ଓଡ଼ିଆ ଝିଅ ପ୍ରତିଭା ହେଲେ ଆଡୋବ ଇଣ୍ଡିଆ ଏମଡି

Sep 9, 2021 - 05:26
 97
ଓଡ଼ିଆ ଝିଅ ପ୍ରତିଭା ହେଲେ ଆଡୋବ ଇଣ୍ଡିଆ ଏମଡି
ଭୁବନେଶ୍ୱର: ଏନଆଇଟି ରାଉରକେଲାରୁ କମ୍ପୁ୍ୟଟର ସାଇନ୍ସ ଆଣ୍ଡ୍ ଇଞ୍ଜିନିୟରିଂ ଓ ଜାଭିୟର ଇନଷ୍ଟିଚୁ୍ୟଟ ଅଫ୍ ମ୍ୟାନେଜମେଣ୍ଟ ଭୁବନେଶ୍ୱର (ଏକ୍ସଆଇଏମବି)ରୁ ମ୍ୟାନେଜମେଣ୍ଟ ଶିକ୍ଷା ଗ୍ରହଣ କରିଥିବା ଓଡ଼ିଶାର ଝିଅ ପ୍ରତିଭା ମହାପାତ୍ରଙ୍କୁ ଆଡୋବ ଇଣ୍ଡିଆର ପରିଚାଳନା ନିର୍ଦେଶିକା ଭାବେ ନିଯୁକ୍ତ କରାଯାଇଛି । ଆଡୋବ୍ ହେଉଛି ଏକ ଆମେରିକୀୟ ପ୍ରଯୁକ୍ତି କଂପାନି । ଆଡୋବ ଇଣ୍ଡିଆ ହେଉଛି ତାହାର ଭାରତୀୟ ଶାଖା । ପ୍ରତିଭା ନିଜ ନୂଆ ପଦରେ କଂପାନିର କ୍ଲାଉଡ ବ୍ୟବସାୟର ଦେଖାଶୁଣା କରିବେ । ସେ ଆଡୋବର ଏସିଆ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ସଭାପତି ସାଇମନ୍ ଟାଟେଙ୍କୁ ରିପୋର୍ଟ କରିବେ । ପ୍ରଯୁକ୍ତି ପ୍ରତି ପ୍ରତିଭାଙ୍କ ପ୍ରବଳ ଆଗ୍ରହ ଥିବା ବେଳେ ଦୃଢ଼ ଟିମ ଗଠନ କରିବାରେ ତାଙ୍କର ଦକ୍ଷତା ବେଶ ପ୍ରଶଂସନୀୟ । ସେଥିପାଇଁ ଭାରତୀୟ ବ୍ୟବସାୟର ଦାୟିତ୍ୱ ପ୍ରତିଭାଙ୍କୁ ଦେବା ଲାଗି ଆଡୋବ୍ ନିଷ୍ପତ୍ତି ନେଇଛି । ତାଙ୍କ ନିଯୁକ୍ତି ସମ୍ପର୍କରେ ସାଇମନ୍ କହିଛନ୍ତି ଯେ ସଂପ୍ରତି ବ୍ୟାବସାୟିକ ସଂସ୍ଥାଗୁଡ଼ିକ ଲାଗି ଡିଜିଟାଲକରଣ ବେଶ ଜରୁରୀ ହୋଇପଡ଼ିଛି । ଆଡୋବ ପାଖରେ ବଜାରର ଅନେକ ଅଗ୍ରଣୀ ପ୍ରଯୁକ୍ତି ରହିଛି । ତାହାକୁ ବ୍ୟବସାୟୀଙ୍କ ନିକଟରେ ପହଞ୍ଚାଇ ଅଭିବୃଦ୍ଧିକୁ ପରବର୍ତ୍ତୀ ସ୍ତରରେ ପହଞ୍ଚାଇବା ଦିଗରେ ପ୍ରତିଭା କାର୍ଯ୍ୟ କରିବେ ବୋଲି ସେ କହିଛନ୍ତି । ପ୍ରଯୁକ୍ତି ଜ୍ଞାନକୌଶଳ କ୍ଷେତ୍ରରେ କାର୍ଯ୍ୟ କରିବାରେ ପ୍ରତିଭାଙ୍କ ୨୫ ବର୍ଷରୁ ଅଧିକ ଅଭିଜ୍ଞତା ରହିଛି । ୧୯୯୪ ଏପ୍ରିଲରେ ପିଡବ୍ଲୁସି ଇଣ୍ଡିଆରୁ ସେ ନିଜର ଚାକିରି ଜୀବନ ଆରମ୍ଭ କରିଥିଲେ । ୨୦୦୨ରେ ସେ ଆଇବିଏମରେ ଯୋଗ ଦେଇ ଅନେକ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହି କାର୍ଯ୍ୟ କରିଛନ୍ତି । ଆଇବିଏମ ପାଇଁ ସେ ଡିଜିଟାଲ ସେଲସର ଉପାଧ୍ୟକ୍ଷା ଭାବେ କାର୍ଯ୍ୟ କରିଛନ୍ତି । ଆଇବିଏମ ପାଇଁ ଦୀର୍ଘ ୧୫ ବର୍ଷ କାର୍ଯ୍ୟ କରିବା ପରେ ସେ ଆଡୋବରେ ଯୋଗ ଦେଇଥିଲେ । ସେ ଓଡ଼ିଆ, ବଙ୍ଗଳା ଓ ହିନ୍ଦୀ ଭଲ ଭାବେ କହିପାରନ୍ତି ।