାଲି ବିଧାନସଭା ଆସନକୁ ତିହିଡି ବ୍ଲକ୍ର ୯ଟି ପଂଚାୟତ ଯାଇଥିବାରୁ ଚାନ୍ଦବାଲି ବିଧାୟକଙ୍କୁ ତିହିଡି-ଚାନ୍ଦବାଲି ବିଧାୟକ ଭାବେ ମାନ୍ୟତା ମିଳୁଛି । ଏହି ଆସନରେ ବର୍ତମାନର ବିଜେଡି ବିଧାୟକ ବ୍ୟୋମକେଶ ରାୟ ଓ ବିଜେପିର ସମ୍ଭାବିତ ପ୍ରାର୍ଥୀ ମନମୋହନ ସାମଲଙ୍କୁ ନେଇ ଫେସବୁକ୍ରେ କାହାକୁ ଚାହାଁନ୍ତି ଆପଣ ଭୋଟ୍ ଦିଅନ୍ତୁ ବୋଲି ଲେଖାଯାଉଛି । ଏହି ନିର୍ବାଚନ ମଣ୍ଡଳୀର ଭୋଟ୍ ଉଣେଇଶି ବିସରେ ଚାଲିଛି । ମନମୋହନଙ୍କୁ ୫୨ ପ୍ରତିଶତ ଭୋଟ୍ ମିଳିଥିବା ବେଳେ ବ୍ୟୋମକେଶ୍ଙ୍କୁ ୪୮ ପ୍ରତିଶତ ଭୋଟ୍ ଏବେ ସୁଦ୍ଧା ମିଳିଲେଣି । ଯାହା ଜଣାପଡୁଛି ଏହି ନିର୍ବାଚନ ମଣ୍ଡଳୀରେ ମନମୋହନ ଓ ବ୍ୟୋମକେଶଙ୍କୁ ନେଇ ଫେସ୍ବୁକ୍ ଭୋଟ୍ କଂଟେ କି ଟକ୍କରରେ ଚାଲିଛି । ସେହିପରି ବାସୁଦେବପୁର ଆସନରେ ବର୍ତମାନ ବିଧାୟକ ତଥା ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ଉପରେ ଲୋକେ ମନ ଉଣା କରିଛନ୍ତି । କାରଣ ୨୦୧୯ ନିର୍ବାଚନରେ ମନ୍ତ୍ରୀ ନିଜେ ନିର୍ବାଚନ ନଲଢି ପାରିବାରିକ ରାଜନୀତି ମୋହରେ ନିଜ ପୁଅକୁ ଛିଡା କରାଉଛନ୍ତି । ଏହାକୁ ଲୋକେ ବିରୋଧ କରି ଫେସବୁକ୍ରେ ଭୋଟ ଦେବା ଆରମ୍ଭ କଲେଣି । ଏହି ଆସନରେ ବିଜେପି ନେତା ଦୀନବନ୍ଧୁ ପତି ଏବଂ ଜିତୁ ରାଉତରାୟଙ୍କ ମଧ୍ୟରେ ଭୋଟକୁ ଫେସବୁକ୍ ଭୋଟର ୬୦-୪୦ କୁ ଖସାଇ ଆଣିଛନ୍ତି । ବାଲାଟ୍ ପେପରରେ ଭୋଟ୍ ହେବା ଆଗରୁ ଫେସବୁକ୍ରେ ମତଦାନ ଏବେ ଭାରି ଚର୍ଚ୍ଚାରେ । ତେଣୁ ଯାହା ଜଣାପଡୁଛି ପୁଅ ଅପେକ୍ଷା ଲୋକେ ବାପକୁ ପସନ୍ଦ କରୁଛନ୍ତି । ତେଣୁ ବେଳହୁଁ ବିଜୟଶ୍ରୀ ସତର୍କ ହେବା ଆବଶ୍ୟକ । ସବୁଠୁ ବେଶି ଚର୍ଚ୍ଚାରେ ଧାମନଗର ଆସନ । ଏହି ଆସନରେ ଚିରାଚରିତ ଭାବେ ବିଜେପି ପ୍ରାର୍ଥୀ ବିଷ୍ଣୁ ସେଠୀ ବନାମ ବିଜେଡି ପ୍ରାର୍ଥୀଙ୍କ ମଧ୍ୟରେ ଲଢେଇ ଜୋରଦାର ଡେଉଛି । ଲୋକେ ପ୍ରଥମେ ଫେସବୁକ୍ରେ ଆପଣ କାହାକୁ ଚାହାଁନ୍ତି ବୋଲି ବର୍ତମାନର ବିଜେଡି ବିଧାୟକ ରାଜେନ୍ଦ୍ର ଦାସ ଏବଂ ଆଶାୟୀ ପ୍ରାର୍ଥୀ ବିଜେଡିର ବିବେକ୍ ସାମଲଙ୍କୁ ନେଇ ଫେସବୁକ୍ରେ ମତଦାନ ଆରମ୍ଭ ହୋଇଥିଲା । ପ୍ରାକ୍ତନ ବିଜେଡି ବିଧାୟକ ରାଜୁ ଦାସଙ୍କୁ ଅଧିକ ଭୋଟ୍ ମିଳିଛି । ସବୁଠୁ ବେଶି ଚର୍ଚ୍ଚା ହେଉଛି ୨୦୧୯ ପାଇଁ ଧାମନଗର ଆସନରୁ ବିଜେପି ନା ବିଜେଡି ପ୍ରାର୍ଥୀଙ୍କୁ ବିଧାୟକ ଭାବେ ଆପଣ ଦେଖିବାକୁ ଚାହାଁନ୍ତି ପ୍ରଶ୍ନ? ଏହି ପ୍ରଶ୍ନରେ ବର୍ତମାନର ବିଜେଡି ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଏବଂ ପରାଜିତ ହୋଇ ପୁଣି ଲଢିବାକୁ ବାହାରି ଥିବା ଚର୍ଚ୍ଚିତ ଚେହେରା ପ୍ରାକ୍ତନ ବିଧାୟକ ବିଜେପି ପ୍ରାର୍ଥୀ ବିଷ୍ଣୁ ସେଠୀଙ୍କ ଫଟୋ ଲାଗିଛି । ଏହି ଦୁଇଟି ଫଟୋ ରହି ଫେସବୁକ୍ରେ ମତଦାନ ମଗାଯାଇଥିବାବେଳେ ୬୫ ପ୍ରତିଶତ ଲୋକେ ଆସନ୍ତା ନିର୍ବାଚନରେ ବିଷ୍ଣୁଙ୍କୁ ଚାହିଁଛନ୍ତି । କୌତୁହଳର କଥା ଏହି ଫେସବୁକ୍ ଭୋଟରେ ବିଜେଡି ବରିଷ୍ଠ ନେତା ତଥା ଚାନ୍ଦବାଲି ବ୍ଲକ୍ ବିଜେଡି ସଭାପତି ତଥା ଭଦ୍ରକ ଜିଲା ପରିଷଦର ଅଧ୍ୟକ୍ଷ ଦ୍ୱିଜବର ରାଉତ ମୋବାଇଲ୍ ବଟମ୍ ଚିପି ଫେସ୍ବୁକ୍ରେ ବିଷ୍ଣୁଙ୍କୁ ଭୋଟ୍ ଦେଇଛନ୍ତି । ଯାହାକି ଏବେ ସବୁଆଡେ ଚର୍ଚ୍ଚା । ସେ ଯାହା ହେଉନା କାହିଁକି ଗତ ୧୫ ଦିନ ହେଲା ଫେସବୁକ୍ରେ ଆସନ୍ତା ନିର୍ବାଚନର ମନପସନ୍ଦର ପ୍ରାର୍ଥୀ ଭୋଟ୍ ଏବେ ସବୁଆଡେ ଭାଇରାଲ ହୋଇଯାଉଛି ।