୭ରେ ରାଜ୍ୟରେ ୪୦ ଲକ୍ଷ ଗଛ ଲଗାଯିବ : ମୁଖ୍ୟମନ୍ତ୍ରୀ

Jul 3, 2018 - 14:28
 191
୭ରେ ରାଜ୍ୟରେ ୪୦ ଲକ୍ଷ ଗଛ ଲଗାଯିବ : ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୩/୭(ସକାଳଖବର); ଆସନ୍ତା ୭ ତାରିଖରେ ସାରା ରାଜ୍ୟରେ ଗୋଟିଏ ଦିନରେ ୪୦ ଲକ୍ଷ ଗଛ ଚାରା ଲଗାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି । ସୋମବାର ଦିନ ପାତ୍ରପଡା - ଭଗବାନପୁର ହାଇସ୍କୁଲ ପରିସରରେ ଆୟୋଜିତ ୬୯ତମ ରାଜ୍ୟସ୍ତରୀୟ ବନ ମହୋତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି କାର୍ଯ୍ୟକ୍ରମରେ ରାଜ୍ୟର ସବୁ ବର୍ଗର ଲୋକଙ୍କୁ ସାମିଲ କରାଯିବ । ଗଛ ପ୍ରକୃତିର ଆତ୍ମା । ଗଛ ନଷ୍ଟ ହେଲେ ପ୍ରକୃତି ନଷ୍ଟ ହୋଇଥାଏ । ତେଣୁ ଗଛର ସୁରକ୍ଷା ଆମ ସମସ୍ତଙ୍କର ଦାୟିତ୍ୱ । ଗତ ୧୦ ବର୍ଷ ମଧ୍ୟରେ ରାଜ୍ୟରେ ୨୫୦୦ ବର୍ଗ କିମି ଜଙ୍ଗଲ ବଢିଛି । ଏଥିପାଇଁ ରାଜ୍ୟ ଜଙ୍ଗଲ ବିଭାଗ କର୍ମଚାରୀ ଓ ବନ ସୁରକ୍ଷା ସମିତି ମାନଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ । ସବୁଜ ମହାନଦୀ ମିଶନ ସମ୍ପର୍କରେ ଆଲୋଚନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମହାନଦୀ ଓଡିଶାର ଜୀବନ ରେଖା । ତେଣୁ ମହାନଦୀର ସୁରକ୍ଷା ପାଇଁ ଏହାର ଅବବାହିକାରେ ୨ କୋଟି ଗଛ ଲଗାଯିବ । ଏହି କାର୍ଯ୍ୟକ୍ରମର ସଫଳତାରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଗଛର ସୁରକ୍ଷା ହେଉଛି ସଭ୍ୟତା ଓ ସଂସ୍କୃତିର ସୁରକ୍ଷା । ତେଣୁ ପରିବାରର ସଦସ୍ୟ ପରି ଗଛର ଯତ୍ନ ନେବା ସହିତ ଭବିଷ୍ୟତ ପୀଢି ପାଇଁ ଏକ ସବୁଜ ସୁନ୍ଦର ପରିବେଶ ସୃଷ୍ଟି ନିମନ୍ତେ ମୁଖ୍ୟମନ୍ତ୍ରୀ ଆହ୍ୱାନ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ, ବିଧାୟକ ବିଜୟ ମହାନ୍ତି , ପ୍ରିୟଦର୍ଶୀ ମିଶ୍ର , ମେୟର ଅନନ୍ତ ନାରାୟଣ ଜେନା , ବିଭାଗୀୟ ଅତିରିକ୍ତ ମୁଖ୍ୟ ସଚିବ ସୁରେଶ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଉଦବୋଧନ ଦେଇଥିଲେ । ପ୍ରମୁଖ ମୁଖ୍ୟ ବନ ସଂରକ୍ଷକ ଦେବବ୍ରତ ସ୍ୱାଇଁ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ମଂଜୁଶ୍ରୀ ରାୟ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଦ୍ୟାଳୟ ପରିସରରେ ଏକ ବୃକ୍ଷ ଚାରା ରୋପଣ କରିବା ସହିତ ବନୀକରଣ ଦିଗରେ ଭଲ କାମ କରିଥିବା ଗଂଜାମର ବାଲିପୁଟ ବନ ସୁରକ୍ଷା ସମିତି ଏବଂ ସମ୍ବଲପୁରର ଓରାମ ନିକିତିମାଳ ବନ ସୁରକ୍ଷା ସିମତିକୁ ଜଙ୍ଗଲ ସୁରକ୍ଷା ଓ ସଂରକ୍ଷଣ ପାଇଁ ରାଜ୍ୟସ୍ତରୀୟ ବିଜୁ ପଟ୍ଟନାୟକ ପୁରସ୍କାର ପ୍ରଦାନ କରିଥିଲେ । ବନ ମହୋତ୍ସବ ଅବସରରେ ଆୟୋଜିତ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିଥିଲେ ।