ସିଟି ହସ୍ପିଟାଲ: କାମରେ ଆସୁନି ଆଇନ ସହାୟତା କେନ୍ଦ୍ର

Jun 14, 2018 - 19:35
 190
ସିଟି ହସ୍ପିଟାଲ: କାମରେ ଆସୁନି ଆଇନ ସହାୟତା କେନ୍ଦ୍ର
କଟକ, ୧୪ା୬/(ସକାଳଖବର): ଏସିଡ୍ ମାଡ, ପାରିବାରିକ ହିଂସା, ଚିକିତ୍ସା ଅବହେଳା, ଜମିଜମା ଗଣ୍ଡଗୋଳର ଶିକାର ହୋଇ ଲୋକମାନେ ହସ୍ପିଟାଲକୁ ଆସିଥାନ୍ତି । ସେଥିପାଇଁ ଜିଲ୍ଲା ଆଇନ ସେବା ପ୍ରାଧୀକରଣ ତରଫରୁ କଟକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ(ସିଟି ହସ୍ପିଟାଲ)ରେ ଖୋଲାଯାଇଛି ଏକ ଆଇନ ସହାୟତା କେନ୍ଦ୍ର । କିନ୍ତୁ ସେଠାକୁ ପୀଡିତମାନେ ଆସୁନଥିବାରୁ କେନ୍ଦ୍ର ଫାଙ୍କା ପଡୁଥିବା ଲକ୍ଷ୍ୟ କରାଯାଉଛି । ସିଟି ହସ୍ପିଟାଲର ୧୦୭ ନମ୍ବର କକ୍ଷରେ କାର୍ଯ୍ୟ କରୁଛି ଲିଗାଲ ଏଡ୍ କ୍ଲିନିକ । ଯଦି କୌଣସି ଏସିଡ ପୀଡିତା ଏଠାକୁ ଚିକିତ୍ସା ପାଇଁ ଆସେ, ତେବେ ସୁପ୍ରିମକୋର୍ଟଙ୍କ ଗାଇଡଲାଇନ ଅନୁସାରେ ଚିକିତ୍ସା ମାଗଣାରେ କରାଯିବା ସହ କ୍ଷତିପୂରଣର ବ୍ୟବସ୍ଥା ରହିଛି । ଏପରିକି ଅଧିକ କ୍ଷତିଗ୍ରସ୍ତ ପୀଡିତଙ୍କୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ରାଶି ଯୋଗାଇ ଦିଆଯାଉଛି ଆଇନ ସେବା ପ୍ରାଧିକରଣ ମାଧ୍ୟମରେ । ପୁନଶ୍ଚ ଯେକୌଣସି ଚିକିତ୍ସାପାଇଁ ଆସିଥିବା ରୋଗୀ ଚିକିତ୍ସାରେ ଅବହେଳା ଅନୁଭବ କଲେ, ସେ ଏହି ଆଇନ ସହାୟତା କେନ୍ଦ୍ରର ସହଯୋଗ ଲୋଡିପାରିବେ । ଅଭିଯୋଗପରେ କେନ୍ଦ୍ରରେ ନିୟୋଜିତ ପାରାଲିଗାଲ ଭଲ୍ୟୁଣ୍ଟିୟର ଘଟଣାର ସମାଧାନ କରିବାକୁ ଚେଷ୍ଟା କରିବେ । ବିଭିନ୍ନ ସମୟରେ ପାରିବାରିକ କଳହଯୋଗୁ ହିଂସା ଦେଖାଦେଇଥାଏ । ପରେ ଗଣ୍ଡଗୋଳରେ ଆହତହୋଇ ଲୋକମାନେ ମେଡିକାଲରେ ଚିକିତ୍ସାପାଇଁ ପହଞ୍ଚିଥାନ୍ତି । ଏହି ସମୟରେ ସହାୟତା କେନ୍ଦ୍ରର ସ୍ୱେଚ୍ଛାସେବୀମାନେ ହିଂସାରେ ପୀଡିତ ବ୍ୟକ୍ତିଙ୍କୁ କାଉନସେଲିଂ କରିଥାନ୍ତି । ଭବିଷ୍ୟତରେ ଏହିପରି କଳହର ପୁନରାବୃତ୍ତି ନକରିବାକୁ ପରାମର୍ଶ ଦେଇଥାନ୍ତି । ସେହିପରି କେତେକ ସମୟରେ ଜମି ଜମା ବିବାଦଲାଗି ଲୋକମାନେ ହିଂସାର ଆଶ୍ରୟ ନେଇଥାନ୍ତି । ଏହାଦ୍ୱାରା ଗଣ୍ଡଗୋଳ କରିବାକୁ ମଧ୍ୟ ପଛାଇନଥାନ୍ତି । ପରେ ଭୟାବହ ପରିସ୍ଥିତି ଉପୁଜିବା ସହ କ୍ଷତାକ୍ତ ଅବସ୍ଥାରେ ଲୋକମାନେ ଚିକିତ୍ସାଳୟରେ ପହଞ୍ଚôଥାନ୍ତି । ଏହି ସମୟରେ ପାରାଲିଗାଲ ସ୍ୱେଚ୍ଛାସେବୀମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାନ୍ତି । ସେମାନଙ୍କ ମଧ୍ୟରେ ଆପୋଷ ସମାଧାନ କରିବାପାଇଁ ଶତଚେଷ୍ଟା କରିଥାନ୍ତି । ଏହାଦ୍ୱାରା ଲୋକମାନେ କୋର୍ଟ କଚେରୀ ମାମଲାରେ ଦୌଡିନଥାନ୍ତି । ସିଟି ହସ୍ପିଟାଲର ଆଇନ ସହାୟତା କେନ୍ଦ୍ରଟି ସପ୍ତାହର ସୋମବାର ଓ ଗୁରୁବାର ଖୋଲାରହୁଛି । କିନ୍ତୁ ସଚେତନତା ଅଭାବରୁ ଏହାର ସୁବିଧା ସୁଯୋଗକୁ ଉପଯୋଗ କରୁିପାରୁନାହାନ୍ତି ଲୋକେ । ବିଭିନ୍ନ ଗଣ୍ଡଗୋଳରେ ଚିକିତ୍ସାପାଇଁ ସିଟି ହସ୍ପିଟାଲ ଆସୁଛନ୍ତି ସତ, କିନ୍ତୁ ଆଇନ ସହାୟତା କେନ୍ଦ୍ର ସହ ଯୋଗାଯୋଗ କରୁନାହାନ୍ତି । ଅପରପକ୍ଷେ, ସହାୟତା କେନ୍ଦ୍ରର ସ୍ୱେଚ୍ଛାସେବୀମାନେ ମଧ୍ୟ ଚିକିତ୍ସାରତ ଆହତଙ୍କ ନିକଟରେ ପହଞ୍ଚôପାରୁନାହାନ୍ତି । ଫଳରେ କେନ୍ଦ୍ରଟି ଖୋଲୁଥିବା ସମୟରେ ଫାଙ୍କା ରହୁଥିବା ଦେଖାଯାଉଛି ।