ନାଲ୍କୋ-ଏଲ୍ଭି ପ୍ରସାଦ ଚକ୍ଷୁ ଚିକିତ୍ସାଳୟ ଉଦ୍ଘାଟନ କଲେ ଧର୍ମେନ୍ଦ୍ର

Feb 18, 2019 - 17:46
 135
ନାଲ୍କୋ-ଏଲ୍ଭି ପ୍ରସାଦ ଚକ୍ଷୁ ଚିକିତ୍ସାଳୟ ଉଦ୍ଘାଟନ କଲେ ଧର୍ମେନ୍ଦ୍ର
ଅନୁଗୁଳ,୧୮/୨(ସକାଳଖବର): ଆଖି, ହାର୍ଟ, କ୍ୟାନ୍ସର ଭଳି ରୋଗର ଚିକିତ୍ସା ସହାୟତା ଅନୁଗୁଳ ଅଂଚଳରେ ମିଳେ ନାହିଁ । ଆଜି ଆରମ୍ଭ ହୋଇଥିବା ଏ ହସ୍ପିଟାଲ ସବୁ ବର୍ଗର ଲୋକଙ୍କୁ ସେବା ଯୋଗାଇବାରେ ସହାୟକ ହେବ । ନାଲକୋ ଏ ଅଂଚଳର ଗୋଟେ ମୂଳ ଆବଶ୍ୟକତାକୁ ପୂରଣ କରିଛି । ଏହି ହସ୍ପିଟାଲରେ ୩୦ଟି ବେଡ୍ ରହିବାର ବ୍ୟବସ୍ଥା ଥିବା ବେଳେ ଦୈନିକ ୧୦୦ରୁ ଅଧିକ ଅପରେସନ ହୋଇପାରିବାର ବ୍ୟବସ୍ଥା ପ୍ରାରମ୍ଭିକ ପର୍ଯ୍ୟାୟରେ କରାଯାଇଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅନୁଗୁଳ ଜିଲ୍ଲା କୁଲ୍ଦା ଠାରେ ଅତ୍ୟାଧୁନିକ ସେକେଣ୍ଡାରୀ କେୟାର ନାଲ୍କୋ-ଏଲ୍ଭି ପ୍ରସାଦ ଚକ୍ଷୁ ଚିକିତ୍ସାଳୟ ଉଦ୍ଘାଟନ ଓ ରାଷ୍ଟ୍ରୀୟ ବୟୋଶ୍ରୀ ଯୋଜନା ଅନ୍ତର୍ଗତ ବରିଷ୍ଠ ନାଗରିକ ମାନଙ୍କୁ ସହାୟକ ଯନ୍ତ୍ର ଓ ଉପକରଣ ବିତରଣ ଅବସରରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଠିକ୍ ୩ ବର୍ଷ ପୂର୍ବେ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କ ଉପସ୍ଥିତିରେ ଏ ଚକ୍ଷୁ ହସ୍ପିଟାଲର ଭିତିପ୍ରସ୍ତର ସ୍ଥାପନ କରାଯାଇଥିଲା । ଆଜି ଏ ଅଂଚଳ ପାଇଁ ୨୫ କୋଟି ଟଙ୍କା ବ୍ୟୟବରାଦରେ ନିର୍ମିତ ଏହି ହସ୍ପିଟାଲକୁ ଲୋକାର୍ପଣ କରିଥିବାରୁ ସେ ସୌଭାଗ୍ୟ ମନେକରୁଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ । ଏହି ହସ୍ପିଟାଲରେ ଦୃଷ୍ଟିହୀନ ଲୋକଙ୍କ ପାଇଁ ମେଡିକାଲ ନିର୍ମାଣ ହେବାର କଳ୍ପନା ଅନେକ ଦିନରୁ ଥିଲା । ଆଖି, ହାର୍ଟ, କ୍ୟାନ୍ସର ଭଳି ବିଭିନ୍ନ ରୋଗର ଚିକିତ୍ସା ସୁବିଧା ଏ ଅଂଚଳରେ ମିଳେ ନାହିଁ । କିନ୍ତୁ ଏବେ ଏଲଭି ପ୍ରସାଦ ହସ୍ପିଟାଲ ସମ୍ପନ୍ନଙ୍କ ଠାରୁ ଗରିବ ପର୍ଯ୍ୟନ୍ତ ସବୁ ବର୍ଗର ଲୋକଙ୍କୁ ସେବା ଦେବ । ଅନେକ ଗରିବ ଲୋକଙ୍କୁ ମାଗଣାରେ ମଧ୍ୟ ଏହି ହସ୍ପିଟାଲରେ ଚିକିତ୍ସା କରାଯିବ । ପ୍ରଧାନମନ୍ତ୍ରୀ ଏ ଅଂଚଳରେ ଡିଏମଏଫ ଫଣ୍ଡର ବ୍ୟବସ୍ଥା କରି ଅନେକ ଟଙ୍କା ଦେଇଛନ୍ତି । ୨୦୧୮ ମସିହାରେ ଅନୁଗୁଳ ଜିଲ୍ଲାରେ ମିନେରାଲ ଫଣ୍ଡ ପାଖାପାଖି ହଜାରେ କୋଟି ଟଙ୍କା ଦେଇଛନ୍ତି । ଏହି ସବୁ ଟଙ୍କା ଏହି ଅଂଚଳରେ ଖର୍ଚ୍ଚ କଲେ ପାନୀୟ ଜଳ, ସ୍ୱାସ୍ଥ୍ୟ, ଶିକ୍ଷା ଭଳି ମୌଳିକ ସୁବିଧା ଦୂରେଇ ପାରିବା ସହ ରୋଜଗାରର ବ୍ୟବସ୍ଥା ମଧ୍ୟ ହୋଇପାରିବ । ସେ କହିଛନ୍ତି ଯେ ନାଲକୋର ସିଏମଡି ୧୬ କୋଟି ଟଙ୍କା ଖର୍ଚ୍ଚ କରି ନାନୋ ଟେକ୍ନୋଲୋଜିରେ ପାଣିକୁ ଶୁଦ୍ଧ କରିବାର କାରଖାନା ନାଲକୋ କଲୋନୀରେ କରୁଛନ୍ତି । ସେହିଭଳି ଭାବେ ଆଖପାଖ ଅଂଚଳରେ ଫ୍ଲୋରାଇଡ୍ ଯୁକ୍ତ ପାଣି ଅଂଚଳରେ ମଧ୍ୟ ଏହିଭଳି ବ୍ୟବସ୍ଥା କରିବାକୁ ଶ୍ରୀ ପ୍ରଧାନ ନାଲକୋର ସିଏମଡିଙ୍କୁ ଅନୁରୋଧ କରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ନାଲକୋ କେବଳ ଭାରତବର୍ଷ ନୁହେଁ, ବିଶ୍ୱର ଭଲ କମ୍ପାନୀ । ଏ ବର୍ଷ ନାଲକୋର ଲାଭ ମଧ୍ୟ ବୃଦ୍ଧି ପାଇଛି । ଏଥିପାଇଁ ନାଲକୋର ପରିଚାଳନା କରୁଥିବା କର୍ମଚାରୀ, ସ୍ଥାୟୀ ଓ ଠିକା ଶ୍ରମିକ ଏହାର ଶ୍ରେୟ ଅଟନ୍ତି । ନାଲକୋରେ କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କର ମଧ୍ୟ ଦରମାକୁ ବୃଦ୍ଧି କରାଯିବା ଉଚିତ । ନାଲକୋ ଯେତେ ଅଧିକ ପଇସା ଦେବ ଅନୁଗୁଳ ଜିଲ୍ଲାର ଅର୍ଥନୀତି ସେତେ ସୁଦୃଢ ହେବ । ଶ୍ରୀ ପ୍ରଧାନ କହିଛନ୍ତି ଶ୍ରମିକ ସମାଜକୁ ଗୁରୁତ୍ୱ ଦିଆଯିବ ଉଚିତ । ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନା କିମ୍ବା ନିର୍ଦ୍ଧିଷ୍ଟ ଏକ ବୀମା ଶ୍ରମିକଙ୍କ ନାଁରେ କରାଯାଉ ।