ସୁନ୍ଦରଗଡରେ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ କଲେ କେନ୍ଦ୍ରମନ୍ତ୍ରୀ ସାଧ୍ୱୀ ନିରଜଂନା

Feb 18, 2019 - 17:47
 165
ସୁନ୍ଦରଗଡ,୧୮/୨(ସକାଳଖବର): କେନ୍ଦ୍ରମନ୍ତ୍ରୀ ସାଧବୀ ନିରଜଂନା ଜ୍ୟୋତି ସୁନ୍ଦରଗଡରେ ବିଭିନ୍ନ ପ୍ରକଳ୍ପର ଶୁଭ ଦେବା ସହ ୩ଟି ଜନସମାବେଶରେ କାର୍ଯ୍ୟକର୍ତାଙ୍କୁ ଉଦବୋଧନ ଦେଇ ରାଜ୍ୟସରକାରଙ୍କ ଉପରେ ବର୍ଷିଛନ୍ତି । ହେମଗିରି ବ୍ଲକ ଲାଇକେରା, କନିକା ଏବଂ ଲଠିକଟା ବ୍ଲକ ଟାଁଇସରରେ ବିଭିନ୍ନ ପ୍ରକଳ୍ପର ଶୁଭ ଦେଇଛନ୍ତି ସାଧବୀ ନିରଜଂନ ଜ୍ୟୋତି । ଏଥି ସହ ରାଜ୍ୟସରକାରଙ୍କ ଆଦିବାସୀ ମାରଣ ନୀତି ଉପରେ ପ୍ରଶ୍ନ ଉଠାଇଛନ୍ତି । ସାଧବୀ ଜ୍ୟୋତି ସମସ୍ତ ସଭା ପୂର୍ବରୁ ସହିଦ ବୀର ଯବାନଙ୍କ ସ୍ମୃତିରେ ନିରବ ପ୍ରାର୍ଥନା କରିଥିଲେ । ସହିଦଙ୍କ ବଳିଦାନ ବ୍ୟର୍ଥ ଯିବନି । ଦେଶ ବିରୋଧୀ ଆଭ୍ୟନ୍ତରୀଣ ଶକ୍ତିକୁ ଚିହ୍ନଟ କରି ଦମନ କରାଯିବ ବୋଲି ସାଧ୍ୱୀ କହିଛନ୍ତି । ରାଜ୍ୟସରକାରଙ୍କ ଅସହେଯାଗ କାରଣରୁ ମୋଦିସରକାରଙ୍କ ବହୁ ଆଦିବାସୀ କଲ୍ୟାଣ ଯୋଜନା ତୃଣମୂଳ ସ୍ତରରେ ପହଂଚି ପାରୁନାହିଁ । ରାଜ୍ୟ ସରକାରଙ୍କ ଆଦିବାସୀ ମାରଣ ନୀତି ଯୋଗୁଁ ସୁନ୍ଦରଗଡ ଭଳି ଆଦିବାସୀ ବହୁଳ ଜିଲ୍ଲା ଅଧିକ କ୍ଷତି ସହୁଛି । ଆଗାମୀ ନିର୍ବାଚନରେ କେନ୍ଦ୍ରରେ ମୋଦି ସରକାର ପୁଣି ଥରେ ଆସିବା ଦରକାର । ଏଥି ସହ ରାଜ୍ୟରେ ଏ ସରକାର ବଦଳିବା ଦରକାର ବୋଲି ପରିବର୍ତନର ଆହ୍ୱାନ ଦେଇଥିଲେ । ସେହିପରି ରାଜ୍ୟରେ ସରକାରୀ ଅଫିସରମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଶାସକ ଦଳର ନେତା ମାନେ ଅଫିସରମାନଙ୍କୁ ନିଜ ହିସାବରେ କାର୍ଯ୍ୟରେ ଲଗାଉଛନ୍ତି । ରାଜ୍ୟସରକାରଙ୍କ ଚାପରେ ରାଜ୍ୟରେ ବିକାଶମୂଳକ କାର୍ଯ୍ୟ ହୋଇପାରୁନାହିଁ । ଗ୍ରାମପଂଚାୟତ, ବ୍ଲକ, ତହସିଲ ସବୁ ସ୍ଥାନରେ ଶାସକ ଦଳର ନେତାମାନେ ପିସି କାରବାରରେ ଲିପ୍ତ ରହି ଲୋକଙ୍କ ଝାଳବୁହା ଧନକୁ ହରିଲୁଟ କରୁଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଅଭିଯୋଗ କରିଛନ୍ତି । ଶ୍ରୀ ଓରାମ କହିଛନ୍ତି ଯେ, ମୁଁ ନିଜେ ଆଦିବାସୀ । ଆଦିବାସୀଙ୍କ ଦୁଃଖ କଥା ମୁଁ ବୁଝିଛି । ଆଦିବାସୀଙ୍କ ବିକାଶ ମୋର ପ୍ରାଥମିକତା । କିନ୍ତୁ ରାଜ୍ୟସରକାର ଏଠି ବାଧକ ସାଜିଛନ୍ତି । କେନ୍ଦ୍ରୀୟ ଅନୁଦାନ ରାଜ୍ୟସରକାର ଖର୍ଚ୍ଚ କରିପାରୁନାହଁନ୍ତି । ରାଜ୍ୟସରକାର ହଜାର ହଜାର କୋଟି ଖର୍ଚ୍ଚ କରିନପାରିବା ଏବଂ ୟୁସି ନଦେଇପାରିବା କାରଣରୁ କେନ୍ଦ୍ରୀୟ ଅନୁଦାନ ଫେରିଯାଉଛି । ରାଜ୍ୟରେ ସରକାର ପରିବର୍ତନ ହେବା ନିହାତି ଆବଶ୍ୟକ । ଅନ୍ୟପଟେ ରାଉରକେଲା ସ୍ମାର୍ଟ ସିଟି ପାଇଁ ଆସିଥିବା ଅର୍ଥକୁ ଖର୍ଚ୍ଚ ନକରି ରାଜ୍ୟସରକାର ନାଚ ଗୀତ ଆସର କରି ଉଡାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ଓରାମ କହିଛନ୍ତି । ସାଧ୍ୱୀ ନିରଂଜନା ଜ୍ୟୋତି ଆଜି ଦିନିକିଆ ଗସ୍ତରେ ଆସି ଭୁବନଶ୍ୱରରେ ପହଂଚି ସୁନ୍ଦରଗଡ ଜିଲ୍ଲା ଗସ୍ତ କରିଥଲେ । ତାଙ୍କୁ ପାରପଂରିକ ଆଦିବାସୀ ଶୈଳୀରେ ବିଭିନ୍ନ ସ୍ଥାନରେ ସ୍ୱାଗତ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମ ପରେ ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ସାଧବୀ ଜ୍ୟୋତି ଦିଲ୍ଲୀ ପ୍ରତ୍ୟାବର୍ତନ କରିଛନ୍ତି । ଏହି ସମାବେଶରେ ବିଜେପିର ସ୍ଥାନୀୟ ନେତୃବୃନ୍ଦଙ୍କ ସମେତ ସମସ୍ତ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।