ସୁନ୍ଦରୀ ବାଘୁଣୀର ଆକ୍ରମଣରେ ଜଣେ ମୃତ

Sep 12, 2018 - 18:24
 214
ସୁନ୍ଦରୀ ବାଘୁଣୀର ଆକ୍ରମଣରେ ଜଣେ ମୃତ
ଅନୁଗୋଳ, ୧୨/୯ (ସକାଳଖବର): ସାତକୋଶିଆ କ୍ଷତିଗ୍ରସ୍ତ ପ୍ରଜା ସୁରକ୍ଷା ସମିତି ବାଘ ଦାଉରୁ ସୁରକ୍ଷା ପାଇଁ ଜିଲା ପ୍ରଶାସନ ଓ ବନ ବିଭଗ ନିକଟରେ ବାରମ୍ବାର ନିବେଦନ କରିଥିଲେ । ଏବଂ ଭବିଷ୍ୟତରେ ବାଘ ମଣିଷକୁ ଆକ୍ରମଣ କରି ଜୀବନ ନେବା ସମ୍ଭାବନା ବୋଲି ମଧ୍ୟ ସୂଚନା ଦେଇଥିଲେ । ଆଜି ତାର ପ୍ରତ୍ୟେକ୍ଷ ଘଟଣା ଘଟି ଯାଇଛି । ଏହାକୁ ନେଇ ସ୍ଥାନୀୟ ଜନସାଧାରଣ ଫରେଷ୍ଟ ବିଟ୍ ହାଉସ ସମେତ ଗାଡ଼ି ମଟର ଆଉ ଲଞ୍ଚ ଆଦି ନିଆଁ ଲଗାଇ ଲଙ୍କାକାଣ୍ଡ ଭିଆଇ ଥିବା ଦେଖିବାକୁ ମିଳିଛି । ଘଟଣାରୁ ପ୍ରକାଶ ଯେ, ଆଜି ପୂର୍ବାହ୍ନରେ ଟିକରପଡ଼ା ରେଞ୍ଜ ଅନ୍ତର୍ଗତ ହାତୀବାରୀ ଗାଁର କୈଳାସୀ ଗଡ଼ନାୟକ ଗାଁ ନିକଟ ନଇକୁ ଗାଧୋଇବାକୁ ଯାଉଥିବାବେଳେ ବାଘୁଣୀ ସୁନ୍ଦରୀ ତାଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଥିଲା । ଯାହାକି ତାଙ୍କ ଶରୀରର ବିଭିନ୍ନ ସ୍ଥାନରୁ ମାଂସ ଟାଣି ନେଇଥିବା ଦେଖିବାକୁ ମିଳିଛି । ଗାଧୋଇ ଯାଇଥିବା କୈଳାସୀ ଘରକୁ ଫେରିବା ବିଳମ୍ବ ହେବା ନେଇ ପରିବାର ଲୋକ ଓ ଗାଁ ଲୋକ ମିଶି ଖୋଜାଖୋଜି କରିବା ପରେ ନଈ ପାଖରେ ତାଙ୍କର ଖଣ୍ଡବିଖଣ୍ଡିତ ମୃତ ଶରୀର ଦେଖିବାକୁ ପାଇଥିଲେ । ଯେଉଁଭଳି କ୍ଷତବିକ୍ଷତ ହୋଇଛି ବାଘ ମାରିଥିବାର ଜଣାପଡ଼ୁଥିଲା ।ଏହା ବାଘୁଣୀ ସୁନ୍ଦରୀର କାଣ୍ଡବୋଲି ଗାଁ ଲୋକ ଅଭିଯୋଗ କରି ଟିକରପଡ଼ା ରେଞ୍ଜ ଅଫିସ, ହାତୀବାରୀ ବିଟ୍ ହାଉସ, ଟିକରପଡ଼ା ଫରେଷ୍ଟ ହାଉସ, ଫରେଷ୍ଟ ବଙ୍ଗଳା, ବୋଟ ଆଦିରେ ପୋଡ଼ାଜଳା କରିବାସହ ଭଙ୍ଗାରୁଜା କରିଦେଇଥିବା ଜଣାଯାଇଛି । ଏ ସଂପର୍କରେ ଫରେଷ୍ଟ ବିଭାଗ ଚୁପ ଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋଟ ଆସଲେ ସଂପୂର୍ଣ୍ଣ ତଥ୍ୟ ଜଣାପଡ଼ିବ ବୋଲି ମତ ପ୍ରକାଶ କରିଛନ୍ତି । ଅପରପକ୍ଷେରେ ଲୋକଙ୍କ ସୂଚନା ଅନୁଯାୟୀ ସାତକୋଶିଆ ଭିତରେ ଥିବା ବାଘୁଣୀ (ସୁନ୍ଦରୀ) ମାରିଛି । ସ୍ଥାନୀୟରେ ଉତ୍ତେଜନା ଦେଖାଯାଉଥିବାରୁ ସେଠାରେ ଥିବା ସୁରକ୍ଷା କର୍ମୀ, ପୁଲିସ ଲୋକଙ୍କୁ ବୁଝାସୁଝା କରୁଛନ୍ତି । ସୂଚନା ଯୋଗ୍ୟ ଯେ, ଗତ ଜୁନ ୨୮ ତାରିଖରେ ବାନ୍ଧବଗଡ଼ ସଂରକ୍ଷିତ ବ୍ୟାଘ୍ର ପ୍ରକଳ୍ପରୁ ବାଘୁଣୀ, ସୁନ୍ଦରୀକୁ ଆଣି ସାତକୋଶିଆର ଛଡ଼ା ଯାଇଥିଲା । ପରେ ଏନକ୍ଲୋଜରରେ ରହିବା ପରେ ଗତ ଜୁଲାଇ ୬ ତାରିଖରେ ବାଘୁଣୀକୁ ଜଙ୍ଗଲ ଭିତରେ ଛଡ଼ା ଯାଇଥିଲା । ପରେ ସୁନ୍ଦରୀକୁ ଛାଡ଼ିବା ପରେ ଲୋକଙ୍କ ମଧ୍ୟରେ ଆତଙ୍କିତ ହୋଇଯାଇଥିଲା । ଏବଂ ତାପରେ ୧୨୬ଟି ଗାଁ ଲୋକେ ପ୍ରତିବାଦ କରିଥିଲେ । ଆଜି ଏହି ମୃତ୍ୟୁକୁ ନେଇ ଲୋକ ଭୟଭୀତ ହୋଇଛନ୍ତି